ଭୁବନେଶ୍ୱର: ପ୍ରତିବର୍ଷ ଓଡ଼ିଶାରୁ ୬ରୁ ୭ ହଜାର ଲାଇବ୍ରେରିଆନ୍ ବାହାରୁଛନ୍ତି। କିଏ ସ୍ନାତକରେ ତ ଆଉ କିଏ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରୁଛନ୍ତି। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଡିଗ୍ରି ହାସଲ କରୁଥିଲେ ମଧ୍ୟ ଚାକିରି ପାଉ ନାହାନ୍ତି। ଘରୋଇ କ୍ଷେତ୍ରରେ ଯାହା କିଛି ସୁଯୋଗ ରହିଥିବା ବେଳେ ସରକାରୀ କ୍ଷେତ୍ରରେ ଆଦୌ ପଦବି ସୃଷ୍ଟି ହେଉ ନାହିଁ। ରାଜ୍ୟର ବିଭିନ୍ନ ଶିକ୍ଷାନଷ୍ଠାନ ଓ ଗ୍ରନ୍ଥାଗାରରେ ଖାଲିପଡ଼ିଥିବା ଗ୍ରନ୍ଥାଗାରିକ ପଦବି ପୂରଣ କରିବାକୁ ପୂର୍ବ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇପାରି ନ ଥିଲା। ବର୍ତମାନ ସରକାର ସମୟରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। କ୍ଷମତାକୁ ଆସିବାର ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଆଶାୟୀଙ୍କ ମଧ୍ୟରେ ହତାଶା ଭାବ ସୃଷ୍ଟି ହୋଇଛି। ୪୮୮ ବର୍ଗ ବେସରକାରୀ ମହାବିଦ୍ୟାଳୟ ପାଇଁ ମଞ୍ଜୁରପ୍ରାପ୍ତ ୨୫୭ ସହାୟକ ଲାଇବ୍ରେରିଆନ୍ ପଦବି ମଧ୍ୟରୁ ୧୬୨ ଏବଂ ୧୧୩ଟି କନିଷ୍ଠ ଲାଇବ୍ରେରିଆନ୍ ମଧ୍ୟରୁ ୧୦୧ଟି ଖାଲି ପଡ଼ିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଠାଗାରରେ ଶତାଧିକ ଲାଇବ୍ରେରିଆନ୍ ପଦବି ଖାଲି ପଡିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ସରକାର ସମୟରେ ୧୦୬ଟି ଲାଇବ୍ରେରିଆନ୍ ପଦବି ସୃଷ୍ଟି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଜ୍ଞପ୍ତି ବାହାରିପାରି ନାହିଁ। ବୈଷୟିକ ଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ପଦବିଗୁଡ଼ିକ ପୂରଣ ଦିଗରେ ସରକାରଙ୍କ ଆନ୍ତରିକତା ନ ଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି।
ବିଦ୍ୟାଳୟ, ମହାବିଦ୍ୟାଳୟ ପଦବି ପୂରଣ ହେଉନି
ସେମାନେ କହିଛନ୍ତି ଯେ ଅନେକ ପିଲା ଚାକିରି ଆଶା ନେଇ ଲାଇବ୍ରେରି ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଛନ୍ତି। କିନ୍ତୁ ସାରା ରାଜ୍ୟର ପାଠାଗାରରେ ପଦବି ଖାଲିପଡ଼ିଥିଲେ ମଧ୍ୟ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରାଯାଉ ନାହିଁ। ଇତିମଧ୍ୟରେ ଚାକିରି ଆଶାରେ ଅନେକଙ୍କ ବୟସ ଗଡ଼ିଗଲାଣି। ଜିଲ୍ଲା ପାଠାଗାର, ସମନ୍ବିତ ପାଠାଗାର, ସ୍ମାରକୀ ପାଠାଗାର, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ସହ ଖାଲିଥିବା ପଦବିଗୁଡ଼ିକ ପୂରଣ ହେଉ ନାହିଁ। ବଲାଙ୍ଗୀର, ରାୟଗଡ଼ା, ବାଲେଶ୍ବର, କୋରାପୁଟ, ସୁନ୍ଦରଗଡ଼, କଟକ, ବରଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ, ପୁରୀ, କଳାହାଣ୍ଡି, ଅନୁଗୁଳ ପରି ଜିଲ୍ଲା ପାଠାଗାରରେ ଗ୍ରନ୍ଥାଗାରିକ ପଦବି ଖାଲି ପଡ଼ିଛି। ଭଦ୍ରକ ଓ ଝାରସୁଗୁଡା ଜିଲ୍ଲା ପାଠାଗାର ପାଇଁ କୌଣସି ପଦବି ମଞ୍ଜୁର ହୋଇନାହିଁ।
ଆଶାୟୀମାନେ ଅଭିଯୋଗ କରିଛନ୍ତି ଯେ ପୂର୍ବ ସରକାର ସମୟରେ ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)ରେ ଅତ୍ୟାଧୁନିକ ଲାଇବ୍ରେରି ପ୍ରତିଷ୍ଠା ହୋଇଛି। ପ୍ରାୟ ୭,୫୦୦ ବିଦ୍ୟାଳୟରେ ଲାଇବ୍ରେରି ନିର୍ମାଣ ହୋଇଥିଲେ ମଧ୍ୟ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଲାଇବ୍ରେରିଆନ୍ ନ ଥିବାରୁ ପିଲାମାନେ ପଢ଼ିପାରୁ ନାହାନ୍ତି। ଶିକ୍ଷକମାନେ ପିଲାଙ୍କୁ ସମୟ ଦେଉନାହାନ୍ତି। ବର୍ତ୍ତମାନ ସମୟରେ ବିଦ୍ୟାଳୟ ପାଇଁ ଗ୍ରନ୍ଥାଗାର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପଦକ୍ଷେପ ନେବାକୁ ଆଶାୟୀମାନେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।