ଜିଲ୍ଲାପାଳ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା: ମାଡ଼ାମଙ୍କ ଉପରେ ବର୍ଷିଲେ ସାର୍ !

ସମ୍ବଲପୁର : ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଅବକାରୀ ବିଭାଗର ଜଣେ ବରିଷ୍ଠ ମହିଳା ଅଧିକାରୀ ଗୁରୁବାର ଜିଲ୍ଲାପାଳଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଯିବାବେଳେ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ସାଲ୍ୟୁଟ୍ ନମାରିବାରୁ ମାଡ଼ାମଙ୍କ ଉପରେ ପ୍ରବଳ ବର୍ଷିଥିଲେ। ତେବେ, ଉଭୟ ମଧ୍ୟରେ ବେଶ୍‌ କିଛି ସମୟ ଧରି କଥା କଟାକଟି ହୋଇଥିବା ବେଳେ ଏହି ଘଟଶା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଅବକାରୀ ବିଭାଗର ଜଣେ ବରିଷ୍ଠ ମହିଳା ଅଧିକାରୀ ଗତ ୧୪ ତାରିଖ ଦିନ ସମ୍ବଲପୁର ଜିଲ୍ଲାର ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ମହିଳା ଅଧିକାରୀ ଜଣକ ଗୁରୁବାର ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଯାଇଥିଲେ। ଦିନ ୧୧ଟା ୫୦ ପାଖାପାଖି ହେବ। ମହିଳା ଅଧିକାରୀ ଜଣକ ଉପର ମହଲାରେ ଥିବା ଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ଯିବା ପାଇଁ ପାହାଚ ଚଢ଼ୁଥିଲେ। ସେହି ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଅନ୍ୟ ଜଣେ ସାର୍‌( ଜଣେ ବରିଷ୍ଠ ଅଧିକାରୀ) ତଳକୁ ଓଲ୍ଲାଉଥାନ୍ତି। ନୂଆକରି ଯୋଗ ଦେଇଥିବାରୁ ସେ ସାର୍‌ଙ୍କୁ ଚିହ୍ନିନଥିଲେ। ଏପଟେ ସରକାରୀ ପୋଷାକରେ ଥିବା ମାଡ଼ାମ୍ ସାଧାରଣ ସୌଜନ୍ୟ ପ୍ରକାଶ ନକରିବାକୁ ସାର୍‌ ନିଜ ଅପମାନ ହୋଇଥିବା ଭାବି ପ୍ରବଳ ରାଗି ଯାଇଥିଲେ। ରାଗ ତମ ତମ ହୋଇ ସାର୍ ତାଙ୍କୁ ପଚାରିଥିଲେ, ସାଲ୍ୟୁଟ କାହିଁକି କରୁନ? ସାଧାରଣ ପ୍ରଟୋକଲ୍ ଶିଖିନ? ଏଭଳି ପ୍ରଶ୍ନ ଉପରେ ପ୍ରଶ୍ନ। ପାଠ ପଢ଼ାଇ ଚାଲିଲେ ଉପରିସ୍ଥ ଅଧିକାରୀଙ୍କୁ ଦିଆଯାଏ କିଭଳି ସମ୍ମାନ!

ସାର୍‌ଙ୍କ ଏଭଳି ବ୍ୟବହାରରେ ମାଡ଼ାମ ବି ରାଗି ଯାଇଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ପାଟିତୁଣ୍ଡ। ଆପଣ କିଏ ବୋଲି ମାଡ଼ାମ୍ ବାରମ୍ବାର ପଚାରିବା ପରେ ବି ସାର୍‌ କିନ୍ତୁ କିଛି ଶୁଣିନଥିଲେ। ରାଗ ପଞ୍ଚମରେ ଥିବାରୁ ସେ ଗାଳି କରି ଚାଲିଥିଲେ। ପାଟିତୁଣ୍ଡ ଶୁଣି ସେଠାରେ କେତେକ କର୍ମଚାରୀ ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିବା ଲୋକେ ଜମା ହୋଇଯାଇଥିଲେ। ଲୋକଙ୍କ ଭିଡ଼ ଦେଖି ସାର୍‌ ସେଠାରୁ ନିଜ ପ୍ରକୋଷ୍ଠକୁ ଚାଲି ଆସିଥିଲେ। ଏପଟେ ମାଡ଼ାମ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ଆଡ଼କୁ ଅଗ୍ରସର ହୋଇଥିଲେ। ମାଡ଼ାମ ଧଇଁସଇଁ ହେଉଥିବା ଦେଖି ଲୋକେ ତାଙ୍କୁ କିଛି ସମୟ ସେଠାରେ ବସିବାକୁ ଅନୁରୋଧ କରିଥିଲେ। ପାଖରେ ଥିବା ଜଣେ କର୍ମଚାରୀ ଦୌଡ଼ି ଯାଇ ପାଣି ଆଣି ତାଙ୍କୁ ପିଇବାକୁ ଦେଇଥିଲେ। କିଛି ସମୟ ସେଠାରେ ବିଶ୍ରାମ ନେବା ପରେ ସେ ସ୍ବାଭାବିକ ଅବସ୍ଥାକୁ ଫେରିଥିଲେ। ପରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜ କାର୍ଯ୍ୟାଳୟକୁ ଫେରିଥିଲେ। ‌

ତେବେ ଅପରାହ୍‌ଣରେ ଘଟଣାରେ ଆପୋଷ ସମାଧାନ ହୋଇଥିବା ଜଣାପଡ଼ିଛି। ଘଟଣା ସଂକ୍ରାନ୍ତରେ ସଂପୃକ୍ତ ସାର୍‌ଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ମାଡ଼ାମ ଏହି ଘଟଣାକୁ ହାଲୁକା ଭାବେ ନେଇଛନ୍ତି। ମାଡ଼ାମଙ୍କୁ ପଚାରିବାରୁ ସେ କହିଲେ, ଏହା ଏକ ଦୁର୍ଘଟଣା ଥିଲା। ଆଗରୁ ପରିଚୟ ନଥିବା କାରଣରୁ ଏଭଳି ସ୍ଥିତି ଉପୁଜିଥିଲା। ନିକଟରେ ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର ହୋଇଥିବାରୁ ପାହାଚ ଚଢ଼ିବା ବେଳେ ସେ ଟିକିଏ ଧଇଁସଇଁ ହୋଇଯାଆନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର