ଅବିଭକ୍ତ ସମ୍ବଲପୁର : ଲୋକସଭାକୁ ପ୍ରତିନିଧିତ୍ବ କାହିଁ?

ଅନ୍ତର୍ଜାତୀୟ ମହିଳା ଦିବସ

ସମ୍ବଲପୁର, (ରତ୍ନାକର ଭୋଇ): ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସମାଜସେବା, ଜନଆନ୍ଦୋଳନ ଆଦି କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲେ ହେଁ ରାଜନୀତିରେ ସେତେଟା ସଫଳତା ହାସଲ କରିପାରିନାହାନ୍ତି। ମାତ୍ର ୮ଜଣ ନେତ୍ରୀ ବିଧାନସଭାକୁ ନିର୍ବାଚିତ ହୋଇଥିବା ‌ବେଳେ ମାତ୍ର ୨ ଜଣଙ୍କୁ ମନ୍ତ୍ରୀ ପଦ ମିଳିପାରିଛି। ଜଣେ ପୂର୍ବତନ ବିଧାୟିକାଙ୍କ ସମେତ ୨ ଜଣ ନେତ୍ରୀ ରାଜ୍ୟସଭା ଯାଇଥିଲେ ହେଁ ଏପର୍ଯ୍ୟନ୍ତ ‌ଜଣେ ବି ମହିଳା ଲୋକସଭାରେ ପାଦ ଥାପିବାର ସୌଭାଗ୍ୟ ଅର୍ଜନ କରି ପାରିନାହାନ୍ତି।

ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ୧୨ଟି ବିଧାନସଭା ଆସନ ଏବଂ ୨ଟି ଲୋକସଭା ‌କ୍ଷେତ୍ର ସମ୍ବଲପୁର ଓ ବରଗଡ଼ ରହିଛି। ଅବଶ୍ୟ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଅନୁଗୁଳ ଜିଲ୍ଲାର ୨ଟି ବିଧାନସଭା ଆସନ ଛେଣ୍ଡିପଦା ଏବଂ ଆଠମଲ୍ଲିକ ରହିଛି। ଏହି ଦୁଇ ଲୋକସଭା କ୍ଷେତ୍ରରୁ ଏପର୍ଯ୍ୟନ୍ତ ଜଣେ ବି ମହିଳା ନିର୍ବାଚିତ ହୋଇନାହାନ୍ତି।

