ତାଳପଦର ଗାଁରେ ଅଭାବନୀୟ ଘଟଣା : ବିଧବାଙ୍କୁ ଅନ୍ୟ ଜାତିର ଯୁବକଙ୍କ ମାଡ଼, ରାତିରେ ବସିଲା କଙ୍ଗାରୁ କୋର୍ଟ, ମହିଳାଙ୍କୁ ଗାଁରୁ ତଡ଼ିଦେଲେ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ତାଳପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ୟ ଜାତିର ଜଣେ ଯୁବକ ଗାଁର ଜଣେ ବିଧବା ମହିଳାଙ୍କୁ ଚାପୁଡ଼ା ମାରିବାରୁ ଏହାକୁ ନେଇ ପଡ଼ାରେ ବୁଧବାର ରାତିରେ କଙ୍ଗାରୁ କୋର୍ଟ ବସି ସଂପୃକ୍ତ ମହିଳାଙ୍କୁ ଗାଁରୁ ତଡ଼ି ଦିଆଯାଇଛି।

ପ୍ରକାଶ ଯେ, ଜୟପାଟଣା ବ୍ଲକ ପାଇକ କେନ୍ଦୁମୁଣ୍ଡି ପଞ୍ଚାୟତର ଆଟିଗାଁ ଗ୍ରାମର ଜଣେ ମହିଳା ଅନେକ ବର୍ଷ ତଳେ ଜୁନାଗଡ଼ ବ୍ଲକ୍‌ ଦାସୀଗାଁ ପଞ୍ଚାୟତ ତାଲପଦର ଗ୍ରାମରେ ବିବାହ କରିଥିଲେ। ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଜନ୍ମ ହେବା ପରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା। ବୁଧବାର ମଧ୍ୟାହ୍ନରେ ଜଣେ ଯୁବକ ଉକ୍ତ ମହିଳାଙ୍କୁ କୌଣସି କାରଣରୁ ଚାପୁଡ଼ା ମାରିଥିଲା। ଅନ୍ୟ ଜାତିର ଲୋକ ତାଙ୍କୁ ଚାପୁଡ଼ା ମାରିଥିବାରୁ ଏହାକୁ ନେଇ ପଡ଼ାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ସନ୍ଧ୍ୟାରେ ପଡ଼ାରେ ଏକ କଙ୍ଗାରୁ କୋର୍ଟ ବସିଥିଲା। ଏଥିରେ ଗାଁରୁ ମହିଳାଙ୍କୁ ତଡ଼ିଦେବାକୁ ନିଷ୍ପତ୍ତି ହୋଇଥିଲା। ପରେ ମହିଳାଙ୍କ ବାପା ଓ ମା’ଙ୍କୁ ଡକାଇ ଉକ୍ତ ବିଧବା ମହିଳାଙ୍କୁ ନେଇଯିବାକୁ ପଡ଼ାବାସୀ ନିର୍ଦେଶ ଦେଇଥିଲେ। ଫଳରେ ବାପା ମା’ ପଡ଼ାବାସୀଙ୍କ ଗର୍ଜନ ଦେଖି ବିରୋଧ ନକରି ବିଧବା ଝିଅ ଓ ତାଙ୍କ କୁନି କୁନି ୩ ଛୁଆଙ୍କୁ ଧରି ନିଜ ଗାଁ ଆଟିଗାଁକୁ ନେଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର