ଭୁବନେଶ୍ବର : ବେକାରୀ ଓ ନିଯୁକ୍ତି ସୃଷ୍ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ସମାଲୋଚନା କରିଛି ବିଜେପି। ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଗତକାଲି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ସରକାରଙ୍କ ବିଫଳତାକୁ ସ୍ବୀକାର କରିଛନ୍ତି। ସ୍କିଲ୍ ମିସନ୍ କଥା କହି ରାଜ୍ୟ ସରକାର ସବୁବେଳେ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି। ମିଛ ତଥ୍ୟ ଦେଇ ପୁରସ୍କାର ନେଉଛନ୍ତି। ହେଲେ ନିଯୁକ୍ତି ସୃଷ୍ଟି ପ୍ରସଙ୍ଗରେ କୌଣସି ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ରାଜ୍ୟରେ ବେରୋଜଗାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦାଦନ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ରାଜ୍ୟ ସରକାର ‘ଇଚ୍ଛାଶକ୍ତି ଅଭାବ’ ଓ ‘ଆନ୍ତରିକତା ଅଭାବ’ ପରି ଦୁଇଟି ରୋଗର ଶୀକାର ହୋଇଛନ୍ତି।
ଶ୍ରୀ ହରିଚନ୍ଦନ ଆହୁରି କହିଛନ୍ତି, ରାଜ୍ୟରେ ମନରେଗା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଶସ୍ୟ ଅମଳ ପରେ ରୋଜଗାର ଅନ୍ବେଷଣରେ ଚାଷୀ କୂଳ ଦାଦନ ଖଟିବା ପାଇଁ ବାହାରକୁ ପଳାୟନ କରୁଛନ୍ତି। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଅଭାବ, ଶିଳ୍ପମାରଣ ନୀତି ଓ ଉତ୍ପୀଡ଼ନ କାରଣରୁ କ୍ଷୁଦ୍ର ଶିଳ୍ପଗୁଡ଼ିକ ମୃତ୍ୟୁ ଶଯ୍ୟାରେ ପଡ଼ିଲେଣି। ଏଥି ପାଇଁ ନୂଆ ଶିଳ୍ପୋଦ୍ୟୋଗୀମାନେ ଶିଳ୍ପ ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ୫ ଲକ୍ଷ କୋଟି ନିବେଶ ଶିଳ୍ପାୟନର ସ୍ବପ୍ନ ଦେଖାଇ ଭୂ୍ଆଁ ବୁଲାଉଥିବା ରାଜ୍ୟ ସରକାର ଗତ ୫ ବର୍ଷରେ କେତେ ସଂଖ୍ୟାରେ ନୂଆ ଶିଳ୍ପ ସୃଷ୍ଟି କରି କେତେ ସଂଖ୍ୟାରେ ନୂଆ ନିଯୁକ୍ତି ସୃଷ୍ଟି କରିଛନ୍ତି, ସେ ନେଇ ଶ୍ବେତପତ୍ର ଜାରି କରନ୍ତୁ। ନିଯୁକ୍ତି ସୃଷ୍ଟି ପ୍ରସଙ୍ଗରେ ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ବେଳ ଥାଉ ଥାଉ ସରକାର ଠିକ୍ ପଦକ୍ଷେପ ଗ୍ରହଣ ନ କଲେ ପରିସ୍ଥିତି ଭୟାନକ ହେବ ବୋଲି ବିଜେପି ଚେତାଇ ଦେଇଛି।