କୋଇଡା: ସମ୍ବଲପୁର ଅବକାରୀ ଗୁଇନ୍ଦା ସଂସ୍ଥା ଏବଂ ପ୍ରବର୍ତ୍ତନ ଶାଖା ପକ୍ଷରୁ କୋଇଡା ବ୍ଲକ୍ ବିମଳାଗଡ଼ ପଞ୍ଚାୟତର ଫକିରମୁଣ୍ଡା ଗ୍ରାମରେ ଚଢାଉ କରାଯାଇଛି ଏଠାରେ ଏକ ନକଲି ବିଦେଶୀ ମଦ କାରଖାନା ଠାବ କରାଯିବା ସହ ବିପୁଳ ପରିମାଣର ବ୍ରାଣ୍ଡ ଥିବା ନକଲି ମଦ, ତିଆରି ପାଇଁ ଆବଶ୍ୟକୀୟ ସରଞ୍ଜାମ ସହ ବିଭିନ୍ନ ବ୍ରାଣ୍ଡ୍‌ର ରାପର, ଖୋଲା ବୋତଲ ପ୍ରଭୃତି ଜବତ କରାଯାଇଛି। ଦୀର୍ଘଦିନରୁ ଚାଲିଥିବା ଏହି ରାକେଟ ସମ୍ପର୍କରେ ଅବକାରୀ ଗୁଇନ୍ଦା ସଂସ୍ଥା ଗତକାଲି ଖବର ଦେବା ପରେ ଚଢାଉ ହୋଇଥିବା ଜଣାପଡିଛି। ଏହି ରାକେଟ୍‌ରେ ସମ୍ପୃକ୍ତ ଝାରଖଣ୍ଡର ଚନ୍ଦନ କୁମାର, ବିହାରର ବିକ୍ରମ କୁମାର, ବିମଳାଗଡ଼ର ବବନ ଯାଦବ ଓ ଅନନ୍ତ ମହାନ୍ତ ପ୍ରମୂଖ ଚାରିଜଣ ଆଜି ଗିରଫ ହୋଇଛନ୍ତି।

Advertisment

ପଚରାଉଚରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ନିରୀକ୍ଷକ ସଞ୍ଜୀବ ବାର୍ଲା ସୂଚନା ଦେବା ସହ ଅବକାରୀ ନିରୀକ୍ଷକ ଧନଞ୍ଜୟ ପାତ୍ର ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏକ ବର୍ଷ ମଧ୍ୟରେ ଦୁଇଥର ଚଢାଉ କରାଯାଇ ପୂର୍ବରୁ ବଣାଇଁ ସହର ସଂଲଗ୍ନ ଭାଙ୍ଗଡ଼ିହିରେ ଅନୁରୂପ ଭାବେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ହୋଇଥିଲା ଏବେ ପୁଣି ଥରେ ସମାନ ଘଟଣା ଲୋକ ଲୋଚନକୁ ଆସିବା ପରେ ସ୍ଥାନୀୟ ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।