ରାଉରକେଲା: ସହରରେ ବର୍ଷ ବର୍ଷ ଧରି ବିକି ଚାଲିଛି ଏକ୍ସପାଏରୀ ଖାଦ୍ୟ ଓ ଭେଜାଲ ସସ୍‌। ଆର୍‌ଏମ୍‌ସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉ ନଥିବାରୁ ସହରବାସୀଙ୍କୁ ଖାଦ୍ୟ ପରିବର୍ତ୍ତେ ଅଖାଦ୍ୟ ଖାଉଛନ୍ତି। ଫାଷ୍ଟଫୁଡ୍‌ରେ ସସ୍‌ ନାଁରେ ପରସା ଯାଉଛି ବିଷ। ହାତ ଗଣତି କେତୋଟି ଫାଷ୍ଟଫୁଡ୍‌ ଦୋକାନ ଅସଲି ସସ୍‌ ବ୍ୟବହାର କରୁଥିବାବେଳେ ଅଧିକାଂଶ ଦୋକାନୀ ଭେଜାଲ ସସ୍‌ ବ୍ୟବହାର କରୁଛନ୍ତି। ଆଗକୁ ଆସୁଛି ଦୁର୍ଗା, କାଳୀ ଓ ଲକ୍ଷ୍ମୀ ପୂଜା। ଲାଭଖୋର ଦୋକାନୀମାନେ ଅର୍ଥ ରୋଜଗାର ଆଶାରେ ସହରବାସୀଙ୍କୁ ଭେଜାଲ ସସ୍‌ ଦେବେ। ଯାହାର ବୋତଲ୍‌ ପିଛା ଦାମ ରହିଛି ମାତ୍ର ୨୦ରୁ ୩୦ ଟଙ୍କା।

Advertisment

ସହରରେ ରାସ୍ତା ପାର୍ଶ୍ବ, ଫୁଡ୍‌ କୋର୍ଟରେ ଥିବା ଫାଷ୍ଟଫୁଡ୍‌ରେ ବ୍ୟବହାର ହେଉଛି ଭେଜାଲ ସସ୍‌। ଟମ‌ୋଟା, ଚିଲ୍ଲି ସସ୍‌ରେ ତିଆରି ଯେଉଁ ସବୁ ସାମଗ୍ରୀ ବ୍ୟବହାର କରାଯିବା କଥା ତା’ ହେଉ ନାହିଁ। ପଚା ସଢ଼ା ପନିପରିବାରେ ଏସବୁ ସସ୍‌ ତିଆରି ହେଉଛି। ଫ୍ଲେବର ମିଶାଯାଉଥିବାରୁ ଗ୍ରାହକମାନେ ସହଜରେ ଏହା ଅସଲି କି ନକଲି ଜାଣିପାରୁ ନାହାନ୍ତି। ଦୈନିକ ସହର ଓ ଏହା ଆଖପାଖରେ ପାଖାପାଖି ୧୫/୨୦ କ୍ବିଣ୍ଟାଲରୁ ଅଧିକ ଭେଜାଲ୍‌ ସସ୍‌ ଫାଷ୍ଟଫୁଡ୍‌, ବିଭିନ୍ନ ଛୋଟ ହୋଟେଲ, ଢ଼ାବା, ରେଷ୍ଟୁରାଣ୍ଟରେ ବ୍ୟବହାର ହେଉଛି। ଟମାଟୋ ସସ୍‌ରେ ଟମାଟୋ ପରିବର୍ତ୍ତେ ପଚା କଖାରୁ, ଆଳୁ, ଅମୃତଭଣ୍ଡା, ଲାଊ ବ୍ୟବହାର ହେଉଛି। ଚିଲ୍ଲି ସସ୍‌ରେ ପଚା କଖାରୁ, ଲାଲୁ ଓ କଞ୍ଚା ଲଙ୍କା ବ୍ୟବହାର କରାଯାଉଛି।

ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ ୧୫ରୁ ଅଧିକ ଜାଗାରେ ଚାଲିଛି ଭେଜାଲ୍‌ ସସ୍‌ ତିଆରିର କୁଟୀର ଶିଳ୍ପ। ବନ୍ଧମୁଣ୍ଡା, ଜଲଦା, ବାଲୁଘାଟ, ଲୋଟିଆପଡା, ବେଦବ୍ୟାସ, ସେକ୍ଟର-୧୮ ବସ୍ତି, ରେଲୱେ କଲୋନି ମଧୁସୂଦନପାଲି, ଜଗଦା ରେଡିଓ ଷ୍ଟେସନ ନିକଟ, ମହତାବ ରୋଡ ଆର୍‌ଡିଏ ବିଲ୍‌ଡିଂ ପଛ ପାର୍ଶ୍ବ ବସ୍ତି, ସାରନଗରୀ ସମେତ ଅନେକ ସ୍ଥାନରେ ତିଆରି ହେଉଛି। ନାମିଦାମୀ କମ୍ପାନୀର ସସ୍‌ ବୋତଲ୍‌ ବୋତଲ ପିଛା ୮୦ ଟଙ୍କାରୁ ଆରମ୍ଭ କରି ୨୦୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଛି। ସେହି ସମାନ ବୋତଲ ଭେଜାଲ୍‌ ସସ୍‌ ବୋତଲ ପିଛା ମାତ୍ର ୨୦ରୁ ୩୦ ଟଙ୍କା ବିକ୍ରି କରାଯାଉଛି। କେତେକ ସ୍ଥାନରେ ମାତ୍ର ୨୦ ଟଙ୍କାରେ ମଧ୍ୟ ବିକ୍ରି କରି ଦିଆଯାଉଛି। ଏସବୁ ଭେଜାଲ୍‌ ସସ୍‌ ସହର କିଛି ପ୍ରମୁଖ ମାର୍କେଟ ପ୍ଲାଣ୍ଟସାଇଟ୍‌, ଟ୍ରାଫିକ୍ ଗେଟ୍‌, ଇସ୍ପାତ ସେଣ୍ଟ୍ରାଲ ମାର୍କେଟ, ବେଦବ୍ୟାସ, ଫର୍ଟିଲାଇଜର, ବନ୍ଧମୁଣ୍ଡା ଆଦି ସ୍ଥାନରେ ବିକ୍ରି ଦେଉଥିବା ଅଭିଯୋଗ ହେଉଛି। ଫୁଡ୍‌ ଇନ୍ସପେକ୍ଟରମାନେ ଏସବୁ ବଜାରେ ଚଢ଼ଉ କରି ଭେଜାଲ ସସ୍‌ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ନ ହେଲେ କଟକ, ଜଗତପୁର, ବ୍ରହ୍ମପୁର, ଭୁବନେଶ୍ବର ସହର ପରି ରାଉରକେଲା ମଧ୍ୟ ଭେଜାଲ ଟମାଟୋ ଓ ଚିଲି ସସ୍‌ର ହବ୍‌ ପାଲଟିଯିବ, ଏଥିରେ ଦ୍ବିମତ ନାହିଁ।