କେନ୍ଦ୍ର ବଜେଟ୍ ଓଗାଳିଲାଣି ରାଜ୍ୟର ରାସ୍ତା

୭ରେ ମନ୍ତ୍ରୀ ପରିଷଦ ବୈଠକ
ବଜେଟ୍ ଅନୁମୋଦନ ପାଇଁ ଆସିବ
କେନ୍ଦ୍ରରୁ ଓଡ଼ିଶା ଭାଗ କମିବ

ଭୁବନେଶ୍ବର : ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୭ ତାରିଖ ଦିନ ସକାଳ ପୂର୍ବାହ୍ନ ୧୧ଟା ୪୫ରେ ଲୋକସେବା ଭବନରେ ଚିଠା ବଜେଟ୍ ମନ୍ତ୍ରୀ ପରିଷଦର ଅନୁମୋଦନ ପାଇଁ ଆସିବ। ଏଥର ବଜେଟ୍‌ରେ ସେଭଳି କୌଣସି ବଡ଼ ଧରଣର ବା ଆଖି ଝଲସାଇ ଦେବା ଭଳି ଅର୍ଥ ବ୍ୟବସ୍ଥାର ଆଭାସ ମିଳୁନାହିଁ। ବରଂ ଯେଉଁ ସବୁ ପ୍ରକଳ୍ପକୁ ସରକାର ଗ୍ରହଣ କରୁଛନ୍ତି, ତା ଉପରେ ହିଁ କେବଳ ଗୁରୁତ୍ବ ଦିଆଯିବ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଅର୍ଥବରାଦ ଓ ନୂଆ ଯୋଜନାକୁ ଯେତିକି ନୁହେଁ, ‘୫ଟି’ ବଜେଟ୍‌ ତା ଠାରୁ ଅଧିକ ଗୁରୁତ୍ବ ପାଇବ।

ହେଲେ ଅର୍ଥ ବିଭାଗ ସୂତ୍ରରୁ ମିଳୁଥିବା ସୂଚନା ଅନୁସାେର, କେନ୍ଦ୍ର ସରକାର ଗତ ୧ତାରିଖ ସଂସଦରେ ଯେଉଁ ବଜେଟ୍ ଆଗତ କରିଛନ୍ତି, ତାହା ରାଜ୍ୟ ସରକାରଙ୍କ ମୁଣ୍ଡ ଗୋଳମାଳ କରିଦେଇଛି। ବିଶେଷକରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ସାର ରିହାତି, ଖାଦ୍ୟ ରିହାତି, ଗ୍ରାମ୍ୟ ଉନ୍ନୟନ, ନଗରାଞ୍ଚଳ ବିକାଶ, ଶକ୍ତି, ସ୍ବାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ୨୦୧୯-୨୦ ତୁଳନାରେ କମ୍ ଅର୍ଥ ବରାଦ କରିଛନ୍ତି। ଆହୁରି ସ୍ପଷ୍ଟ କରି କହିଲେ, ଏସବୁ କ୍ଷେତ୍ରକୁ ଜିଏସ୍‌ଡିପିରୁ ଯେତିକି ପ୍ରତିଶତ ଗତ ବଜେଟ୍‌ରେ ପ୍ରଦାନ କରାଯାଇଥିଲା, ଏଥର ତା’ଠାରୁ କମ୍ ଅର୍ଥ ବରାଦ ହୋଇଛି।

େକନ୍ଦ୍ର ସରକାରଙ୍କ ବଜେଟ୍‌କୁ ତର୍ଜମା କରିବା ପରେ ରାଜ୍ୟ ସରକାର ଯେଉଁ ତଥ୍ୟ ପାଇଛନ୍ତି, ତାହା ଚମକାଇ ଦେବା ଭଳି। ୨୦୧୯-୨୦ରେ କେନ୍ଦ୍ର ସରକାରଙ୍କ ରାଜସ୍ବ ଆୟ ୯.୩% ଥିବା ବେଳେ ଏଥର ତାହା ୯%କୁ ଖସିଆସିଛି। ଜିଡିପି ତୁଳନାରେ ରାଜସ୍ବ ବ୍ୟୟବରାଦ ୧୧.୬% (୨୦୧୯-୨୦)ରୁ ୧୧.୭% କୁ ବୃଦ୍ଧି ପାଇଛି। ପରିଣାମ ହେଲା, ଗତବର୍ଷ ତୁଳନାରେ ଏଥର ରାଜସ୍ବ ନିଅଣ୍ଟ ୨.୩%ରୁ ୨.୭%କୁ ବୃଦ୍ଧି ପାଇବା ସମ୍ଭାବନା ଅଧିକ। ସାମଗ୍ରିକ ଆର୍ଥିକ ନିଅଣ୍ଟ (ସାମଗ୍ରିକ ଋଣ) ୩.୫%କୁ ବଢିଯାଇଛି, ଯାହା ଗତଥର ୩.୩% ଥିଲା।

କେନ୍ଦ୍ର ସରକାରଙ୍କ ଏହି ବଜେଟ୍ କାରଣରୁ ରାଜ୍ୟ ସରକାରଙ୍କ ଉପରେ ଅସମ୍ଭବ ଆର୍ଥିକ ଚାପ ସୃଷ୍ଟି ହେବ। କାରଣ କ୍ରମାଗତ ଭାବେ ଲକ୍ଷ୍ୟ କରାଯାଉଛି, ସାମଗ୍ରିକ ଟିକସ କ୍ଷେତ୍ରରୁ ଆସୁଥିବା ରାଜସ୍ବରୁ ରାଜ୍ୟ ଅଂଶକୁ କେନ୍ଦ୍ର ସରକାର ଧୀରେ ଧୀରେ କମାଇବାରେ ଲାଗିଛନ୍ତି। ୨୦୧୯-୨୦ରେ ଏହା ୩୨.୮୮% ଥିଲା, ଯାହା ୨୦୨୦-୨୧ରେ ୩୨.୩୬% କୁ କମିଯାଇଛି। ୨୦୧୮ରେ ଏହାର ପରିମାଣ ୩୪.୭୦% ଥିଲା ୨୦୧୭ରେ ୩୫.୨୯%।

ଆହୁରି ସ୍ପଷ୍ଟ ଭାବେ କହିଲେ, ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଅଂଶଧନ ୫୩.୬୧% (୨୦୧୯-୨୦)ରୁ ୫୨.୯୧% (୨୦୨୦-୨୧)କୁ କମିଯାଇଛି। ଏଭଳି ବଜେଟ୍ ଧାରା କେଉଁଠି ନା କେଉଁଠି ଅର୍ଥନୈତିକ ସଂଘୀୟ ବ୍ୟବସ୍ଥାକୁ ପରାହତ କରୁଛି ବା ଚୋଟ ପକାଉଛି ବୋଲି ଅର୍ଥନୀତିଜ୍ଞମାନେ ଅଭିଯୋଗ କଲେଣି। କାରଣ ପ୍ରାୟ ପ୍ରତ୍ୟେକ ଅର୍ଥ କମିସନ ଏହି ଦିଗ ଉପରେ ସ୍ବତନ୍ତ୍ର ନଜର ଦେଇଛନ୍ତି। ହେଲେ ତାର ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ ପଡୁନଥିବା ଲକ୍ଷ୍ୟ କରାଯାଉଛି।

ଓଡ଼ିଶା କ୍ଷେତ୍ରରେ ଏହାର ପ୍ରଭାବ ଅତ୍ୟନ୍ତ ସାଂଘାତିକ ଭାବେ ପଡିଲାଣି। ସାମଗ୍ରିକ ଟିକସରୁ ମିଳୁଥିବା ରାଜସ୍ବରୁ ଓଡ଼ିଶାର ଅଂଶ କମିବାରେ ଲାଗିଛି। ଗତଥର ଏହାର ପରିମାଣ ୧.୫୩% ଥିଲା, ଏଥର ତାହା ୧.୫% କୁ କମିଛି। ୨୦୧୮-୧୯ରେ ଏହାର ପରିମାଣ ୧.୫୭% ଥିଲା। କେବଳ ସେତିକି ନୁହେଁ, କେନ୍ଦ୍ରୀୟ ଟିକସରେ ଓଡ଼ିଶା ଅଂଶକୁ ଯଦି ଆକଳନ କରାଯାଏ, ତେବେ ୨୦୧୯-୨୦ରେ ଓଡ଼ିଶା ୪୩୭୪ େକାଟି ଟଙ୍କା ପାଖାପାଖି ହରାଇଛି। ଚଳିତବର୍ଷ ଏ ବାବଦରେ କେନ୍ଦ୍ରୀୟ ସୂତ୍ରରୁ ୩୭ ହଜାର ୫୬୦ କୋଟି ଟଙ୍କା ମିଳିବାରେ ଥିଲା, ଯେତେବେଳେ କି ସେଂଶାଧିତ ବଜେଟ୍ ଆକଳନରେ ଏହାର ପରିମାଣ ୩୩ ହଜାର ୧୮୬ କୋଟିକୁ କମିଯାଇଛି।

୨୦୨୦-୨୧ରେ କେନ୍ଦ୍ରୀୟ ବଜେଟ୍ ଧାରା ଆଉ ଏକ ବଡ଼ ସଙ୍କେତ ଦେଉଛି। ଅର୍ଥନୀତିଜ୍ଞମାନେ ଆଶଙ୍କା କରୁଛନ୍ତି, କେନ୍ଦ୍ର ସରକାରଙ୍କ ହିସାବ ଏକ ବଢାଚଢା ଆକଳନ ସଂପର୍କରେ ସୂଚାଉଥିବା ପରିପ୍ରେକ୍ଷୀରେ ଆକଳନ ଠାରୁ ଯଥେଷ୍ଟ କମ୍ ଅର୍ଥ ବରାଦ ହେବାର ସମ୍ଭାବନା ଅଧିକ। ଏଭଳି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଯଦି ବଡ଼ ବଜେଟ୍ ସପକ୍ଷରେ ଯିବେ, ତେେବ କେବଳ ପୁସ୍ତିକାରେ ଅର୍ଥରାଶି ଘୋଷଣା ହେବ ସିନା, ବର୍ଷ ଶେଷବେଳକୁ ଅଧିକାଂଶ ପ୍ରକଳ୍ପକୁ ଅର୍ଥ ମିଳିବା କାଠିକର ପାଠ ହୋଇପଡିବ।

ସମ୍ବନ୍ଧିତ ଖବର