ଅନୁଗୁଳ: ଅନୁଗୁଳ ଜିଲ୍ଲାର ସମସ୍ତ ୮ଟି ଯାକ ପଞ୍ଚାୟତ ସମିତିରେ ଅଛନ୍ତି ବିଜେଡି ସମର୍ଥିତ ଅଧ୍ୟକ୍ଷ। ଗୋଟେ, ଦୁଇଟି ବ୍ଲକ୍‌କୁ ଛାଡ଼ିଦେଲେ ଆଉ ସବୁଠି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ବିଜେଡି। ହେଲେ ରାଜ୍ୟରେ ସରକାର ବଦଳିବା ପରେ ଅଧିକାଂଶ ଅଧ୍ୟକ୍ଷ ଆସନ ଟଳମଳ। ପଡ଼ୋଶୀ ଢେଙ୍କାନାଳରେ ଏକାଧିକ ବ୍ଲକ୍‌ରେ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆସିବା ପରେ ଅନୁଗୁଳରେ ଏହାର ପ୍ରଭାବ ପଡ଼ିଛି। ଏଥିପାଇଁ ଅଧ୍ୟକ୍ଷମାନେ ହାତେ ମାପି ଚାଖଣ୍ଡେ ଚାଲୁଥିଲା ବେଳେ ବିଜେଡି ନେତାମାନେ ଆଶଙ୍କାରେ ରହିଛନ୍ତି। ଅନୁଗୁଳ ବ୍ଲକ୍‌ରେ ୩୪ଟି ପଞ୍ଚାୟତ ରହିଥିଲା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଏଥିରେ ବିଜେଡି ସମର୍ଥିତ ରାଜଶ୍ରୀ ସାହୁ ବି‌ଜୟୀ ହୋଇଥିଲେ। ଏବେ ଅନୁଗୁଳରେ ବିଜେପି ବିଧାୟକ ଜିତିଥିବାରୁ ଅନାସ୍ଥାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏଠାରେ ବିଜେପି ସମର୍ଥିତ ୨୦ରୁ ଅଧିକ ସମିତି ସଭ୍ୟ ରହିଥିବାରୁ ଏହି ଚର୍ଚ୍ଚା ଅଧିକ ବଳ ପାଇଛି। ଏପଟେ ବିଜେଡି ସମର୍ଥିତ କିଛି ସମିତି ସଭ୍ୟ ମଧ୍ୟ ବିଜେପି ସହ ଯୋଗାଯୋଗରେ ରହିଛନ୍ତି। ଅନୁଗୁଳ ବ୍ଲକ୍‌ରେ ଏବେ ବିଜେଡି ନେତାଙ୍କ କଥା ରହୁନି। ଖୋଦ୍‌ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିଜକୁ ଅସହାୟ ମନେ କରୁଛନ୍ତି। ଏଣୁ ବିଜେଡି ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚମାନେ ବିଜେପି ଆଡ଼କୁ ଢଳିବା ଅସ୍ବ‌ାଭାବିକ ଲାଗୁନି। ଏଣୁ ଅନୁଗୁଳ ବ୍ଲକ୍‌ରେ କୌଣସି ସମୟରେ ବି ଅନାସ୍ଥା ପ୍ରସ୍ତାବ ଆସିପାରେ ବୋଲି ଆକଳନ କରାଯାଉଛି।

Advertisment

କେବଳ ଏହି ଗୋଟିଏ ବ୍ଲକ୍‌ ନୁହେଁ; କଣିହାଁରୁ କିଶୋନଗର, ଛେଣ୍ଡିପଦାରୁ ପାଳଲହଡ଼ା ସବୁଠି ଏବେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ବିଶେଷ କରି ଅନୁଗୁଳ, ଛେଣ୍ଡିପଦା ଓ ପାଳଲହଡ଼ା ବିଧାନସଭା କ୍ଷେତ୍ର ଅଧୀନରେ ରହିଥିବା ବ୍ଲକ୍‌ଗୁଡ଼ିକରେ ଏମିତି ସ୍ଥିତି ସୃଷ୍ଟି ହୋଇଛି। ଏହି ୩ ସ୍ଥାନରେ ବିଜେପି ବିଧାୟକ ଥିବାରୁ ସରପଞ୍ଚ ଓ ସମିତି ସଭ୍ୟମାନେ ବିଜେପି ଆଡ଼କୁ ଢଳିବା ସମ୍ଭାବନା ଅଧିକ ରହିଛି। ବଅଁରପାଳ ବ୍ଲକ୍‌ରେ ବିଜେଡି ଓ ବିଜେପିର ପ୍ରାୟ ସମାନ ସଂଖ୍ୟକ ସମିତି ସଭ୍ୟ ରହିଛନ୍ତି। ଟିକିଏ ଏପଟସେପଟ ହେଲେ ଏଠାରେ ବିଜେଡି ସମର୍ଥିତ ଅଧ୍ୟକ୍ଷ ନିଜ ଆସନ ହରାଇବା ଥୟ। ଛେଣ୍ଡିପଦାରେ ଉଭୟ ଦଳର ସମର୍ଥତ ସମିତି ସଭ୍ୟଙ୍କ ଭିତରେ ଫରକ ଅଧିକ ନାହିଁ। ହାତଗଣତି କିଛି ସମିତି ସଭ୍ୟଙ୍କୁ ବିଜେପି ନିଜ ଆଡ଼କୁ ଟାଣି ପାରିଲେ ଏଠାରେ ବି ବିଜେଡି ହାତରୁ ଅଧ୍ୟକ୍ଷ ଆସନ ଖସିଯିବ। ଏପଟେ ତାଳଚେର ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଯୋଜନା ପ୍ରସ୍ତୁତ କଲାଣି ବିଜେପି। ଏମିତି କିଛି ବ୍ଲକ୍‌ରେ ଅନାସ୍ଥା କରି ବିଜେଡି ସମର୍ଥିତ ନେତାଙ୍କୁ ହଟାଇବା ସହ ଆଉ କିଛି ସ୍ଥାନରେ ନିଜ ଦଳରେ ମିଶାଇବାକୁ ଏକପ୍ରକାର ଖସଡ଼ା ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଯୋଜନାବଦ୍ଧ ଭାବେ ‌ଢେଙ୍କାନାଳ ଜିଲ୍ଲାରେ ଏବେ ଅନାସ୍ଥା ପର୍ବ ଚାଲିଛି। ଏହା ପରେ ଅନୁଗୁଳରେ ଏହାର ପ୍ରୟୋଗ ଆରମ୍ଭ ହେବ ବୋଲି ଅନୁମାନ କରୁଛନ୍ତି ରାଜନୈତିକ ବିଶେଷଜ୍ଞ। ଏଥିନେଇ ଜିଲ୍ଲା ବିଜେପି ସଭାପତି ଦିଲେଶ୍ବର ପ୍ରଧାନ କହିଛନ୍ତି ଯେ ଆମେ ପଞ୍ଚାୟତ ସମିତି ଭାଙ୍ଗିବାକୁ କୌଣସି ଯୋଜନା କରିନୁ। ଅଧିକାଂଶ ବ୍ଲକ୍‌ରେ ସମିତି ସଭ୍ୟମାନେ ଅସନ୍ତୁଷ୍ଟ ଥିବାରୁ ଏହାର ପ୍ରଭାବ ଆଗକୁ ଦେଖିବାକୁ ମିଳିପାରେ। ସେହିପରି ଆମ ଦଳକୁ କେହି ଆସିବାକୁ ଆଗ୍ରହ ପ୍ରକାଶ କଲେ ଆମେ ସ୍ବାଗତ କରିବୁ।