ବେକାରୀ ସମସ୍ୟା ନେଇ ଉଦ୍‌ବେଗ

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ନିୟୋଜନ କାର୍ଯ୍ୟାଳୟରେ ୯,୩୭,୨୫୧ ଜଣ ନାମ ପଞ୍ଜୀକରଣ କରିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ନିଯୁକ୍ତି ପାଇଛନ୍ତି ମାତ୍ର ୧,୧୩,୨୫୧। ଅବଶିଷ୍ଟ ୮ ଲକ୍ଷରୁ ଅଧିକ ଯୁବକ, ଯୁବତୀ କାହିଁକି ବେକାର ଅଛନ୍ତି ? ସରକାର ସେମାନଙ୍କ ନିଯୁକ୍ତି ପାଇଁ କ’ଣ କରୁଛନ୍ତି ? କେବିକେ ପରି ଅନଗ୍ରସର ଜିଲ୍ଲାଗୁଡ଼ିକରେ ନିଯୁକ୍ତି ପାଇଁ କ’ଣ ଠୋସ୍ ପଦକ୍ଷେପ ନିଆଯାଉଛି ?

ଆଜି ବିଧାନସଭାର ପ୍ରଶ୍ନକାଳରେ ବିଧାୟକମାନେ ଏମିତି ପ୍ରଶ୍ନ କରିଥିଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କୁ। ପୁଣି ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ବିଭିନ୍ନ ପରାମର୍ଶ ବି ଦେଇଥିଲେ। ପରାମର୍ଶଗୁଡ଼ିକୁ ମନ୍ତ୍ରୀ ସ୍ବାଗତ କରିଥ‌ିଲେ। ନିଯୁକ୍ତି ପାଇଁ ସରକାର କି କି ପଦକ୍ଷେପ ନେଉଛନ୍ତି ତାହା ବର୍ଣ୍ଣନା କରିଥିଲେ।

ମନ୍ତ୍ରୀ କହିଥିଲେ, ରାଜ୍ୟର ଯୁବକ, ଯୁତୀମାନଙ୍କ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ସେମାନଙ୍କର ଦକ୍ଷତା ବିକାଶ ଉପରେ ପ୍ରାଥମିକତା ଦିଆଯାଉଛି। ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ୨୦୧୬-୧୭ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଅଧୀନରେ ବିଗତ ୫ ବର୍ଷରେ ୧୦,୩୮,୩୦୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି। ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ବାରା ପରିଚାଳିତ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ୩୧.୩.୨୦୧୯ ସୁଦ୍ଧା ୮୫,୬୮୦ ଜଣଙ୍କୁ ତାଲିମ ପ୍ରଦାନ କରାଯାଇ ୧୬,୭୭୭ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟରେ ଅଦ୍ୟାବଧି ୨୧୦ଟି ନିଯୁକ୍ତି ମେଳା ଆୟୋଜନ କରାଯାଇ ୧,୧୩,୨୫୧ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଗତ ୫ ବର୍ଷରେ ୨୨ଟି ଆର୍ମି ରିକ୍ରୁଟ୍‌ମେଣ୍ଟ୍‌ ରାଲି ମାଧ୍ୟମରେ ୫,୦୨୭ ଜଣ ସେନାବାହିନୀରେ ନିଯୁକ୍ତି ପାଇଛନ୍ତି। ବିଷ୍ଣୁ ଚରଣ ସେଠୀଙ୍କ ମୂଳ ପ୍ରଶ୍ନ ଉପରେ ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ସାଇ, ସତ୍ୟ ନାରାୟଣ ପ୍ରଧାନ, ସନ୍ତୋଷ ସିଂହ ସାଲୁଜା ଓ ମନୋହର ରାନ୍ଧାରୀ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର