ୟୁନିଅନ ବ୍ୟାଙ୍କ ଭୁବନେଶ୍ବର ଶାଖାରେ ଠକେଇ ଘଟଣା : ୩ ବ୍ୟାଙ୍କ ଅଧିକାରୀ ଓ ୬ ବିଲ୍‌ଡରଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ବର : ନୂଆପଲ୍ଲୀସ୍ଥିତ ୟୁନିଅନ ବ୍ୟାଙ୍କ ଶାଖାରେ ହୋଇଥିବା ଠକେଇ/ ଋଣ ଜାଲିଆତି ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ। ସିବିଆଇ ପକ୍ଷରୁ ବ୍ୟାଙ୍କର ୩ ଜଣ ବରିଷ୍ଠ ଅଧିକାରୀ ଓ ୬ ଜଣ ବିଲଡରଙ୍କ ବିରୋଧରେ ୩ଟି ମାମଲା ରୁଜୁ କରାଯାଇଛି। ସେମାନେ ହେଲେ ବ୍ୟାଙ୍କର ଚିଫ୍ ମ୍ୟାନେଜର ଭୁବନେଶ୍ବର ମହାପାତ୍ର, ଆସିଷ୍ଟାଣ୍ଟ ମ୍ୟାନେଜର ଅଶ୍ବିନୀ କୁମାର ପାତ୍ର, ମ୍ୟା‌ନେଜର ରାଜେଶ କୁମାର ପଟାଙ୍ଗ। ସେହିପରି ଋଣ ନେଇ ଫେରାର ଥିବା ବିଲ୍‌ଡରମାନେ ହେଲେ ଉମାଶଙ୍କର ପାତ୍ର, ବିଶ୍ବନାଥ ଜେନା, ଆଦିତ୍ୟ କୁମାର ଜେନା, ଅନୁରାଧା ପାତ୍ର, ପୁଷ୍ପାଞ୍ଜଳି ପାତ୍ର, କମଳାରାଣୀ ଜେନା ପ୍ରମୁଖ। ଗତକାଲି ଓ ଆଜି ସିବିଆଇ ଟିମ୍ ଏମାନଙ୍କୁ ଗିରଫ କରିବାକୁ ଭୁବନେଶ୍ବର ସମେତ ରାଜ୍ୟର ୭ଟି ସ୍ଥାନରେ ଚଢ଼ଉ କରିଥିଲା। କିନ୍ତୁ ଏଯାଏ ଏମାନଙ୍କର ପତ୍ତା ପାଇ ନାହିଁ ସିବିଆଇ। ଏମାନଙ୍କ ବିରୋଧରେ ପାଖାପାଖି ୨୪ କୋଟି ୧୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଛି ବୋଲି ସିବିଆଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ସିବିଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏହି ବିଲଡରମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ହାଉସିଂ ପ୍ରୋଜେକ୍ଟ କରିଥିଲେ। ଏଥିପାଇଁ ସେମାନେ ବ୍ୟା‌ଙ୍କରୁ ଋଣ ନେଇଥିଲେ। ପରବର୍ତୀ ସମୟରେ ସେମାନେ ଋଣ ସୁଝି ନ ଥିଲେ। ଏ ନେଇ ବ୍ୟାଙ୍କ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା କି ବିଲଡର ସଂସ୍ଥା ପକ୍ଷରୁ ଜାଲ କାଗଜପତ୍ର ପ୍ରଦାନ କରାଯାଇ ବ୍ୟାଙ୍କରୁ ଋଣ ନିଆଯାଇଥିଲା। ଏଥିରେ ବ୍ୟାଙ୍କର କେତେକ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଥିଲେ। ଶେଷରେ ବ୍ୟାଙ୍କ ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ କରାଯାଇଥିଲା।

କେବଳ ୟୁନିଅନ ବ୍ୟାଙ୍କ ନୁହେଁ; ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ, କପୋର୍ରେସନ ବ୍ୟାଙ୍କ, ସିଡ୍‌ବି ଓ ବ୍ୟାଙ୍କ ଅଫ୍ ବରୋଦାରେ ମଧ୍ୟ ଏଭଳି ଠକେଇ ଅଭିଯୋଗ ହୋଇଛି। ଏ ନେଇ ସିବିଆଇ ପକ୍ଷରୁ ସାରା ଦେଶରେ ୧୬ଟି ମାମଲା ରୁଜୁ ହୋଇଛି। ପାଖାପାଖି ୧୧୩୯ କୋଟି ଠକେଇ ଅଭିଯୋଗ ହୋଇଛି। ଏହି ଠକେଇରେ ବିଭିନ୍ନ ବ୍ୟାଙ୍କର ୩ଶହରୁ ଅଧିକ ବରିଷ୍ଠ ଅଧିକାରୀ ସଂପୃକ୍ତ ଅଛନ୍ତି। ଗତକାଲି ସିବିଆଇ ଭୁବନେଶ୍ବର ସମେତ ସାରା ଦେଶରେ ୬୧ଟି ସ୍ଥାନରେ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର