କୋର୍ଟ ପରିସରରୁ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ୍‌ : ପୂର୍ବରୁ ୨ ଥର ଜେଲରୁ ଖସି ପଳାଇଥିଲା, ଏଥର ବି ଚକ୍‌ମା ଦେଲା, ପୁଲିସ୍‌ ଜଳକା

ଭାପୁର : ତୃତୀୟ ଥର ପାଇଁ ବିଚାରାଧୀନ କଏଦୀ ‘ବଣି’ କଡ଼ା ପୁଲିସ ବଳୟ ମଧ୍ୟରୁ ଚମ୍ପଟ ମାରିଛି। ଏଭଳି ଘଟଣା ଯେକେହି ବ୍ୟକ୍ତି ଶୁଣିଲେ, ହୁଏତ ‘ବଣି’କୁ ଖୁବ୍‌ ଚତୁର ବୋଲି ଭାବିବ ବା ଆମର ଅପାରଗ ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିବ। ଦୁଷ୍କର୍ମ ଅଭିଯୋଗରେ ବିଚାରାଧୀନ ଅଭିଯୁକ୍ତ ଜେଲ୍‌ରେ ଦିନ ବିତାଉଥିବା ବେଳେ, ପୂର୍ବରୁ ୨ ଥର ଜେଲ୍‌ ମଧ୍ୟରୁ ଏବଂ ଆଜି ପୁଲିସ୍‌ ବଳୟ ମଧ୍ୟରୁ ଏମିତି ମୋଟ୍ ୩ ଥର ଚମ୍ପଟ ମାରିବା ଘଟଣା ଆମ ସୁରକ୍ଷା ବ୍ୟବସ୍ଥା ଏବଂ ଏପିଆର୍‌ ପୁଲିସ ବାବୁମାନଙ୍କ କାର୍ଯ୍ୟଧାରା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲା ଭାପୁର କୋର୍ଟରେ।

ପୁଲିସଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ କରବର ଗ୍ରାମର ଅରକ୍ଷିତ ରାଉତଙ୍କ ପୁଅ ତପନ କୁମାର ରାଉତ (୨୬- ଡାକ ନାଁ ବଣି) ଗତ ଜୁନ୍ ୯ ତାରିଖରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଗିରଫ ହୋଇଥିଲା। ଖଣ୍ତପଡ଼‌ା କୋର୍ଟରେ ମାମଲା ବିଚାରାଧୀନ ଥିଲା ବେଳେ ଖଣ୍ତପଡ଼ା ଉପ କାରାଗାରରେ ତପନ ବନ୍ଦୀ ଜୀବନ ବିତାଉଛି। ଗତ ୧୧ ତାରିଖରେ ଜେଲ୍‌ ଭିତରେ ଖାଇବା ବେଳେ, ନିଜ ପିନ୍ଧା ଲୁଗା ଏବଂ ପଥର ସହାୟତାରେ ଜେଲ୍‌ର ୯ ଫୁଟ୍ ପାଚେରି ଡେଇଁ ଚମ୍ପଟ ମାରିଥିଲା। ତା’ ପରଦିନ ପୁଲିସ ତପନକୁ ତା’ ନିଜ ଘରୁ ଗିରଫ କରିବାରେ ସଫଳ ହୋଇଥିଲା। ପୁନର୍ବାର ତପନକୁ ଖଣ୍ତପଡ଼ା ଜେଲ୍‌ ମଧ୍ୟରେ ରଖାଯାଇଥିଲା। ପୁନଶ୍ଚ ଗତ ୩ ତାରିଖ ଦିନ ୧୧ଟା ସମୟରେ ସେ ଜେଲ୍ ପାଚେରି ଡେଇଁ ଖସି ପଳାଇବାରେ ସମର୍ଥ ହୋଇଥିଲା। ଏହି ଘଟଣାରେ ଜଣେ କର୍ତ୍ତବ୍ୟରତ ଜେଲ୍ ୱାଡେନ୍ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଆଜି ପୁଣି ତପନ ସହିତ ଆଉ ୮ ଜଣ ବିଚାରାଧୀନ କଏଦୀଙ୍କୁ ଏକ ଭ୍ୟାନ୍‌ରେ ଭାପୁର କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କୁ ଜଗିବା ପାଇଁ ୨ ଜଣ ମହିଳା ଏବଂ ୩ ଜଣ ପୁରୁଷ ଏପିଆର୍‌ ପୁଲିସ ନିୟୋଜିତ ହୋଇଥିଲେ। ମାତ୍ର କୋର୍ଟ ମଧ୍ୟରୁ ଭ୍ୟାନ୍‌କୁ ଆଣିବା ସମୟରେ ବଣି ଅତି ଚତୁରତାର ସହିତ ହାତରୁ ହ୍ୟାଣ୍ତ୍‌କପ୍ ଖସାଇ ଭ୍ୟାନ୍ ନିକଟରୁ ଚମ୍ପଟ ମାରିଥିଲା। ଏହା ଦେଖି ପୁଲିସ କର୍ମଚାରୀମାନେ ବିଲ ଭିତରେ ତପନକୁ ଗୋଡ଼ାଇଥିଲେ ମଧ୍ୟ ତାକୁ ଧରି ପାରିନଥିଲେ କି ତା’ର କିଛି ଖୋଜ୍‌ଖବର ମିଳିନଥିଲା।

ସମ୍ବନ୍ଧିତ ଖବର