ଝରିଗାଁ: ବସତି ସ୍ଥାପନ ହୋଇ ୪୦ବର୍ଷ ବିତିବା ପରେ ମଧ୍ୟ  ଗାଁରେ ବିଦ୍ୟୁତ ସେବା ପହଞ୍ଚି ପାରିନି। ତେଣୁ ଜଙ୍ଗଲ ଘେରାରେ ରହୁଥିବା ଗ୍ରାମବାସୀ ବନ୍ୟଜନ୍ତୁ ଭୟରେ ସଂଧ୍ୟା ହେବା ମାତ୍ରେ ତାଟି କବାଟ ବନ୍ଦ କରି ଘର ଭିତରେ ରହୁଛନ୍ତି। ବିଦ୍ୟୁତ ସେବା ନଥିବାରୁ ଗ୍ରାମବାସୀ ଡିବିରି ଆଲୁଅ ଭରସାରେ ରହୁଛନ୍ତି। ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ଏଭଳି ଦୁର୍ବିଷହ ଜୀବନ ବିତାଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କଟ୍ରିଛାପର ପଂଚାୟତ ଅନ୍ତର୍ଗତ  ଦୁର୍ଗମ ଡିପୁଭଟ୍ଟା ଗ୍ରାମବାସୀ।

Advertisment

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକର ବିଭିନ୍ନ ଗ୍ରାମରୁ କିଛି ଲୋକ ଦୀର୍ଘ ୫୦ ବର୍ଷ ତଳେ  ଡିପୁଭଟ୍ଟା ଗ୍ରାମରେ ବସତି ସ୍ଥାପନ କରିଥିଲେ। ବର୍ତ୍ତମାନ ଏହି ଗାଁରେ ପ୍ରାୟ ୪୦ଟି ସନ୍ତା ପରିବାର ରହୁଛନ୍ତି। ଗ୍ରାମବାସୀ ବିଭିନ୍ନ କିସମର ଚାଷ କରି ଜୀବିକା ନିର୍ବାହ କରିଥାନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀ ବିଜୁଳି ଆଲୁଅ ଦେଖିନାହାନ୍ତି। ଏହି ଗାଁ ଠାରୁ ଏକ କିଲୋମିଟର ଦୂରରେ ଥିବା ଧହାଡ଼ାକୋଟ ଗ୍ରାମରେ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ଏହି ଗାଁ ପ୍ରତି ପ୍ରଶାସନର ଦୃ‌ଷ୍ଟି ପଡ଼ିପାରୁନି।କେବଳ ବିଦ୍ୟୁତ ଖୁଣ୍ଟ ପୋତି ପ୍ରଶାସନ ଚୁପ ବସିଥିବା ଗ୍ରାମବାସୀ କହିଛନ୍ତି। ଗାଁ ଚାରିପଟେ ଜଙ୍ଗଲ ଓ ପାହାଡ଼ ଘେରି ରହିଥିବାରୁ ସଂଧ୍ୟା ହେବା ମାତ୍ରେ ବନ୍ୟଜନ୍ତୁ ଭୟ ରହୁଛି। ତେଣୁ ବିଦ୍ୟୁତ ସେବା ନଥିବାରୁ ସଂଧ୍ୟା ହେବା ମାତ୍ରେ ଲୋକେ ତାଟି କବାଟ ବନ୍ଦ କରି ଘର ଭିତରେ ରହୁଛନ୍ତି। ଅନ୍ୟପଟେ ବିଦ୍ୟୁତ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ହେଉଥିବା ବେଳେ ଲୋକେ କେବଳ ଡିବିରି ଆଲୁଅ ଭରସାରେ ରହୁଛନ୍ତି।

ଅନ୍ୟପଟେ ଗ୍ରାମରେ ଗୋଟିଏ ହେଲେ ପୋଖରୀ ନଥିବା ବେଳେ ଗ୍ରାମବାସୀଙ୍କ ବହୁବାର ଦାବି ପରେ ପ୍ରଶାସନ ପକ୍ଷରୁ ଗତକିଛି ମାସ ତଳେ ନୂତନ ପୋଖରୀ ଖନନ ହୋଇଥିଲା।ତେବେ ପୋଖରୀରେ ପାଣି ରହୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଫଳରେ ଗୃହପାଳିତ ପଶୁମାନଙ୍କୁ ଗାଧୋଇବା ସହିତ ଗ୍ରାମବାସୀଙ୍କ ନିତ୍ୟକର୍ମ ସମୟରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ଗ୍ରାମରେ ପୋଖରୀ ପାଣି ନଥିବା ଯୋଗୁଁ ଗ୍ରାମବାସୀ ଗାଁ ଶେଷ ମୁଣ୍ଡରେ ଥିବା ନଦୀ ଉପରେ ନିର୍ଭର କରୁଥିବା କହିଛନ୍ତି।ସେହିପରି ଗ୍ରାମବାସୀ ଜଙ୍ଗଲ ଜମି ପଟ୍ଟା ପାଇଁ ବହୁବାର ପ୍ରଶାସନ ନିକଟରେ ଦାବି କରି ଆସୁଥିବା ବେଳେ ଏଯାବତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗ୍ରାମରେ ବହୁ ଯୋଗ୍ୟ ହିତାଧିକାରୀ ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବାସ ଗୃହ ଏବଂ ଭତ୍ତା ମିଳୁନଥିବା ଅଭିଯୋଗ କରିଛନ୍ତି।

ତେଣୁ ଗାଁରେ ତୁରନ୍ତ ବିଦ୍ୟୁତ ସଂଯୋଗ ଦେବା ସହିତ ନୂତନ ପୋଖରୀ ଖନନ ପାଇଁ ଡିପୁଭଟ୍ଟା ଗ୍ରାମର ଶାକରି ସାନ୍ତା, ଗପ ସାନ୍ତା,ରାମ ସନ୍ତା,ଲଛମନ ସନ୍ତା,ସବନା ସନ୍ତା,ଗବର ସନ୍ତା,ରାତି ସନ୍ତା,ଶିତିଆ ସନ୍ତା,ବରି ସନ୍ତା,କୃଷ୍ଟ ସନ୍ତା,ନକୁଳ ସନ୍ତା,ଶ୍ୟାମ ସନ୍ତା,ଗୁପ୍ତ ସନ୍ତା,କୃଷ୍ଣ ସନ୍ତା ପ୍ରମୁଖ ଦାବି କରିଛନ୍ତି।