ଓଡ଼ିଶାର ବେକାରୀ ହାର ସବୁଠୁ କମ୍

ଜାତୀୟ ହାର ୭.୫%ଠୁ କମ୍, ରାଜସ୍ଥାନରେ ସର୍ବାଧିକ ୩୨%, ଓଡ଼ିଶାରେ ସର୍ବନିମ୍ନ ୧%

ଭୁବନେଶ୍ବର : କରୋନା ମହାମାରୀ ଏବଂ ଲକ୍ ଡାଉନ୍ ଯୋଗୁଁ ଦେଶରେ ବେକାରୀ ସମସ୍ୟା ୨୦୨୦ରେ ଭୟଙ୍କର ରୂପ ଧାରଣ କରିଥିଲା। ବ୍ୟବସାୟ ଠପ୍ ହୋଇଯାଇଥିବା ବେଳେ ଅନେକ ଶିଳ୍ପାନୁଷ୍ଠାନ ମଧ୍ୟ ବନ୍ଦ ହୋଇଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟ ଏହାର ମୁକାବିଲା କରି ଏହି ସମସ୍ୟା ଯଥାସମ୍ଭବ ଦୂର କରିବାକୁ ଅନେକ ପଦକ୍ଷେପ ନେଇଥିଲେ। କିଛି ରାଜ୍ୟଙ୍କୁ ଏଥିରେ ସଫଳତା ମଧ୍ୟ ମିଳିଛି। ଏଭଳି ରାଜ୍ୟ ତାଲିକାରେ ଓଡ଼ିଶା ରହିଛି। ବେକାରୀ ସମସ୍ୟାର ମୁକାବିଲାରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ନାମକ ଏକ ଘରୋଇ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି। ସଂସ୍ଥାର ରିପୋର୍ଟ ଅନୁସାରେ ଜାତୀୟ ବେକାରୀ ହାର ୭.୫% ଥିବା ବେଳେ ଓଡ଼ିଶାରେ ଏହି ହାର ରହିଛି ୧%, ଯାହାକି ଦେଶରେ ସବୁଠୁ କମ୍।

ସିଏମ୍‌ଆଇଇ ରିପୋର୍ଟରେ କୁହାଯାଇଛି ଯେ ୨୦୨୦ଠାରୁ ଏପର୍ଯ୍ୟନ୍ତ ଦେଶର ବେକାରୀ ସମସ୍ୟା ଉପରେ ସଂସ୍ଥା ବରାବର ନଜର ରଖି ଆସିଛି। ୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ସର୍ବଭାରତୀୟ ସ୍ତରରେ ଲକ୍‌ଡାଉନ୍ ଘୋଷଣା ହେବାରୁ ବହୁ ଲୋକ ଜୀବିକା ହରାଇଥିଲେ। ତାହାର ପ୍ରଭାବରେ ଓଡ଼ିଶାର ବେକାରୀ ହାର ୨୦୨୦ ଏପ୍ରିଲ୍‌ରେ ୨୩.୮% ଭଳି ଉଚ୍ଚ ସ୍ତରରେ ପହଞ୍ଚିଥିଲା। ସେହିବର୍ଷ ମେ’ରେ ତାହା ୧୧.୪%କୁ ହ୍ରାସ ପାଇଥିଲା। ତା’ ପରଠାରୁ କ୍ରମାଗତ ଭାବେ ରାଜ୍ୟର ବେକାରୀ ସ୍ଥିତିରେ ସୁଧାର ହୋଇଥିଲା। ଦ୍ବିତୀୟ ଲହର ସମୟରେ ପୁଣି ସ୍ଥିତି ବିଗିଡ଼ିଥିଲା। ୨୦୨୧ ମେ’ରେ ରାଜ୍ୟର ବେକାରୀ ହାର ପୁଣି ଥରେ ୭% ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା। ଧୀରେ ଧୀରେ ସେଥିରେ ସୁଧାର ହେବା ସହ ତାହା ୨୦୨୨ ଫେବ୍ରୁଆରିରେ ଏହା ୧%କୁ ହ୍ରାସ ପାଇଛି। ରିପୋର୍ଟରେ ଓଡ଼ିଶାର ପ୍ରଦର୍ଶନର ପ୍ରଶଂସା କରାଯାଇଛି।

ଅନ୍ୟପକ୍ଷରେ ୨୦୨୨ ଫେବ୍ରୁଆରିରେ ଜାତୀୟ ବେକାରୀ ହାର ୭.୫% ଭଳି ଉଚ୍ଚ ସ୍ତରରେ ରହିଛି। ରାଜସ୍ଥାନରେ ବେକାରୀ ହାର ସର୍ବାଧିକ ୩୨.୩% ଥିବା ବେଳେ ଏହା ପଛକୁ ରହିଛି ହରିୟାଣା (୩୧%), ଝାଡ଼ଖଣ୍ଡ (୧୫%), ବିହାର (୧୪%), ଜମ୍ମୁ ଓ କଶ୍ମୀର (୧୩.୨%), ତେଲେଙ୍ଗାନା (୧୨.୯%), ହିମାଚଳପ୍ରଦେଶ (୧୧.୭%), ଗୋଆ (୧୨%) ଓ ଆସାମ (୧୦.୨%)। ଏହି ରାଜ୍ୟଗୁଡ଼ିକର ବେକାରୀ ହାର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଥିବା ବେଳେ ଅନ୍ୟ ସବୁ ରାଜ୍ୟର ହାର ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ରହିଛି। ଓଡ଼ିଶା ବ୍ୟତୀତ ଛତିଶଗଡ଼ (୧.୭%), ମେଘାଳୟ (୧.୪%), ଉତ୍ତରପ୍ରଦେଶ (୨.୭%), କର୍ଣ୍ଣାଟକ (୨%), ଗୁଜରାଟ (୨.୫%) ଓ ତାମିଲନାଡୁ (୩.୨%)ର ବେକାରୀ ହାର ନିମ୍ନ ସ୍ତରରେ ରହିଛି।

ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଟୁଇଟ୍‌ କରି ଜଣାଇଛନ୍ତି ଯେ ସବୁଠୁ କମ୍ ବେକାରୀରେ ଓଡ଼ିଶା ହେଉଛି ଦେଶରେ ପ୍ରଥମ। ଉନ୍ନତି ଓ ରୋଜଗାରରେ ପରିପୂର୍ଣ୍ଣ ଓଡ଼ିଶା ମଡେଲ୍‌କୁ ସାରା ଦେଶରେ ପ୍ରଶଂସା କରାଯାଇଛି ବୋଲି ସେ ଲେଖିଛନ୍ତି।

ସମ୍ବନ୍ଧିତ ଖବର