ଝାରପଡ଼ା ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା!, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ୱର : ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ଆଜି ଜଣେ ବିଚାରାଧୀନ କଏଦୀଙ୍କର ସନ୍ଦେହଜନକ ଅବସ୍ଥାରେ ଶବ ଜବତ ହୋଇଛି। ମୃତ କଏଦୀ ଜଣଙ୍କ ହେଲେ ଜିତେନ୍ଦ୍ର ବିଶ୍ୱାଳ (୩୦)। ଘର କେନ୍ଦ୍ରାପଡ଼ା ଜିଲ୍ଲା ଉଚ୍ଚରପଡ଼ା ଅଞ୍ଚଳରେ। ଲକ୍ଷ୍ମୀସାଗର ଥାନା ପୁଲିସ ଜିତେନ୍ଦ୍ରଙ୍କ ଶବକୁ ଜବତ କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରିଛି। ଏହାପରେ କେସ୍‌ ନମ୍ବର ୨୨/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ଜେଲ୍‌ରେ କଡ଼ା ସୁରକ୍ଷା ସତ୍ତ୍ୱେ କିପରି ଜଣେ କଏଦୀ ଆତ୍ମହତ୍ୟା କଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜିତେନ୍ଦ୍ର ଆତ୍ମହତ୍ୟା କରିଥିବା ଜେଲ୍‌ କର୍ତ୍ତୃପକ୍ଷ କହିଥିବାବେଳେ ପରିବାର ଲୋକ କିନ୍ତୁ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି କହିଛନ୍ତି। ଜେଲ୍‌ ପରିସରରେ କଏଦୀଙ୍କ ମୃତ ଦେହ ମିଳିବା ଘଟଣା ପ୍ରଘଟିତ ହେବା ପରେ ଭୁବନେଶ୍ୱର ଏଡିଜେଏମ୍‌ ଓ ଜେଲ୍‌ ଏଡିଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜେଲ୍‌ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ଜେଲ୍‌ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଛନ୍ତି।

ଅପରପକ୍ଷେ କେଉଁ ପରିସ୍ଥିତିରେ ଓ କିପରି ଜିତେନ୍ଦ୍ରଙ୍କ ମୃତ୍ୟୁ ଘଟିଲା, ତାହାର ତଦନ୍ତ କରି ରିପୋର୍ଟ ଦେବାକୁ ପୁଲିସ କମିସନର ଓ୍ଵାଇବି ଖୁରାନିଆ ଜେଲ୍‌ ସୁପରିନଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜେଲ୍‌ ସୁପରିନଟେଣ୍ଡେଣ୍ଟ ଲକ୍ଷ୍ମୀସାଗର ଥାନାକୁ ଜଣାଇଛନ୍ତି ଯେ, ଶୁକ୍ରବାର ବିଳମ୍ବିତ ରାତିରେ ସବୁ କଏଦୀ ଶୋଇଯିବା ଜିତେନ୍ଦ୍ର ବେକରେ ଗାମୁଛା ଲଗାଇ ଗାଧୁଆ ଘର ଝରକା ରଡ୍‌ରେ ଝୁଲି ପଡ଼ିଥିଲେ। ଶନିବାର ଭୋର୍‌ ପ୍ରାୟ ସାଢ଼େ ୪ଟାରେ କିଛି କଏଦୀ ପରିସ୍ରା ପାଇଁ ଯିବା ବେଳେ ଏହା ଦେଖି ଆମକୁ ଜଣାଇଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଜିତେନ୍ଦ୍ର ଆତ୍ମହତ୍ୟା କରିଥିବା ଜେଲ୍‌ କର୍ତ୍ତୃପକ୍ଷ କହୁଥିବାବେଳେ ଜିତେନ୍ଦ୍ରଙ୍କ ବାପା ଏହାକୁ ଖଣ୍ଡନ କରିଛନ୍ତି। ଜିତେନ୍ଦ୍ରଙ୍କୁ ହତ୍ୟା କରାଯାଇଛି ବୋଲି ବାପା ପ୍ରେମାନନ୍ଦ ବିଶ୍ୱାଳ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ଜେଲ୍‌ ଭିତରେ ଜଣେ କଏଦୀ ଅତ୍ମହତ୍ୟା କରିବା ଅସମ୍ଭବ। ସେ କହିଛନ୍ତି ଯେ କଏଦୀମାନେ କାଳେ କିଛି ଅଘଟଣ ଘଟାଇବେ ସେଥିପାଇଁ ସେମାନଙ୍କୁ କଡ଼ା ସୁରକ୍ଷା ଭିତରେ ରଖାଯାଏ। ଏମିତିକି ସେଠାକୁ ଏକ ଜିଭ ଛେଲାଟେ ବି ନେବାକୁ ଦିଆଯାଏନି। ଝୁଲିବା ପାଇଁ କୌଣସି ସ୍ଥାନ ବି ନାହିଁ। କେହି କ’ଣ କେବେ ଝରକାରେ ଝୁଲି ଆତ୍ମହତ୍ୟା କରିପାରିବ ବୋଲି ପ୍ରେମାନନ୍ଦ ପ୍ରଶ୍ନ କରିଛନ୍ତି। ଜିତେନ୍ଦ୍ରଙ୍କୁ ହତ୍ୟା କରି ଏଭଳି ନାଟକୀୟ ରୂପ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜ୍‌ ଭଲ ଭାବେ ଯାଞ୍ଚ କଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସେ କହିଛନ୍ତି।ପୁଲିସ ସୂଚନା ଅନୁଯାୟୀ, ଚନ୍ଦକାର ଘଟିଥିବା ଏକ ଗଣଦୁଷ୍କର୍ମ ଘଟଣାରେ ଚନ୍ଦକା ପୁଲିସ ଗତ ୨୦୧୩ ଜୁଲାଇରେ ଜିତେନ୍ଦ୍ରଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍‌ର ବନ୍ଦୀ ଗୃହ-୧୧ରେ ରହୁଥିଲେ। କିଛି ଦିନ ଜେଲ୍‌ରେ ରହିବା ପରେ ତାଙ୍କ ବ୍ୟବହାରରେ ସୁଧାର ଆସିବାରୁ ତାଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥିଲା। ଗତ ୮ ତାରିଖରେ ତାଙ୍କର କୋର୍ଟରେ ଶୁଣାଣି ଥିଲା। ଜାମିନ୍‌ ନ ମିଳିବାରୁ ସେ ଏକପ୍ରକାର ଚିଡ଼ିଚିଡ଼ା ହୋଇଯିବା ସହ ଚାପଗ୍ରସ୍ତ ଥିଲେ। ଚାପଗ୍ରସ୍ତ ଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରନ୍ତି।

ସମ୍ବନ୍ଧିତ ଖବର