ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଦ୍ବାରା ଆଜି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଉପସ୍ଥାପିତ ହୋଇଥିବା ବଜେଟ୍ ଐତିହାସିକ ଏବଂ ଯୁଗାନ୍ତକାରୀ। ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ବଜେଟକୁ ସ୍ଵାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସ୍ଵାଧୀନତାର ୭୫ ବର୍ଷ ପାଳନ ଅର୍ଥାତ ଅମୃତକାଳର ଏହି ବଜେଟ ଶ୍ରେଷ୍ଠ ଭାରତ ଗଠନର ମୂଳଦୁଆ। ସମାଜର ସବୁ ବର୍ଗଙ୍କ ପାଇଁ ଏହି ବଜେଟରେ ଚିନ୍ତା କରିଛନ୍ତି କେନ୍ଦ୍ର ସରକାର। ମହାମରୀ ସମୟରେ ସମସ୍ତ ଦେଶର ଅର୍ଥନୀତି ସଙ୍କଟ ଦେଇ ଗତି କରୁଛି ହେଲେ ଭାରତ ମଜବୁତ୍ ଅଛି। ସଫଳତାର ସହ ଟିକାକରଣ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଓ ବିତ୍ତ ମନ୍ତ୍ରୀଙ୍କୁ ଧନ୍ୟବାଦ।
ରାଜ୍ୟ ବିଜେପି ସଭାପତି କହିଛନ୍ତି, ଓଡ଼ିଶାବାସୀଙ୍କୁ ଅନେକ ସୁଫଳ ମିଳିବ। ତେଣୁ ବଜେଟର କାର୍ଯ୍ୟକାରିତା ମିଶନ ମୋଡ଼ରେ ଗ୍ରାମାଞ୍ଚଳରେ ଫଞ୍ଚାଇବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସାମଗ୍ରୀକ ଭାବେ ଦେଖିଲେ ରୋଜଗାର ସୃଷ୍ଟି ପାଇଁ ନିବେଶ ବ୍ୟବସ୍ଥା ହୋଇଛି ଯାହା ଦ୍ଵାରା ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଚାଷୀ ମାନଙ୍କ ପାଇଁ ବଜାର ବ୍ୟବସ୍ଥା ଓ ଟେକ୍ନୋଲୋଜି ବ୍ୟବହାର କରି ଖର୍ଚ୍ଚ କମାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ମହିଳା ସଶକ୍ତିକରଣ ପାଇଁ ବ୍ୟାପକ ବ୍ୟୟବରାଦ ହୋଇଛି। ଏଥିରୁ ରାଜ୍ୟର ୭୦ ଲକ୍ଷ ମହିଳା ଗୋଷ୍ଠୀର ମହିଳା ମାନେ ଫାଇଦା ପାଇବେ। ସେମାନଙ୍କୁ ଆଗକୁ ଆୟକର ଦାତାରେ ତାଲିକାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସେହିପରି ନୂଆ ଭାରତର ନୂଆ ନାଗରିକ ସୃଷ୍ଟି ପାଇଁ ପ୍ରି ସ୍କୁଲ ଅର୍ଥାତ ଅଙ୍ଗନୱାଡ଼ି ଉନ୍ନତିକରଣ ପାଇଁ ବ୍ୟବସ୍ଥା ହୋଇଛି। ବ୍ୟାପକ ଭାବରେ ଏକଲବ୍ୟ ସ୍କୁଲ ସଂଖ୍ୟା ବଢିବାକୁ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ବ୍ୟୟବରାଦ ହୋଇଛି, ଓଡ଼ିଶାର ଅନେକ ଗରିବ ଲୋକ ତାର ଫାଇଦା ପାଇବେ। କିନ୍ତୁ ରାଜ୍ୟ ସରକାର ରାଜନୀତି ନକରି ଯୋଗ୍ୟ ଲୋକ କେମିତି ପାଇବେ ସେଥି ପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।
ପଞ୍ଚାୟତ ଓ ବ୍ଳକ୍ ପ୍ରତିନିଧି ମାନଙ୍କୁ ପଞ୍ଚଦଶ ଅର୍ଥ କମିସନର ୨୦ ପ୍ରତିଶତ ଓ ଜିଲ୍ଳା ପରିଷଦ ସଭ୍ୟ ମାନଙ୍କୁ ୧୦ ପ୍ରତିଶତ ଖର୍ଚ୍ଚ କରିବାକୁ କ୍ଷମତା ଦିଆଯିବା ସେମାନଙ୍କ ପ୍ରତି ଉପହାର। ଗ୍ରାମାଞ୍ଚଳରେ ଜୀବନଧାରଣ ଉନ୍ନତ କରିବାରେ ସହାୟକ ହେବ। ଗତି ଶକ୍ତି ମିଶନ ମୋଡ଼ରେ କାମ ହୋଇଛି ଓଡ଼ିଶାରେ ୫ ହଜାର ୭୫୦ କିମି ରାସ୍ତା ହୋଇଛି। ଏଥି ପାଇଁ ଏବଂ ଜଳପଥ ପାଇଁ ବି ବ୍ୟୟବରାଦ ହୋଇଛି। ପ୍ରତ୍ୟେକ ଘରକୁ ପାଣି ଯୋଗାଇବା ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି।
୪୦୦ ବନ୍ଦେ ମାତରମ୍ ଟ୍ରେନ୍ ଚଲାଇବାକୁ ବ୍ୟବସ୍ଥା ଓଡିଶାକୁ ବି ଅନେକ ମିଳିବ। ପୋଷ୍ଟ ଅଫିସ ଗୁଡିକ ଡ଼ିଜିଟାଲ ନଵୀକରଣ ହେବ ଏଟିଏମ ହେବ। ବ୍ୟାକିଙ୍ଗ ସୁବିଧା ନଥିବା ଅଞ୍ଚଳରେ ଏହାଦ୍ଵାରା ଅନେକ ଉପକୃତ ହେବେ। ୫୦୦୦ ରାଜସ୍ୱ ଗ୍ରାମକୁ ଅପଟିକାଲ ଫାଇବର ସହ ଯୋଡ଼ିବାକୁ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଭୁଷୁଡ଼ି ପଡିଥିବା ସମବାୟ ସଂସ୍ଥା ଗୁଡିକୁ ସୁଦୃଢ କରିବାକୁ ଏହି ବଜେଟରେ ବ୍ୟବସ୍ଥା ହୋଇଛି। ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ଓ ବିତ୍ତ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହି ବଜେଟର ଫାଇଦା ତୀବ୍ର ଗତିରେ ରାଜ୍ୟର ପ୍ରତି ଲୋକ ପାଖରେ ଫହଞ୍ଚାଇବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ସମୀର ମହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Sameer-Mohanty.jpgf_.jpg)