କରୋନାଠୁ ବି ବଡ଼ ମହାମାରୀ ବେକାରୀ, ଗୃହରେ ଗର୍ଜିଲେ ବିରୋଧୀ

ଅଭିଯୋଗର ଖଣ୍ଡନ କଲେ ବିଜେଡି ବିଧାୟକ, ନିଯୁକ୍ତି ପାଇଁ ଦକ୍ଷତା ବୃଦ୍ଧିକୁ ଗୁରୁତ୍ବ ଦିଆଯାଉଛି: ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। କରୋନା ମହାମାରୀ ଠାରୁ ବି ଭୟଙ୍କର। କିନ୍ତୁ ରାଜ୍ୟ ସରକାର ବେଫିକର। ରାଜ୍ୟରେ ୧୮ ଲକ୍ଷ ଯୁବକ ଯୁବତୀ ରୋଜଗାନ ନ ପାଇ ବେକାର ବୁଲୁଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବା ସରକାରଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି। ସଚିବାଳୟଠାରୁ ଆରମ୍ଭ କରି ବ୍ଲକ୍‌ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ପଦପଦବି ଖାଲି ପଡ଼ିଛି। ରାଜ୍ୟର ବେକାରୀ ସମସ୍ୟା ନେଇ ଗୃହରେ ଆଜି ମୁଲତବୀ ଆଲୋଚନାରେ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି ବିରୋଧୀ।

‘ଓଡ଼ିଶାରେ ବେକାରୀ ସମସ୍ୟା ସୀମା ଟପିଲା, ସରକାରଙ୍କ ଦକ୍ଷତା ବିକାଶ ଅର୍ଥ ପାଣିରେ ପଡ଼ିଲା’ ଶୀର୍ଷକ ମୁଲତବୀ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ଦେଶ ନିର୍ମାଣ ପାଇଁ ଯୁବଶକ୍ତିର ଆବଶ୍ୟକତା ରହିଛି। ହେଲେ ଓଡ଼ିଶାରେ ଏହା ଦୁର୍ବଳ। ଚାକିରି ପାଇଁ ଦୌଡ଼ି ଦୌଡ଼ି ଯୁବକଯୁବତୀ ହତାଶ ହେଲେଣି। ୟୁଏନ୍‌ଡିପି ଓ ସିଆଇଇ ସଂସ୍ଥା ସହାୟତାରେ ପ୍ରକାଶିତ ଇଣ୍ଡିଆ ସ୍କିଲ୍ ରିପୋର୍ଟରେ ପ୍ରଥମ ୧୦ ରାଜ୍ୟରେ ଓଡ଼ିଶାର ସ୍ଥାନ ନାହିଁ । ଓଡ଼ିଶାରୁ ପ୍ରତି ୩ ଜଣ ଆଶାୟୀଙ୍କ ମଧ୍ୟରୁ ୨ଜଣ ନିଯୁକ୍ତି ଯୋଗ୍ୟ ନୁହନ୍ତି। ମନ୍ତ୍ରୀଙ୍କ ପ୍ରାରମ୍ଭିକ ଉତ୍ତର ଜଣେ ବିକିନି ପିନ୍ଧା ଯୁବତୀ ବୋଲି ତାଚ୍ଛଲ୍ୟ କରି ଶ୍ରୀ ମାଝୀ କହିଥିଲେ, କରୋନା ସମୟରେ ୧୦ ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିଲେ।

ସେମାନଙ୍କର ନା ସ୍କିଲ ମ୍ୟାପିଂ କରାଗଲା ନା ସେମାନଙ୍କୁ ନିଯୁକ୍ତି ମିଳିଲା। ସେମାନେ ପୁଣି ଥରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଗଲେଣି। ପିଲାମାନେ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ୁଥିବା ବେଳେ ନିଯୁକ୍ତି ପାଉ ନ ଥିବାରୁ ଅଭିଭାବକଙ୍କ ଉପରେ ବୋଝ ପଡ଼ୁଛି। ବେକାରୀରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ରହିଲାଣି। ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଥିଲେ, ବର୍ଷକୁ ଦକ୍ଷତା ବିକାଶରେ ୧୩.୩୭ କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ କେତେ ଜଣଙ୍କୁ ନିଯୁକ୍ତି ମିଳିଛି? କୋଭିଡ୍ ସମୟରେ ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତଙ୍କୁ ନିଯୁକ୍ତି ଦିଆଗଲା, ଅନ୍ୟମାନେ ଫେରିଗଲେ। ସରକାର ଚାକିରି କ୍ଷେତ୍ରରେ ବୟସସୀମା ୩୨ ବର୍ଷ ପରିବର୍ତ୍ତେ ୪୫ ବର୍ଷକୁ ବୃଦ୍ଧି କରିବାକୁ ଶ୍ରୀ ମହାଲିଙ୍ଗ ଦାବି କରିଥିଲେ। ସେହିପରି ବିଜେପି ବିଧାୟକ ସୁକାନ୍ତ ନାୟକ କହିଥିଲେ ଯେ ଓଡ଼ିଶା ଅନେକ ପୁରସ୍କାର ପାଉଛି, ହେଲେ ସାଧାରଣ ଇଟାଭାଟି ପାଇଁ ବାହାରୁ ଲୋକ ଆସୁଛନ୍ତି। ଆମ ପିଲାଙ୍କ ମଧ୍ୟରେ ଦକ୍ଷତା କମ୍ ରହିଛି। ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଆ ପିଲାଙ୍କ ଦକ୍ଷତା ସମସ୍ତେ ଜାଣନ୍ତି। ପ୍ରମାଣପତ୍ର ଦକ୍ଷତାର ମାନକ ନୁହେଁ ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ରାଜ୍ୟ ସରକାର ପିଲାଙ୍କ ନିଯୁକ୍ତି ଲାଗି କିଛି କରି ନାହାନ୍ତି। ଅବସର ପରେ ସରକାରୀ ଅଧିକାରୀଙ୍କୁ ଥଇଥାନ କରିବା ଲକ୍ଷ୍ୟରେ ପୁନଃନିଯୁକ୍ତି ଦିଆଯାଉଥିବାରୁ ନୂଆ ପିଲା ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରି ମିଳୁନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ସବୁଠୁ ବେଶି ଦାଦନ ପ୍ରବଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ସମୟରେ ବର୍ଷକୁ ୨ କୋଟି ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ହିସାବରେ ୭ ବର୍ଷ ଶାସନ କାଳରେ ବର୍ତ୍ତମାନ ଦେଶରେ ୧୪ କୋଟି ପିଲା ନିଯୁକ୍ତି ପାଇବା କଥା। ହେଲେ କେତେ ପାଇଛନ୍ତି? ମୁଖ୍ୟମନ୍ତ୍ରୀ ମଧ୍ୟ ବର୍ଷକୁ ୨ ଲକ୍ଷ ନିଯୁକ୍ତି ଦିଆଯିବା କଥା କହିଥିଲେ। କେବଳ କାଗଜ କଲମରେ ନିଯୁକ୍ତି ଦିଆଯାଉଛି।

