ରାଇରଙ୍ଗପୁର: ପ୍ରତେକ ଦିନ ସକାଳୁ ଖବର କାଗଜ ପାଠରେ ଲୋକ ମାନଙ୍କର ଦିନ ଚର୍ଯ୍ୟା ଆରମ୍ବ ହୁଏ, କିନ୍ତୁ ସେହି ଖବର କାଗଜକୁ ଘରେ ଘରେ ପହଞ୍ଚାଉଥିବା ମଣିଷ (ହକର)ଯେ ଅତ୍ୟନ୍ତ ଘୋର ଦୁଃଖ ଓ ଦୁର୍ଦଶାରେ କାଳାତିପାତ କରେ ତାହା ନିଜେ ନ ଦେଖିଲେ ଆଖିକୁ ବିଶ୍ୱାସ କରିହେବ ନାହିଁ। ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଭାବେ ସମ୍ବାଦ ପତ୍ରକୁ ସ୍ଥାନ ଦିଆଯାଇଛି କିନ୍ତୁ ଦୁଃଖର ବିଷୟ ଛାପା ଖବର କାଗଜକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଉଥିବା ‘ହକର’ ଭାବେ ପରିଚିତ ହେଉଥିବା ମଣିଷଟେ ପାଇଁ
ସରକାରଙ୍କ ତରଫରୁ କିଛି ସାହାର୍ଯ୍ୟ ଓ ସୁବିଧା ସୁଯୋଗ ନ ମିଳିବା ଦୁର୍ଭାଗ୍ୟଜନକ କଥା ବୋଲି ବିବେଚିତ ହୁଏ। ବାମନଘାଟି ଉପଖଣ୍ଡ ଉପାନ୍ତ ଅଞ୍ଚଳର ରାଇରଙ୍ଗପୁର ବସଷ୍ଟାଣ୍ଡ ପରିସରରେ ପ୍ରତହଃ ଭୋର ସକାଳ ସମୟରେ ସମସ୍ତ ଖବର କାଗଜ ବିତରକମାନେ ଉପସ୍ଥିତ ରହି କାଗଜ ସଂଗ୍ରହ କରି ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ କରିଥାନ୍ତି। ଦୁଃଖର ବିଷୟ ବର୍ଷକ ବାର ମାସ ବିଶେଷ କରି ବର୍ଷା ସମୟରେ ‘ହକରମାନେ’ ସଦା ତତ୍ପର ସହିତ କର୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିଥାନ୍ତି। ବର୍ଷା ହେବା ମାତ୍ରେ ହକର ଓ ବିତରକମାନେ ପାଖରେ ଥିବା କୌଣସି ଦୋକାନ ଘର ବାରଣ୍ଡା ଓ ଗଛ ମୂଳରେ "ବାର ଦ୍ୱାର ଶୁଣ୍ଢି ପିଣ୍ଡା"ହୋଇ କାର୍ଯ୍ୟ ନିର୍ବାହ କରି ସାଧାରଣ ଲୋକମାନଙ୍କ ପାଖରେ ସକାଳୁ ଖବର କାଗଜ ପହଞ୍ଚାଇବାରେ ଯୋଗ ସୂତ୍ରଧାରୀ ହୋଇଥାନ୍ତି।
ବସଷ୍ଟାଣ୍ଡ ପରିସରରେ ବହୁ ମାତ୍ରାରେ ଜନ ସାଧାରଣଙ୍କ ସମାଗମ ସହିତ ମଦ ଦୋକାନ ସମେତ ବିଭିନ୍ନ ପ୍ରକାରର ଦୋକାନ ମାନଙ୍କର ବର୍ଜ୍ୟ ବସ୍ତୁ ପଡିବା ଫଳରେ ସେହି ଜାଗାଟି ଅତ୍ୟନ୍ତ ଦୁର୍ଗନ୍ଧ ଓ ଅସ୍ୱାସ୍ଥ୍ୟକର, ଅପରିଛନ୍ନ ପରିବେଶ ସୃଷ୍ଟି ହୋଇଥାଏ। ସେଠାରେ ଛିଡା ହେବା କଷ୍ଟକର ଥିଲେ ମଧ୍ୟ ହକର ଭାଇ ମାନେ ସେମାନଙ୍କର କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଏଥିପାଇଁ ପ୍ରଶାସନ ଓ ପୌରପରିଷଦ ତରଫରୁ ବସଷ୍ଟାଣ୍ଡ ପରିସର ମଧ୍ୟରେ" ହକର ଓ ବିତରକ" ମାନଙ୍କ ପାଇଁ ଏକ ସ୍ଥାୟୀ ଗୃହ ଯୋଗାଇ ଦେବା ସହିତ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ବହୁ ବର୍ଷ ଧରି କାର୍ଯ୍ୟକରି ଆସୁଥିବା ବିତରକ ଭାବେ ମନୋଜ ଶର୍ମା, ଜ୍ୟାତିଶ ବାରିକ, ରତିକାନ୍ତ ବେହେରା,ବୀରେନ୍ଦ୍ର ସିଂ (ବଲ୍ଲୁ), ସୁରେଶ ସିଂହ, ବିକାଶ ଶର୍ମା, ଜଗନ୍ନାଥ ମହାନ୍ତ, ଆନନ୍ଦ ଶର୍ମା, ଦୈତାରୀ ମହାନ୍ତ, ଜନ୍ମେଞ୍ଜୟ ଦାସ (ଡିସିଏମ) ପ୍ରମୁଖ କ୍ଷୋଭର ସହ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ କରୋନା ମହାମାରୀ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାତ୍ର ୬ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ତା ସହିତ ହକର୍ ମାନଙ୍କୁ ପରିଚୟ ପତ୍ର ମିଳିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ହକର ମାନଙ୍କୁ କୌଣସି ସହାୟତା ମିଳିନାହିଁ ବୋଲି ହକର ମାନେ କହିଛନ୍ତି। ତେବେ ବର୍ତ୍ତମାନ ରାଜ୍ୟରେ ବିଜେପି ଦଳ ସରକାର ଗଠନ କରିଥିବାରୁ ସରକାରୀ ସହାୟତା ସମେତ ଅନ୍ୟାନ ସୁବିଧା ମିଳିବ ବୋଲି ଆଶା ବାନ୍ଧିଛନ୍ତି।