ପରୀ ମୃତ୍ୟୁ ମାମଲାରେ ଭିତ୍ତିହୀନ ଅଭିଯୋଗ ଦୁର୍ଭାଗ୍ୟଜନକ: ଓଡ଼ିଶା‌ ପୁଲିସ

ଭୁବନେଶ୍ୱର/କଟକ: ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ପରୀ ମୃତ୍ୟୁର ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି। ସମ୍ପୃକ୍ତ ଗ୍ରାମବାସୀ ତଦନ୍ତକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। କିନ୍ତୁ କିଛି ବ୍ୟକ୍ତି ଏସ୍‌ଆଇଟି ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ କେତେକ ଗଣମାଧ୍ୟମ ମଧ୍ୟ ଉତ୍ସାହିତ କରୁଛନ୍ତି। ଏହାଦ୍ବାରା ତଦନ୍ତକାରୀ ଅଧିକାରୀ ହତୋତ୍ସାହିତ ହେବା ସହ ତଦନ୍ତ ଉପରେ ଏହାର ପ୍ରଭାବ ପଡ଼ୁଛି। ଏପରି ଘଟଣା ଦୁର୍ଭାଗ୍ୟଜନକ ଓ ଅନୈତିକ। ଏଣୁ ଏଭଳି ନ କରିବା ବା କେହି କରୁଥିଲେ, ଉତ୍ସାହିତ ନ କରିବା ପାଇଁ ଓଡ଼ିଶା ପୁଲିସ୍‌ ପକ୍ଷରୁ ଅନୁରୋଧ କରାଯାଇଛି।

ଓଡ଼ିଶା ପୁଲିସ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି, ପରୀ ମାମଲାରେ ଏସ୍‌ଆଇଟି ପ୍ରମାଣ ଯୋଗାଡ଼ କରିବାର ଉଦ୍ୟମ ଜାରି ରଖିଛି। ଏକାଧିକ ଲୋକଙ୍କୁ ପଚରାଉଚରା କରିବା ସହ ଅନେକ ତଥ୍ୟ ପ୍ରମାଣ ମଧ୍ୟ ଯୋଗାଡ଼ କରିଛି। ଫଳରେ ମାମଲାର ତଦନ୍ତରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ଅଧିକାରୀମାନେ ସତ୍ୟ ଉନ୍ମୋଚନ ପାଇଁ ଏକାଗ୍ରତାର ସହ କାମରେ ଲାଗିଛନ୍ତି। ବଡ଼ କଥା ହେଉଛି, ମାମଲାର ଅଗ୍ରଗତି ତଥା ଏସ୍‌ଆଇଟି ତଦନ୍ତକୁ ଖୋଦ୍‌ ହାଇକାର୍ଟ ତଦାରଖ କରୁଛନ୍ତି। ନିୟମିତ ବ୍ୟବଧାନରେ ଏସ୍‌ଆଇଟି କୋର୍ଟରେ ରିପୋର୍ଟ ମଧ୍ୟ ଦାଖଲ କରୁଛି। ଏଣୁ ତଦନ୍ତ ଚାଲିଥିବା ବେ‌ଳେ ତଦନ୍ତକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟକୁ ପ୍ରୋତ୍ସାହନ ନ ଦେବାକୁ ପୁଲିସ ଅନୁରୋଧ କରିଛି। ତଦନ୍ତରେ କୌଣସି ଦିଗକୁ ଏସ୍‌ଆଇଟି ଛାଡ଼ିବ ନାହିଁ। ମାମଲାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ଏସ୍‌ଆଇଟି ପ୍ରତିଶ୍ରୁତିବଦ୍ଧ ବୋଲି ଓଡ଼ିଶା ପୁଲିସ ପକ୍ଷରୁ ଆଶ୍ବାସନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଅପରାଧ ସ୍ବୀକାର କରିନେବା ପାଇଁ ଜଣେ ଯୁବକକୁ ଟଙ୍କା ଲୋଭ ଦିଆଯାଉଥିବା ନେଇ ଚର୍ଚ୍ଚା ହୋଇଥିଲା। କେତେକ ଗଣମାଧ୍ୟମରେ ସମ୍ପୃକ୍ତ ଯୁବକ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ। ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି ପୁଲିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ଯୁବକକୁ କେତେକ ଗଣମାଧ୍ୟମ ପ୍ରୋତ୍ସାହିତ କରୁଥିବା ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧିତ ଖବର