ଦୃଷ୍ଟି ଆକର୍ଷଣକାରୀ ନୋଟିସ୍ ଜରିଆରେ ବିଜେଡି ବିଧାୟକମାନେ ବିରୋଧୀଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ। ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ କହିଥିଲେ, ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ୨୨ ବର୍ଷ ହେଲା ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି। କଂଗ୍ରେସ ସରକାର ସମୟରେ ସରକାରୀ କର୍ମଚାରୀଙ୍କୁ ବେତନ ଦେବାଲାଗି ଋଣ କରାଯାଉଥିଲା। ହେଲେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ନେବାପରେ ସେ ସ୍ଥିତି ଆଉ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ବହୁ ଶିଳ୍ପସଂସ୍ଥା ଓଡ଼ିଶାକୁ ଆକର୍ଷିତ ହୋଇ ଆସିଛନ୍ତି। ନିକଟରେ ବିଜେପିର ଜଣେ ରାଜ୍ୟସଭା ସାଂସଦ ରାଜ୍ୟସଭାରେ ଓଡ଼ିଶା ସରକାରଙ୍କୁ ଦକ୍ଷତା ବିକାଶ ପ୍ରସଙ୍ଗରେ ପ୍ରଶଂସା କରିଥିଲେ। କରୋନା ମହାମାରୀ ସମୟରେ ରାଜ୍ୟକୁ ଅଧିକ ପୁଞ୍ଜି ଆସିଛି। ୧ ଲକ୍ଷ ୧୭ ହଜାର କୋଟି ଟଙ୍କାର ନିବେଶ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିରୁ ୫୩ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିଛି।

ଆଲୋଚନାର ଉତ୍ତର ଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ପାଇବା ପାଇଁ ସରକାର ଯୁବକ ଯୁବତୀମାନଙ୍କ ଦକ୍ଷତା ବୃଦ୍ଧିକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ସାରା ପୃଥିବୀରେ କୁଶଳୀ ମାନବ ସମ୍ବଳର ଚାହିଦା ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘୋଷିତ ବିଶ୍ବ ଦରବାରରେ ସ୍କିଲ୍ଡ ଇନ୍ ଓଡ଼ିଶା ପ୍ରତିଷ୍ଠିତ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଗତ ୩ ବର୍ଷ ଧରି କେନ୍ଦ୍ର ସରକାରଙ୍କ ଗ୍ରାମୀଣ କୌଶଳ ଯୋଜନାରେ ଓଡ଼ିଶା କ୍ରମାଗତ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ୧୨,୧୬୦ ଆଇଟିଆଇର ସର୍ବଭାରତୀୟ ରାକିଂ ତାଲିକାରେ ଦେଶର ଶ୍ରେଷ୍ଠ ୧୦୦ଟି ଆଇଟିଆଇ ମଧ୍ୟରେ ଓଡ଼ିଶାର ୧୧ଟି ଆଇଟିଆଇ ସ୍ଥାନ ପାଇଛନ୍ତି। ସେହିପରି ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ କେବଳ ଓଡ଼ିଶାର ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ରଖିବା ଓ ଯୁବକ ଯୁବତୀଙ୍କୁ ନିଯୁକ୍ତି ଯୋଗ୍ୟ କରାଯାଇବା ଲକ୍ଷ୍ୟରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ୨୦୧୬-୧୭ ମସିହାରେ ଗଠନ କରାଯାଇଛି। ଏହା ନିରନ୍ତର ଭାବେ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରୁଛି। ଆଗାମୀ ୫ ବର୍ଷରେ ୧ ଲକ୍ଷ ୫୧ ହଜାର ଯୁବକ ଯୁବତୀଙ୍କୁ ଦକ୍ଷତା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ କହିଥିଲେ।

ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବିଧାୟକ ଅଶ୍ବିନୀ ପାତ୍ର, ବିଧାୟିକା ଲତିକା ପ୍ରଧାନ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର