ଲାଗିବ କ୍ୟାମେରା, ହାଇମାଷ୍ଟ ଲାଇଟ୍
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜେଲ୍ରୁ କଏଦୀ ଚମ୍ପଟ ଘଟଣାରେ ଆଜି ଜେଲ୍ ଏଡିଜି କେନ୍ଦ୍ରାପଡ଼ା ଜେଲ୍ ପରିଦର୍ଶନ କରିଥିଲେ। ଜେଲର ଢିଲା ସୁରକ୍ଷା ବ୍ୟବସ୍ଥା ଦେଖି ପ୍ରବଳ ବିରକ୍ତି ପ୍ରକାଶ କରିଥିଲେ। ସିସି କ୍ୟାମେରା ଏବଂ ହାଇମାଷ୍ଟ ଲାଇଟ୍ ଲଗାଇବାକୁ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ଆଜି ସଂଧ୍ୟାରେ ଚୌଦ୍ୱାରା ମଣ୍ଡଳ କାରାଗାରର ଅଧୀକ୍ଷକ ନିରଂଜନ ଦାସ କର୍ତବ୍ୟରତ ଦୁଇଜଣ ଓ୍ଵାର୍ଡରଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ମୁଖ୍ୟ ରକ୍ଷୀ ନିକୁଂଜ ମହାନ୍ତି ଓ ରକ୍ଷୀ ରମାକାନ୍ତ ମହାନ୍ତି।
ଜେଲ୍ ଭିତରେ ଦୁଇଟି ସିସି କ୍ୟାମେରା ଅଚଳ। ହାଇମାଷ୍ଟ ଲାଇଟ ଜଳୁନି। ଜେଲ୍ ପରିସର ଅନ୍ଧାର ଥିଲା। ମୁଖ୍ୟ ଜେଲର୍ ଓ ଆସିଷ୍ଟାଣ୍ଟ ଜେଲ୍ ଛୁଟିରେ। ଏହି ସୁଯୋଗକୁ ହାତ ଛଡ଼ା କରିନଥିଲା ଚମ୍ପଟ୍ କଏଦୀ। ଜେଲ୍ରୁ ଖସି ଯିବାର ବାଟ ପୂରା ସୁଗମ ଥିଲା। ଯୋଜନା ମଧ୍ୟ ସଫଳ ହୋଇଥିଲା। ବରିଷ୍ଠ ଅଧିକାରୀଙ୍କ ତଦନ୍ତରୁ ଜେଲ୍ ଭିତର ଏତେସବୁ ଫାଙ୍କ ଆଜି ଧରାପଡ଼ିଛି। ସେପେଟ ସଫେଇ ଦେଇ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜେଲ୍ରେ କଏଦି ଫେରାର ହେବା ଘଟଣା ପ୍ରଥମ।
କଏଦୀ ଚମ୍ପଟ ଖବର ପାଇ ଆଜି ଜେଲ୍ ବିଭାଗ ଏଡିଜି ବିନୟାନନ୍ଦ ଝା ବାରିମୂଳ ଉପକାରାଗାରରେ ପହଞ୍ଚିି ଏହି ଘଟଣାର ସରଜମିନ୍ ତଦନ୍ତ କରିଛନ୍ତି। ଜେଲ୍ରେ ପହଞ୍ଚିବା ପରେ ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ଥିବା ଦେଖି ପ୍ରବଳ ବିରକ୍ତି ପ୍ରକାଶ କରିଛନ୍ତି। ତୁରନ୍ତ ଜେଲରେ ସିସି କ୍ୟାମେରା, ହାଇମାଷ୍ଟ ଲଗାଇବାକୁ ନିର୍ଦେଶ ଦେଇଛନ୍ତି। ଏଡିଜିଙ୍କ ସହ କେନ୍ଦ୍ରାପଡ଼ା ଏସ୍ପି ଦୟାନିଧି ଗୋଚ୍ଛାୟତ, ଚୌଦ୍ୱାର ମଣ୍ଡଳ କାରାଗାର ଅଧୀକ୍ଷକ ଶ୍ରୀ ଦାସ ଓ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ।