ଅନ୍ୟପକ୍ଷରେ, ୧୯୫୧ ମସିହାରେ ପ୍ରଥମ ନିର୍ବାଚନଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ମାତ୍ର ୨ ଜଣ ‌‌ବିଧାୟିକାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରିଛି। ୧୯୫୭ ମସିହା ହୋଇଥିବା ଦ୍ବିତୀୟ ସାଧାରଣ ନିର୍ବାଚନରେ ତତ୍କାଳୀନ ବାମଣ୍ଡା ଆସନରୁ ରାଣୀ ଜ୍ୟୋତିମଂଜରୀ ଦେବୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରାଣୀ ଜ୍ୟୋତିମଂଜରୀ ଦେବୀ ହେଉଛନ୍ତି ସମଗ୍ର ପଶ୍ଚିମ ଓଡ଼ିଶାରୁ ବିଧାନସଭାକୁ ଯିବାରେ ପ୍ରଥମ ମହିଳା। ୧୯୬୧ ଓ ୧୯୬୭ ମସିହା ବିଧାନସଭା ନିର୍ବାଚନରେ ଭଟଲି ଆସନରୁ କ୍ରମାଗତ ଭାବେ ଦୁଇ ଥର ସରସ୍ବତୀ ପ୍ରଧାନ ନିର୍ବାଚିତ ହୋଇଥିଲେ। ବୀରେନ୍ ମିତ୍ରଙ୍କ ମନ୍ତ୍ରିମଣ୍ଡଳରେ ସେ ଶିକ୍ଷା ବିଭାଗର ଉପମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ୧୯୭୨ ମସିହାରେ ସେ ପୁଣି କଂଗ୍ରେସ ଟିକଟରେ ରାଜ୍ୟସଭାକୁ ଯାଇଥିଲେ। ‌ସେହିପରି ଏହି ଅଂଚଳର ଅନ୍ୟ ଜଣେ ସଫଳ ନେତ୍ରୀ ହେଲେ ସୈରେନ୍ଧ୍ରୀ ନାୟକ। ସେ ମଧ୍ୟ ଝାରସୁଗୁଡ଼ା ବିଧାନସଭାରୁ ୧୯୭୪ ଓ ୧୯୭୭ କଂଗ୍ରେସ ଟିକଟରେ ଦୁଇ ଥର ନିର୍ବାଚିତ ହୋଇଥିଲେ। ମାତ୍ର ୧୯୮୦ ମସିହା ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟରୁ ବଂଚିତ କରାଯାଇଥିଲା। ତେବେ, ୧୯୮୪ ମସିହାରେ ସେ ସମ୍ବଲପୁର ଲୋକସଭା ଆସନରୁ ଜନତା ପାର୍ଟି ଟିକଟରେ ନିର୍ବାଚନ ଲଢ଼ିଥିଲେହେଁ ସଫଳତା ମିଳିନଥିଲା। କଂଗ୍ରେସ ପ୍ରାର୍ଥୀ ଡାକ୍ତର କୃପାସିନ୍ଧୁ ଭୋଇଙ୍କଠାରୁ ବଡ଼ ବ୍ୟବଧାନରେ ପରାଜିତ ହୋଇଥିଲେ। ୧୯୯୧ ମସିହାରେ ବିଜେପୁରର ତତ୍କାଳୀନ ବିଧାୟକ ନିକୁଂଜ ବିହାରୀ ସିଂଙ୍କ ଆକସ୍ମିକ ବିୟୋଗ ପରେ ଅନୁଷ୍ଠିତ ଉପନିର୍ବାଚନରେ ତାଙ୍କ ପତ୍ନୀ କିଶୋରୀମଣି ସିଂହ ଜନତା ଦଳ ଟିକଟରୁ ବିଜୟୀ ବିଧାନସଭାକୁ ଯାଇଥିଲେ। ବିଧାନସଭା ନିର୍ବାଚନରେ ବିଫଳ ହୋଇଥିଲେହେଁ ସମ୍ବଲପୁର ବିଶିଷ୍ଟ ନାରୀନେତ୍ରୀ ତଥା ସମାଜସେବୀ ପ୍ରମିଳା ବହିଦାରଙ୍କ ୨୦୦୨ ମସିହାରେ ଭାଗ୍ୟ ଫିଟିଥିଲା ଆଉ ସେ ରାଜ୍ୟସଭାକୁ ଯାଇଥିଲେ। ୨୦୧୪ ବିଧାନସଭା ନିର୍ବାଚନ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ମହିଳା ପ୍ରାର୍ଥୀଙ୍କ ନିମନ୍ତେ ସବୁଠୁ ଭଲ ଥିଲା। ଏହି ନିର୍ବାଚନରେ ମର୍ଯ୍ୟାଦାଜନକ ସମ୍ବଲପୁର ବିଧାନସଭା ଆସନରୁ ବିଜେଡି ଟିକେଟରେ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ଅତାବିରା ଆସନରୁ ବିଜେଡି ପ୍ରାର୍ଥୀ ସ୍ନେହାଂଗିନୀ ଛୁରିଆ ଜିତିଥିଲେ। ବ୍ରଜରାଜନଗର ଆସନରୁ ବାରଂବାର ପରାଜିତ ହେଉଥିବା ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ମଧ୍ୟ ବିଧାନସଭା ଯିବାର ସୌଭାଗ୍ୟ ଜୁଟିଥିଲା।

ବିଜେପୁର ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ଅନୁଷ୍ଠିତ ଉପନିର୍ବାଚନରେ ତାଙ୍କ ପତ୍ନୀ ରୀତା ସାହୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ନିର୍ବାଚନ ଲଢ଼ିଥିଲେ। ମାତ୍ର ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ଅନୁଷ୍ଠିତ ଉପନିର୍ବାଚନରେ ରୀତା ସାହୁ ଓଡ଼ିଶା ନିର୍ବାଚନୀ ଇତିହାସ‌ରେ ସର୍ବାଧିକ ଭୋଟ ବ୍ୟବଧାନରେ ଜିତିବାର ବିରଳ ରେକର୍ଡ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର