ସମ୍ବଲପୁର: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ସମ୍ବଲପୁର ଏବଂ ଟିଟିଲାଗଡ଼ ଡିଭିଜନ୍ ଅନ୍ତର୍ଗତ ୯ ଜିଲ୍ଲାର ୩୯ ଷ୍ଟ୍ରାକ୍ର ଯେଉଁ ଚାଉଳକୁ କେନ୍ଦ୍ରୀୟ ପ୍ରତିନିଧି ଦଳ ଅଖାଦ୍ୟ ଘୋଷଣା କରି କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଥିଲା, ସେହି ଚାଉଳକୁ କ୍ଲିନ୍ ଚିଟ୍ ଦେଇଛନ୍ତି ବର୍ତ୍ତମାନର ସରକାର। ଏପରିକି ଝାରସୁଗୁଡ଼ା ଜିଲ୍ଲାରେ ୪ ବର୍ଷ ପୁରୁଣା ଚାଉଳ ବଣ୍ଟାଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିବା ଚାଞ୍ଚଲ୍ୟକର ତଥ୍ୟ ପଦାରେ ପଡ଼ିଛି।
ସୂଚନା ଅନୁଯାୟୀ, ୨୦୨୨ ମସିହା ଏପ୍ରିଲ ମାସରେ ଖାଦ୍ୟ ଏବଂ ସାଧାରଣ ବିତରଣ ବିଭାଗ ସହକାରୀ ନିର୍ଦେଶକ ପ୍ରୀତି ଶୁକ୍ଳାଙ୍କ ନେତୃତ୍ବରେ ଗଠିତ ଟିମ୍ ଏଫ୍ସିଆଇ ସମ୍ବଲପୁର ଏବଂ ଟିଟିଲାଗଡ଼ ଡିଭିଜନ୍ ଅନ୍ତର୍ଗତ ଜିଲ୍ଲାଗୁଡ଼ିକରେ ପିଡିଏସ୍ ଏବଂ ମିଲ୍ ପକ୍ଷରୁ ଦିଆଯାଇଥିବା ଚାଉଳ ଯାଞ୍ଚ ହୋଇଥିଲା। ଏଥିରେ ୯୧ ପ୍ରତିଶତ ଚାଉଳ ନିମ୍ନମାନର ବୋଲି ରିପୋର୍ଟ ଦିଆଯାଇଥିଲା। ଏଥିରେ ପୁରୁଣା ବସ୍ତା ବ୍ୟବହାର, ଗୋଦାମ ସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଥିଲା। ଗୋଦାମ ଯାଞ୍ଚ ସମୟରେ ୨୦୨୦ ମସିହାର ବସ୍ତା ବ୍ୟବହାର, ଗୋଦାମ ଛାତରେ କଣା, ଆର୍ଦ୍ରତା ମାପିବା ପାଇଁ ବ୍ୟବହୃତ ଯନ୍ତ୍ର ଅଚଳ ହୋଇପଡ଼ିଥିବା, ସିଏମ୍ଆର୍ (ଧାନ ବଦଳରେ ରିସାଇକ୍ଲିଂ ଚାଉଳ) ସମ୍ପର୍କରେ ତଥ୍ୟ ନ ଥିବା, ଷ୍ଟୋରେଜ୍ ସମୟରେ ଧାନ ନଷ୍ଟ ହେବା ଭଳି ଦେଖିବାକୁ ମିଳିଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଥିଲା। ଏହାସହିତ ସରକାରୀ ନିୟମ ଉଲ୍ଲଂଘନ କରି ନିମ୍ନମାନର ଚାଉଳ ଦେଇଥିବା ମିଲରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସୁପାରିସ କରିଥିଲେ ସହକାରୀ ନିର୍ଦେଶକ ପ୍ରୀତି ଶୁକ୍ଳା। କେନ୍ଦ୍ରର ଏହି ରିପୋର୍ଟକୁ ରାଜ୍ୟ ଯୋଗାଣ ନିଗମ ବିରୋଧ କରିଥିଲା। ଏଥିପାଇଁ ଉଭୟ ସରକାର ମୁହାଁମୁହିଁ ସ୍ଥିତିକୁ ଆସିଥିଲେ। ତେବେ ସରକାର ବଦଳିବା ପରେ ରିପୋର୍ଟ ବି ବଦଳି ଯାଇଛି। ଅଖାଦ୍ୟ ଚାଉଳ ଖାଦ୍ୟ ଯୋଗ୍ୟ ବୋଲି ରିପୋର୍ଟ ଦିଆଯାଇଛି।
ସରକାର ବଦଳିବା ପରେ ରିପୋର୍ଟ ବଦଳିଲା
ଝାରସୁଗୁଡ଼ା ପିଡିଏସ୍ରେ ପୁରୁଣା ଚାଉଳ ବଣ୍ଟନ
ଝାରସୁଗୁଡ଼ା ଯୋଗାଣ ବିଭାଗର ସୂଚନା ଅନୁସାରେ, ସେତେବେଳେ କେନ୍ଦ୍ରୀୟ ଟିମ୍ ଝାରସୁଗୁଡ଼ାର ଯେଉଁ ୩୬ ହଜାର କ୍ବିଣ୍ଟାଲକୁ ନିମ୍ନମାନର ଏବଂ ଅଖାଦ୍ୟ କହି ନାକଚ କରି ଦେଇଥିଲା, ସେହି ଚାଉଳକୁ ପିଡିଏସ୍ରେ ବାଣ୍ଟିବା ପାଇଁ ବର୍ତ୍ତମାନ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏହି ଚାଉଳର ଗୁଣାତ୍ମକ ମାନ ଯାଞ୍ଚ ପାଇଁ ଦୁଇ ଜଣ କ୍ବାଲିଟି ଆନାଲିଷ୍ଟ ମଧ୍ୟ ଝାରସୁଗୁଡ଼ା ଆସି ଚାଉଳ ଯାଞ୍ଚ କରୁଛନ୍ତି। ଏହି ଘଟଣାକୁ ନେଇ ତତ୍କାଳୀନ ସିଏସ୍ଓଙ୍କ ଭୂମିକା ନେଇ ଯୋଗାଣ ବିଭାଗ କମିସନ ମଧ୍ୟ ସହଜରେ ଗ୍ରହଣ କରିନଥିଲେ। କାରଣ କେନ୍ଦ୍ରୀୟ କମିଟି ପକ୍ଷରୁ ଯେଉଁ ଚାଉଳକୁ ନିମ୍ନମାନର ଦର୍ଶାଯାଇ ଏଫ୍ସିଆଇକୁ ଜମା ଦେବାକୁ କୁହାଯାଇଥିଲା, ସେତେବେଳର ଝାରସୁଗୁଡ଼ା ସିଏସ୍ଓ ଏହାକୁ ଏଫ୍ସିଆଇରେ ଦାଖଲ ନ କରି ଆରଆରସିରେ ଜମା ରଖିଥିଲେ। ଏଥିପାଇଁ ତତକାଳୀନ ସିଏସ୍ଓଙ୍କୁ ଝାରସୁଗୁଡ଼ାରୁ ବଦଳି କରାଯାଇଥିଲା। ବର୍ତ୍ତମାନ ସେହି ପୁରୁଣା ଚାଉଳ ପିଡିଏସ୍ରେ ବଣ୍ଟା ଯିବା କେତେ ଗ୍ରହଣଯୋଗ୍ୟ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ପୁରୁଣା ଚାଉଳ ସଂରକ୍ଷଣ ପାଇଁ ରସାୟନ ବ୍ୟବହାରର ଆବଶ୍ୟକତା ପଡ଼ିଥାଏ। ତା’ ଛଡ଼ା ଏତେ ବର୍ଷ ହୋଇ ଯାଇଥିବାରୁ ୩୬ ହଜାର କ୍ବିଣ୍ଟାଲ୍ରୁ ପ୍ରାୟ ୪ ହଜାର କ୍ବିଣ୍ଟାଲ୍ କମ୍ ହୋଇଥିବ। ତେଣୁ ଏଥିପାଇଁ ମିଲ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ହୋଇଥିଲା। ସେହି ଚାଉଳ ପାଇଁ ମିଲ୍ ମାଲିକମାନେ ସର୍ଟେଜ୍ ଚାଉଳରୁ ମଧ୍ୟ ଟଙ୍କା ପାଇବେ। ତେଣୁ ଏହାକୁ ଯଥାଶୀଘ୍ର ବାଣ୍ଟିବା ପାଇଁ ମିଲରମାନେ ଚାପ ପକାଉଛନ୍ତି। ଏହାକୁ ନେଇ ବର୍ତ୍ତମାନର ପ୍ରାଶାସନିକ ଅଧିକାରୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଅଖାଦ୍ୟ ଚାଉଳକୁ ଯଦି କ୍ଲିନ୍ଚିଟ୍ ଦିଆଯାଇ ଖାଦ୍ୟ ଯୋଗ୍ୟ ବୋଲି କୁହାଗଲା, ତେବେ ଏତେ ପୁରୁଣା ଚାଉଳ ଲୋକଙ୍କୁ ଦେବା କେତେ ଦୂର ଗ୍ରହଣୀୟ ବୋଲି ଆଲୋଚନା ହେଉଛି।