ବେକାରୀ ସମସ୍ୟାର ବିକଳ ଚିତ୍ର : ପଞ୍ଜୀକରଣ କଲେ ୪୨ ହଜାର; ଚାକିରି ପାଇଲେ ୧୩

୨୦୧୫ରେ ୯; ୨୦୧୭ରେ ଶୂନ

କଟକ : ୨୦୧୫ରୁ ୨୦୧୮, ସେପ୍ଟେମ୍ବର ୪୫ମାସ ମଧ୍ୟରେ ଚାକିରି ପାଇଁ ୪୨ହଜାର ବେକାର ଯୁବକଯୁବତୀ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଛନ୍ତି। କିନ୍ତୁୁ ସେମାନଙ୍କ ମଧ୍ୟରୁ ଚାକିରି ପାଇଛନ୍ତି ମାତ୍ର ୧୩ ଜଣ। ନିଯୁକ୍ତି କ୍ଷେତ୍ରରେ ଏଭଳି ନୈରାଶ୍ୟଜନକ ଚିତ୍ର ବିଭିନ୍ନ ମହଲରେ ଉଦ୍‌ବେଗର କାରଣ ହୋଇଛି। କଟକ ଜିଲ୍ଳା ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ ପାଇଁ ସରକାର ନିକଟରେ ଅନ୍‌ଲାଇନ୍‌ ବ୍ୟବସ୍ଥା କରିଛନ୍ତି। ଗତ ଅକ୍ଟୋବର ୧୫ରୁ ଏହି ସୁବିଧା ଆରମ୍ଭ ହୋଇଥିବାବେଳେ ପଞ୍ଜୀକରଣ ହାର ବଢିଥିଲେ ବି ନିଯୁକ୍ତି ସୁଯୋଗ ଅତ୍ୟନ୍ତ ନିରୁତ୍ସାହଜନକ ରହିଛି। ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ରେକର୍ଡ କହୁଛି, ୨୦୧୫ରେ ମୋଟ୍ ୧୦ହଜାର ୯୦୦ଜଣ ଶିକ୍ଷିତ ନାମ ପଞ୍ଜୀକରଣ କରିଥିବାବେଳେ ୯ଜଣ ସେଥିମଧ୍ୟରୁ ଚାକିରି ପାଇଛନ୍ତି। ମେ’ରେ ୪ଜଣ ଚାକିରି ପାଇଥିବାବେଳେ ଜୁନ୍‌ରେ ୩ ଜଣ ଏବଂ ଅଗଷ୍ଟରେ ୨ ଜଣଙ୍କୁ ନିଯୁକ୍ତି ମିଳିଛି। ୨୦୧୬ରେ କିନ୍ତୁ ଏ ସଂଖ୍ୟା ଖସି ୨ରେ ସୀମିତ ରହିଛି। ଏହି ବର୍ଷ ମୋଟ୍ ୯ ହଜାର ୪୬୫ ଜଣଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ଜୁଲାଇ ଓ ଡିସେମ୍ବରରେ ଜଣେ ଲେଖାଏଁ ଚାକିରି ପାଇଛନ୍ତି। ୨୦୧୭ରେ କିନ୍ତୁ ଜଣେ କେହି ବି ଚାକିରି ପାଇନଥିବା ରେକର୍ଡରେ ଉଲ୍ଲେଖ ରହିଛି।

ଚଳିତବ‌ର୍ଷ ୧୨ହଜାର ୬୪୨ଜଣ ବେକାର ଯୁବକଯୁବତୀ ନାମ ପଞ୍ଜୀକରଣ କରିଥିଲେ ହେଁ, କାହାକୁ ନିଯୁକ୍ତି ମିିଳିନାହିଁ। ୨୦୧୮ରେ ଅବଶ୍ୟ ୯ମାସ ଭିତରେ ଦୁଇ ଜଣଙ୍କୁ ଚାକିରି ମିଳିଛି; ଥଇଥାନ ଭିତ୍ତିରେ। ଚଳିତ ସେପ୍ଟେମ୍ବର ସୁଦ୍ଧା ନାମ ପଞ୍ଜୀକୃତ କରିଥିବା ୮ହଜାର ୪୪୬ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ନିଯୁକ୍ତି ମିଳିଛି। ତାହା ପୁଣି ପରିବାରର କାହାର ମୃତ୍ୟୁ ପ‌ରେ ଥଇଥାନ ଭିତ୍ତିରେ ଏ ଚାକିରି ପାଇଛନ୍ତି। ତେବେ ଏ ପ୍ରକାର ଉତ୍କଟ ବେକାରୀ ସମସ୍ୟା ସଂପର୍କରେ କର୍ତୃପକ୍ଷଙ୍କ କହିବା କଥା ହେଉଛି, ନାମ ପଂଜୀକୃତ ହେବା ପରେ ଅନେକ ପିଲା ଚାକିରି ପାଉଥିଲେ ବି ସେମାନେ ଆଉ ଜଣାଉ ନାହାନ୍ତି। ତେଣୁ ପ୍ରକୃତରେ ଚାକିରି ପାଉଥିବା ସଂଖ୍ୟା ଜଣା ପଡ଼ୁନାହିଁ।

ଉଲ୍ଲେଖଯୋଗ୍ୟ, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ଥରେ ନାମ ପଞ୍ଜୀକୃତ କଲେ ତାର ଅବଧି ୩ ବର୍ଷ ରହିଥାଏ। ଅବଶ୍ୟ ଏଥିପାଇଁ ପ୍ରତି ବର୍ଷ ନବୀକରଣ କରିବାକୁ ପଡ଼ିଥାଏ। ଏହି କ୍ରମରେ ପ୍ରତିବର୍ଷ ନବୀକରଣକୁ ମିଶାଇଲେ ମୋଟ୍ ୪୯ହଜାର ୧୮୫ ନାମ ରେଜିଷ୍ଟ୍ରିଭୁକ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର