ପଛୁଆ ଜିଲ୍ଲାରେ ମୁଣ୍ଡପିଛା ଆୟ ବଢ଼ାଇବାକୁ ସରକାର ପଦକ୍ଷେପ ନିଅନ୍ତୁ

ସରକାରଙ୍କ ତଥ୍ୟ ଉପରେ ବିଧାୟକଙ୍କ ସନ୍ଦେହ

ଭୁବନେଶ୍ବର : ପଛୁଆ ଜିଲ୍ଲାରେ ମୁଣ୍ଡ ପିଛା ଆୟ ବୃଦ୍ଧି କରିବାକୁ ସରକାର ପଦକ୍ଷେପ ନେବା ପାଇଁ ବିଧାନସଭା‌େର ଦାବି ଉଠିଛି। ବିଜେଡିର ବରିଷ୍ଠ ସଭ୍ୟ ଭୂପିନ୍ଦର ସିଂହଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ, ୨୦୦୪-୦୫ ଆଧାର ବର୍ଷ ଭିତ୍ତି‌େର ୨୦୦୪-୦୫ରୁ ୨୦୧୧-୧୨ ମସିହା ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲାର ମୁଣ୍ଡପିଛା ଆୟ ସ୍ଥିିର କରାଯାଇଛି। ସେଥିରେ କେନ୍ଦୁଝର ଜିଲ୍ଲାର ମୁଣ୍ଡପିଛା ଆୟ ସର୍ବାଧିକ ଥିଲା ବେଳେ ଦ୍ବିତୀୟରେ ସୁନ୍ଦରଗଡ଼ ଓ ତୃତୀୟରେ ଅନୁଗୁଳ ରହିଛି। ଏହି ତାଲିକାରେ ଶେଷରେ ନବରଙ୍ଗପୁର ରହିଥିଲା ବେଳେ ୨୯ ନମ୍ବର ସ୍ଥାନରେ ନୟାଗଡ଼ ଓ ୨୮ ନମ୍ବର ସ୍ଥାନରେ ମାଲକାନଗିରି ରହିଛି। ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି ନିମନ୍ତେ ସରକାର କୃଷି, ଶିଳ୍ପ, ସେବା ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ପାଇଁ ବିଭିନ୍ନ ଯୋଜନା ଓ ନୀତି ପ୍ରଣୟନ କରିଛନ୍ତି।

ମୂଳ ପ୍ରଶ୍ନକର୍ତ୍ତା ଭୂପିନ୍ଦର ସିଂହ କେବିକେ ଜିଲ୍ଲାରେ ମୁଣ୍ଡ ପିଛା ଆୟ ବୃଦ୍ଧି କରିବାକୁ ଠୋସ୍ ପଦକ୍ଷେପ ନେବା ପାଇଁ କହିଥିଲେ। ସନ୍ତୋଷ ସିଂହ ସାଲୁଜା କେବିକେ ଜିଲ୍ଲାର ଆଜିର ସ୍ଥିତି ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। ତେବେ ଏହି ତାଲିକାରେ ଥିବା ତଥ୍ୟକୁ ନେଇ ସେ ସନ୍ଦେହ ପ୍ରକାଶ କରିଥିଲେ। ନୟାଗଡ଼ ପରି ଉପକୂଳ ଜିଲ୍ଲାର ତାଲିକାର ୨୯ ନମ୍ବରରେ କିପରି ରହିଲା ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ପ୍ରତାପ କେଶରୀ ଦେବ କହିଥିଲେ, ୨୦ରୁ ୩୦ ଭିତରେ ଥିବା ଜିଲ୍ଲାଗୁଡ଼ିକ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଉପକୂଳ ଅଞ୍ଚଳର ବିକାଶ ପାଇଁ ଉପକୂଳ ବିକାଶ ପରିଷଦ ଗଠନ କରିବାକୁ ପ୍ରସ୍ତାବ ‌େଦଇଥିଲେ। ସୁରେଶ ରାଉତରାୟ ଅତିରିକ୍ତ ପ୍ରଶ୍ନ କରିଥିଲେ।

ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ଏହି ତଥ୍ୟ ୨୦୧୧-୧୨ର। ଏହା ମଧ୍ୟରେ କିଛି ଜିଲ୍ଲାରେ ମୁଣ୍ଡ ପିଛା ଆୟ ମଧ୍ୟ ବୃଦ୍ଧି ପାଇଛି। ନିର୍ଦ୍ଦିଷ୍ଟ ଭାବେ କେବିକେ ଜିଲ୍ଲାରେ ମୁଣ୍ଡ ପିଛା ଆୟ ବଢ଼ିଛି। ଏଥି ପାଇଁ ଜିଲ୍ଲା ୱାରି ଯୋଜନା ପ୍ରସ୍ତୁତ କରି ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର