ଭୁବନେଶ୍ବର: ‘ଅଗର୍‌ ସଡ୍‌କେଁ ଖାମୋଶ୍‌ ହୋ ଜାଏଁ ତୋ ସଂସଦ ଆୱାରା ହୋ ଜାଏଗୀ’ (ଯଦି ସଡ଼କ ଚୁପ୍‌ ପଡ଼ିଯିବ, ସଂସଦ ଦିଗ୍‌ଭ୍ରଷ୍ଟ ବାରବୁଲା) ହୋଇଯିବ)। ଡ. ରାମମନୋହର ଲୋହିଆଙ୍କ ଏହି ଉକ୍ତି ଗଣତନ୍ତ୍ରର ମୂଳ ଆଦର୍ଶର ପ୍ରତିଫଳନ। ଏହା ଜଣେ ସାଧାରଣ ନାଗରିକକୁ ବିଧାନସଭା ଆଗରେ ଦାବି ଉପସ୍ଥାପନର ଅଧିକାର ଦିଏ। ନିର୍ବାଚିତ ପ୍ରତିନିଧି ବିଧାନସଭା ଭିତରେ ଥାଇ ଯେଉଁ ସ୍ବର ଉଠାଇ ପାରନ୍ତି ନାହିଁ, ଯେଉଁ ପ୍ରଶ୍ନ ପଚାରି ପାରନ୍ତି ନାହିଁ, ବାହାରେ ଠିଆହୋଇ ସାଧାରଣ ମଣିଷଟିଏ ପୁଲିସ ପଇଁତରା ଭିତରେ ସରକାରଙ୍କୁ କିଭଳି ଜବାବ ମାଗିପାରେ- ଲୋୟର୍‌ ପିଏମ୍‌ଜି ତା’ର ସାକ୍ଷୀ। ଏଥର ମଧ୍ୟ, ଗଲାପାଞ୍ଚ ବର୍ଷ ଭିତରେ ଏଇଠି ନିଜର ଦାବିକୁ ଚିତ୍କାର କରି ଉପସ୍ଥାପନ କରିଥିଲେ ଅନେକ ସଂଗଠନ। ଇତିମଧ୍ୟରେ କିଛି ସଂଗଠନଙ୍କ ଦାବି ପୂରଣ ହୋଇଥିବାବେଳେ ଆଉକିଛିର ବିଚାର ପାଇଁ ପ୍ରତିଶ୍ରୁତି ମିଳିଛି ଅବଶ୍ୟ। କିଛି ଆହୁରି ଅନେକଙ୍କ ସମସ୍ୟାର ସମାଧାନ ହୋଇନାହିଁ। ନିର୍ବାଚନ ତାରିଖ ଘୋଷଣା ହେବା ସହିତ ମାସ ମାସ ଧରି ରାଜ୍ୟର ସବୁଠୁ ପ୍ରସିଦ୍ଧ ଏଇ ଧାରଣାସ୍ଥଳରୁ ଆନ୍ଦୋଳନରତ ଅଧିକାଂଶ ସଙ୍ଗଠନ ଫେରି ଯାଇଛନ୍ତି।
କୋଭିଡ଼ ସମୟରେ ସେମାନେ ଯୋଦ୍ଧା ଥିଲେ। କିନ୍ତୁ କୋଭିଡ଼ ପରେ ସେହି ୧୦ ହଜାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦିଆଗଲା। ଏହାକୁ ବିରୋଧ କରି ଏହି ପୂର୍ବତନ କୋଭିଡ଼ ସ୍ବାସ୍ଥ୍ୟକର୍ମୀମାନେ ୨୦୨୦ ମସିହା ଅକ୍ଟୋବର ମାସରୁ ଲୋୟର୍‌ ପିଏମ୍‌ଜିରେ ଆନ୍ଦୋଳନ ଆରମ୍ଭ କରି ପର୍ଯ୍ୟାୟକ୍ରମରେ ୧୨ ଥର ଧାରଣା ଦେଇ ନିରାଶ ହୋଇଛନ୍ତି। ଶେଷ ଧାରଣା ଆରମ୍ଭ ହୋଇଥିଲା ଗତମାସରୁ। ନିର୍ବାଚନର ଠିକ୍‌ ପୂର୍ବରୁ ସରକାର ସେମାନଙ୍କ କଥା ବିଚାର କରିବେ ବୋଲି ସେମାନେ ଆଶା କରିଥିଲେ। କିଛି ତାହା ନ ହେବାରୁ ୭,୦୦୦ରୁ ଅଧିକ ସ୍ବାସ୍ଥ୍ୟକର୍ମୀ ନିରାଶ ହୋଇଥିବା ଜଣାଇଛନ୍ତି। ସେମିତି ଓଡ଼ିଶା କୃଷକ ସାଥୀ ସଂଘ ଅନୁସାରେ, ରାଜ୍ୟରେ ସେମାନଙ୍କ ସଂଖ୍ୟା ହେଲା ୧୩ ହଜାର ୬୦୦। ପ୍ରଧାନମନ୍ତ୍ରୀ ଫସଲ ବୀମା ଠାରୁ କାଳିଆ ପର୍ଯ୍ୟନ୍ତ ତୃଣମୂଳସ୍ତରରେ କୃଷି ବିଭାଗର ସମସ୍ତ କାର୍ଯ୍ୟ ତାଙ୍କ ଜରିଆରେ ହୁଏ। କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୃଷି କର୍ମଚାରୀ ମାନ୍ୟତା ମିଳିନାହିଁ। ବାର୍ଷିକ ମିଳୁଥିବା ୧୨ ହଜାର ଟଙ୍କାରୁ ୨ ହଜାର ଟଙ୍କା ମଧ୍ୟ ଅଧିକାରୀମାନେ କାଟି ରଖୁଛନ୍ତି। ୭ ଦଫା ଦାବି ନେଇ ସେମାନେ ୧୮ ବର୍ଷ ହେଲା ଆନ୍ଦୋଳନ କରୁଛନ୍ତି।

Advertisment

ଏପରିକି ଲଗାତାର ୪୨ ଦିନ ଧରି ଧାରଣା ମଧ୍ୟ ଦେଇଛନ୍ତି। ସେମାନଙ୍କ ଦାବିକୁ ନେଇ ବିଧାନସଭାରେ ପ୍ରଶ୍ନ ହୋଇଛି। ତେବେ ଆଜି ନିର୍ବାଚନ ତାରିଖ ଘୋଷଣା ସହିତ ଏହି ସରକାରଙ୍କ ଠାରୁ ମଧ୍ୟ ଦାବି ପୂରଣର ଆଶା ସେମାନେ ହରାଇଛନ୍ତି। ଓଡ଼ିଶା ନୂତନ ଅନୁଦାନ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କ ଅନୁସାରେ, ୧୦୭ ଦିନର ଲଗାତାର ଆନ୍ଦୋଳନ ପରେ ସରକାର ପେନ୍‌ସନ୍‌ ବାବଦରେ ଥିବା ଦାବିକୁ ଆଂଶିକ ଶୁଣିଛନ୍ତି। ସେମାନଙ୍କ ପାଇଁ ପେନସନ ନଥିଲା। ଅନେକ ଆନ୍ଦୋଳନ ପରେ କିଛିଦିନ ପୂର୍ବରୁ ସେମାନଙ୍କ ପାଇଁ ‘ୱାନ ଟାଇମ୍‌ ବେନିଫିଟ୍‌’ ଘୋଷିତ ହୋଇଛି। କିନ୍ତୁ ଏହାକୁ ସେମାନେ ଗ୍ରହଣ କରି ନାହାନ୍ତି। ଅଦାଲତର ନିର୍ଦେଶ ଅନୁସାରେ ପେନସନ ରୁଲ-୧୯୮୧ର ପାଳନ ପାଇଁ ଦାବି କରିଛନ୍ତି। କିନ୍ତୁ ନିର୍ବାଚନ ଆଚରଣ ବିଧି ଲାଗୁ ଯୋଗୁଁ ଆନ୍ଦୋଳନ ସ୍ଥଗିତ ରଖିବାର ଘୋଷଣା କରିଛନ୍ତି। ଅନ୍ୟଦିଗରେ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ଦାବି ନେଇ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ୪୯୦ ଦିନ ହେଲା ଏଠାରେ ଦିନରାତି ଧାରଣା ଦେଉଛନ୍ତି। କିନ୍ତୁ ତାଙ୍କ ଦାବି କ୍ୟାବିନେଟ ମଞ୍ଜୁରୀ ପାଇଲା ନାହିଁ। ଏଥିଯୋଗୁଁ ପ୍ରାୟ ୫୦୦ ପରିବାରର ଭବିଷ୍ୟତ ଅନିଶ୍ଚିତ ହୋଇ ପଡ଼ିଛି। ଏମାନଙ୍କ ଦାବି ପୂରଣ ହୋଇନଥିବାରୁ ଆନ୍ଦୋଳନକୁ କେବଳ ସ୍ଥଗିତ କରିଛନ୍ତି, ପ୍ରତ୍ୟାହାର କରି ନାହାନ୍ତି। ସେମିତି ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଥିବା ରାଜସ୍ବ ଅତିରିକ୍ତ ଅସୁଲି ପିଅନ ସଂଘ କହିଛି, ସଂଘ ୨୦୦୩ ମସିହାରୁ ଆନ୍ଦୋଳନ କରୁଛି। ଏଥର ସେମାନେ ଅଗଷ୍ଟ ୮ ତାରିଖରୁ ଲୋୟର୍‌ ପିଏମ୍‌ଜିରେ ଧାରଣା ଦେଇଥିଲେ। କିନ୍ତୁ ଏଥର ବି ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି।

publive-image

ତେବେ ଆଚରଣ ବିଧି ଲାଗୁହେବା ପରେ ମଧ୍ୟ କିଛି ସଂଗଠନ ଧାରଣା ଜାରି ରଖିବେ ବୋଲି କହିଛନ୍ତି। ଯେପରିକି ନାଲ୍‌କୋ ବିସ୍ଥାପିତ ପ୍ରଜାସଂଘ। ଫେବ୍ରୁଆରି ୨ରୁ ଧାରଣା ଦେଉଥିବା ନାଲକୋ ବିସ୍ଥାପିତଙ୍କ ସଙ୍ଗଠନ ମା’ ଦକ୍ଷିଣେଶ୍ବରୀ ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜାସଂଘ ଅନୁସାରେ, ୨୦ ବର୍ଷ ହେବ ନାଲକୋ କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ କରିଛି। କିନ୍ତୁ ବିସ୍ଥାପିତଙ୍କ ସହିତ ହୋଇଥିବା ସର୍ତ୍ତ ପୂରଣ ହୋଇନାହିଁ କି ବିସ୍ଥାପିତ ପରିବାରଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ନାହିଁ। ଏଥିପାଇଁ ୮ ଦଫା ଦାବି ନେଇ ସେମାନେ ଲଢେଇ କରୁଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେବି ସେମାନେ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ପୁଲିସ ସେମାନଙ୍କୁ ଉଠିଯିବା ପାଇଁ ଧମକ ଦେଉଥିବା କହିଛନ୍ତି।

ପସରା ଉଠାଇଲେ ଦୋକାନୀ
ବିଧାନସଭା ଚାଲୁଥିବାବେଳେ ଗୋଟିଏ ବର୍ଷର ଲାଭ କିଛିମାସରେ ମିଳିଯାଏ। ସନ୍ଧ୍ୟାସୁଦ୍ଧା ଗୋଟିଏ ବି ଜିନିଷ ଅବିକ୍ରି ରହେନି। କି ପୁଲିସ୍‌ ଭୟରେ ବାରମ୍ୱାର ଉଠିବାକୁ ପଡ଼େନି। ଆଜି ନିର୍ବାଚନ ତାରିଖ ଘୋଷଣା ହେବାପରେ ପସରା ଉଠାଇ ନେବାବେଳେ ଲୋୟର୍‌ ପିଏମ୍‌ଜିର ଉଠାଦୋକାନୀମାନେ ଏଭଳି କହିଛନ୍ତି। ଉଲ୍ଲେଖନୀୟ ଯେ ଏହି ଧାରଣାସ୍ଥଳ ଧାରଣା ପାଇଁ ଯେତିକି ପରିଚିତ, ଶସ୍ତା ଜିନିଷ ପାଇଁ ସେତିକି ନହେଲେ ବି ଅନେକଟା ପରିଚିତ। ସେଠି ଅତି ଶସ୍ତାଦରରେ ପୋଷକପତ୍ର, ଟୋପି, ମନିପର୍ସ ଠାରୁ ଆରମ୍ଭ କରି ବିଭିନ୍ନ ଫଳ, ଜୁସ୍‌ ଆଦି ସବୁ ଜିନିଷ ମିଳିଯାଏ। ଘରୁ ଅଳ୍ପକିଛି ଜିନିଷ ନେଇ ବିଭିନ୍ନ ଜିଲ୍ଲାରୁ ଲୋକେ ଧାରଣା ବା ବିକ୍ଷୋଭ ପାଇଁ ଏଠାକୁ ଆସୁଥିବାରୁ, ସେମାନେ ନିତ୍ୟବ୍ୟବହାରର ପ୍ରାୟ ସବୁ ଜିନିଷ ଏହିଠାରୁ କିଣନ୍ତି। ଖାଇବା ଓ ପିଇବା ସାମଗ୍ରୀ ତ ସମସ୍ତେ ଦରକାର କରନ୍ତି।

ଅନେକ ବ୍ୟବସାୟୀ ଏଠାରେ ୨୦ ବର୍ଷ ବା ତା’ଠାରୁ ଅଧିକ ସମୟହେଲା ବେପାର କରୁଛନ୍ତି। କିଛି ନୂଆ ମଧ୍ୟ ପ୍ରତିବର୍ଷ ସାମିଲ ହେଉଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା- ଲୋକ ଧାରଣା ଦେଲେ ଆମର ଲାଭ। ଲୋୟର୍‌ ପିଏମ୍‌ଜିରେ ପ୍ରାୟ ୧୦ ବର୍ଷ ଧରି ଆଇସ୍‌କ୍ରିମ୍‌ ବିକ୍ରି କରୁଥିବା ବେପାର କରୁଥିବା ପୀତବାସ ସାହୁ କହିଲେ, ‘‘ବିଧାନସଭା ଆରମ୍ଭ ହେଲାମାନେ ବୁଲିବୁଲି ବେପାର କରିବାର କଷ୍ଟ କମିଲା ବୋଲି ମୁଁ ଭାବେ। ଗୋଟିଏ ଜାଗାରେ ଠିଆହୋଇ ରହିଲେ ବି ସବୁ ଆଇସ୍‌କ୍ରିମ ବିକ୍ରି ହୋଇଯାଏ। ଏପରିକି ବେଳେବେଳେ ଦର ବଢ଼େଇ ଦେଲେ ବି ଲୋକ ନିଅନ୍ତି।’’ ସେହିପରି ଫଳ ବିକ୍ରେତା ବୈଦ୍ୟନାଥ ରାୟ କହନ୍ତି, ‘ମୁଁ ଏଇଠି ପ୍ରାୟ ୨୦ ବର୍ଷ ହେବ ବେପାର କଲିଣି। ଦିନେଦିନେ ଏଠି ସନ୍ଧ୍ୟାସୁଦ୍ଧା ଦଶ ହଜାର ଟଙ୍କାରୁ ଅଧିକ ବ୍ୟବସାୟ ହୋଇଯାଏ।’’
କିନ୍ତୁ ଧାରଣା ଦେଉଥିବା ଲୋକ ଘରମୁହାଁ ହେଉଥିବାରୁ ଏମାନେ ସମସ୍ତେ ବର୍ତ୍ତମାନ ପୁଣି ଆଖପାଖରେ କେଉଁଠି ନୂଆ ଯାଗାଟିଏ ଖୋଜିବା ଆରମ୍ଭ କରି ଦେଇଛନ୍ତି।