ସେପଟେ ଚମ୍ପଟ କଏଦୀକୁ ଧରିବା ପାଇଁ ପୁଲିସ ଲାଗି ପଡ଼ିଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ନେଇ ତଦନ୍ତ କରିଛି। ସନ୍ଧାନୀ କୁକୁର ଜେଲ୍ ପାଚେରି ନିକଟରୁ ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ଯାଇ ଫେରିଥିଲା। ବାଟରେ ହଳେ ଚପଲ ପଡ଼ିଥିଲା ଯାହା ପୁଲିସ୍ ଜବତ କରିଛି। ଦୁଇଟି ଟିମ୍ ଗଠନ କରି ପୁଲିସ୍ ତଦନ୍ତ ଚଳାଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ସଫଳତା ମିଳି ନାହିଁ । ଜେଲ୍ କାନ୍ଥରେ ରଂଗାଧରର ପାଦ ଚିହ୍ନକୁ ସାଇଣ୍ଟିଫିକ୍ ଠାବ କରିଛି।
ସୂଚନା ଥାଉକି ନିକିରାଇ ଥାନାର ଏକ ହତ୍ୟାମାମଲାର ଅଭିଯୁକ୍ତ ରଙ୍ଗାଧର ୩ ବର୍ଷ ହେଲା ଜେଲ୍ରେ ଥିଲା। ଜେଲ୍ରେ ୨ବର୍ଷ ହେଲା କଏଦୀମାନଙ୍କୁ ରୋଷେଇ କରି ଦେଉଥିଲା। ଦୁଇ ଦିନ ହେଲା ଜେଲ୍ର ଦୁଇ ବରିଷ୍ଠ ଅଧିକାରୀ ଛୁଟିରେ ଥିଲେ। ସୁପରିଟେଣ୍ଡେଣ୍ଟ୍ ତାଲିମ ପାଇଁ ଯାଇଥିବା ବେଳେ ସହକାରୀ ବ୍ୟକ୍ତିଗତ ଛୁଟିରେ ଥିଲେ। ରୋଷେଇ କରି ଖାଇବାକୁ ଦେଉଥିବା ରଂଗାଧର ଏପରି ଏକ ଦୁଃସାହସ ପଦକ୍ଷେପ ନେବ ବୋଲି କେହି ଚିନ୍ତା ସୁଦ୍ଧା କରି ନଥିଲେ। ଦିନରେ ସେ ୪ଟି ଗାମୁଛା, ୨ଟି ଲୁଙ୍ଗି ଯୋଗାଡ଼ କରି ସେଗୁଡ଼ିକୁ ବାନ୍ଧି ଦଉଡ଼ି କରିଥିଲା। ରାତି ୮ଟାରେ ସବୁ ଅନ୍ତେବାସୀ ଖାଇସାରି ନିଜ ନିଜ କୋଠରିକୁ ଯାଇଥିବା ବେଳେ ଗୋଟିଏ ଲମ୍ବା ବାଉଁଶରେ ସେ ଗାମୁଛାରେ ବାନ୍ଧି ପାଚେରି ଉପର ନିର୍ମାଣାଧୀନ ଲୁହା ଆଙ୍ଗେଲକୁ ସଂଯୋଗ କରିଥିଲା। ତାର ବାଡ଼ ପୂର୍ବରୁ ଆଙ୍ଗେଲଗୁଡ଼ିକ ଫୁଙ୍ଗୁଳା ଥିବାରୁ ଏହା ସହଜ ହୋଇଥିଲା।। ସେ କାନ୍ଥ ଉପରକୁ ଚଢ଼ି ଖସି ଯାଇଥିବା ଆଶଙ୍କା କରାଯାଉଛି। ସଦର ଥାନା ପୁଲିସ୍ କେସ୍ ନଂ ୭୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।