ଜୟପୁର: ଏଣିକି ସମସ୍ତ ସରକାରୀ ପଦ ପଦବିରେ ନିଯୁକ୍ତି ଜିଲ୍ଲାଭିତ୍ତିକ କରାଯାଉ। ନଚେତ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାବ୍ୟାପି ବନ୍ଦ ପାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ବିଧାୟକଙ୍କୁ ଶନିବାର ଦିନ ସ୍ଥାନୀୟ ଅଂଚଳର ଶତାଧିକ ଶିକ୍ଷିତ ବେକାର ଯୁବକ ମାନେ ଭେଟି ଏ ଦିଗରେ ଦୃଷ୍ଟି ଦେବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର କୋଣ ଅନୁକୋଣର ଶତାଧିକ ଶିକ୍ଷିତ ଯୁବକମାନେ ଜୟପୁର ବିଧାୟକ ଶ୍ରୀ ବାହିନୀପତିଙ୍କୁ ଭେଟି ଶିକ୍ଷକ, ତାଲିମ ପ୍ରାପ୍ତ ଶିକ୍ଷକ, ପୁଲିସ, ଫରେଷ୍ଟଗାର୍ଡ଼, ଏଲଆଇ, ଆରଆଇ ସହ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପଦବି ଗୁଡିକରେ ସ୍ଥାନୀୟ ବେକାର ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା ଦାବି କରିଥିଲେ। ସେ ଏହି ଦାବିକୁ ନେଇ ପୂର୍ବରୁ ବିଧାନସଭାରେ ଉଠାଇବା ସହ ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଓ ମୁଖ୍ୟଶାସନ ସଚିବଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସଂପ୍ରତି ଚୁକ୍ତିଭିତ୍ତିରେ ୨୦ହଜାର ଶିକ୍ଷକ ନିଯୁକ୍ତି ଦେବାକୁ ସରକାର ଯୋଜନା କରିଛନ୍ତି। ତାହା ସ୍ବାଗତ ଯୋଗ୍ୟ। କିନ୍ତୁ କିଛି ରାଜନୈତିକ ନେତାଙ୍କ ପ୍ରରୋଚନାରେ ଉପକୁଳ ଜିଲ୍ଲାର ଶିକ୍ଷିତ ବେକାର ପିଲା ମାନେ ସମଗ୍ର ରାଜ୍ୟରେ ଏକକ ନିଯୁକ୍ତି ପାଇଁ ଦାବି ଉଠାଇବା ଯୋଜନାରେ ରହିଛନ୍ତି। ଯଦି ରାଜ୍ୟ ସରକାର ଏଥରକ ବି ଶିକ୍ଷକ ନିଯୁକ୍ତି ଜିଲ୍ଲାଭିତ୍ତିକ ନ କରନ୍ତି ତେବେ ସେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ। ଏଥିରେ ଦଳମତ ନିର୍ବିଶେଷରେ ଅବିଭକ୍ତ କୋରାପୁଟଜିଲ୍ଲାବାସୀଙ୍କ ସ୍ବାର୍ଥ ରହିଥିବାରୁ ସବୁ ସହଯୋଗ କରିବେ। ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା ବ୍ୟାପି ବନ୍ଦ ପାଳନ କରିବା ସହ ସମସ୍ତ ଉପକୂଳଜିଲ୍ଲାର ସରକାରୀ ଅଧିକାରୀଙ୍କୁ ଜିଲ୍ଲାରେ ରଖାଇ ଦିଆଯିବ ନାହିଁ।
ସେଭଳି ଉପକୂଳଜିଲ୍ଲାର କୌଣସି ପିଲା ନିଯୁକ୍ତି ପାଇ ଆସିଲେ ଅବିଭକ୍ତ କୋରାପୁଟ ଜିଲ୍ଲା ମଧ୍ୟକୁ ପଶାଇ ଦିଆଯିବ ନାହିଁ ବୋଲି ବିଧାୟକ ତାରା ଚେତାବନୀ ଦେଇଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷିତ ପିଲା ବେକାର ହୋଇ ରହିବେ, ଅନ୍ୟ ଜିଲ୍ଲାର ପିଲା ଆସି ନିଯୁକ୍ତି ପାଇବେ। ଏହା କେତେ ଦୁର ସମୀଚିନ। ରାଜ୍ୟ ସରକାର ଚକ୍ରାନ୍ତ କରି କୋରାପୁଟ ଜିଲ୍ଲାରୁ ବିଏଡ୍ ପାଠ୍ୟକ୍ରମକୁ ଉଚ୍ଛେଦ କରାଇଛନ୍ତି। କୋରପୁଟ ବିଏଡ୍ କଲେଜ ଓ ଜୟପୁର ବିକ୍ରମ ଦେବ ବିଶ୍ବବିଦ୍ୟାଳୟରୁ ବିଏଡ୍ ଚାଳିଯିବା ପଛରେ ସରକାରଙ୍କ ଇଛାଶକ୍ତି ଅଭାବରୁ ହୋଇଛି। ତୁରନ୍ତ ବିଏଡ୍ ପାଠ୍ୟକ୍ରମ ଖୋଲିବାକୁ ଦାବି କରିଥିଲେ ବିଧାୟକ। ସେଭଳି ବିଏଡ୍, ଡାଏଟ୍ ଆଦିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ପିଲାଙ୍କୁ ଅଗ୍ରାଧିକାର ଦେବାକୁ ଦାବି କଲେ ବିଧାୟକ। ପ୍ରଥମେ ମା, ମାଟି। ନିଜ ଅଂଚଳର ଶିକ୍ଷିତ ପିଲାବେକାର ହୋଇ ରହିବା କେତେ ଦୂର ସମୀଚିନ। ବିଜେଡିରେ ରହିଥିବା ବିଧାୟକ, ମନ୍ତ୍ରୀ ଓ ସାଂସଦଙ୍କର ସତସାହାସ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ନାହିଁ। ସେମାନେ ସ୍ବର ଉଠାଇ ପାରିବେ ନାହିଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେ ତାଙ୍କ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ଜୟପୁର ବିଧାୟକ। ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କ ଦୁଃଖ, ଦୁର୍ଦ୍ଦଶା ଓ ସ୍ବର ଯଦି ରାଜ୍ୟସରକାରଙ୍କ ନିକଟରେ ପହଚିଂ ପାରୁ ନାହିଁ ତେବେ ସେ ନିଜେ ଏହା ପହଚାଂଇବେ ବୋଲି କହିଛନ୍ତି ବିଧାୟକ।