ଏମ୍‌ଏସ୍‌ପିକୁ ସ୍ୱାଗତ, ଆକଳନ ନିୟମାବଳିକୁ ଅପେକ୍ଷା
କେବିକେ ଏବଂ ଅନ୍ୟାନ୍ୟ ଆଦିବାସୀ ଅଞ୍ଚଳକୁ ଉପେକ୍ଷା
ଜଳସେଚନରେ ନାମମାତ୍ର ବୃଦ୍ଧି ନେଇ ଉଦ୍‌ବେଗ
ଓଡ଼ିଶାରେ ରେଳ ଖର୍ଚ ୬୦%ରୁ କମ୍‌ ଆଶଙ୍କା

Advertisment

ଭୁବନେଶ୍ୱର : ଆଜି ଲୋକସଭାରେ ଉପସ୍ଥାପିତ କେନ୍ଦ୍ରୀୟ ବଜେଟ୍‌ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଡ଼ା-ମିଠା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ବଜେଟ୍‌ରେ ଉପସ୍ଥାପିତ କିଛି ବ୍ୟବସ୍ଥାକୁ ସେ ସ୍ୱାଗତ କରିଛନ୍ତି। କିନ୍ତୁ ଅଧିକାଂଶ ପ୍ରସଙ୍ଗରେ ସେ ରୋକ୍‌ଠୋକ୍‌ ଜଣାଇ ଦେଇଛନ୍ତି ତାଙ୍କର ଗଭୀର ଅସନ୍ତୋଷ। ସେହିପରି ସାଧାରଣ ବଜେଟ୍‌ରେ ରେଳ ପାଇଁ ବ୍ୟୟବରାଦ କରାଯାଇଛି। ଏ ନେଇ ସବିଶେଷ ବିବରଣୀ ପ୍ରକାଶ ପାଇନଥିଲେ ମଧ୍ୟ ରାଜ୍ୟର ଦାବି ସଂପର୍କରେ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ।

ଧାନ ସହିତ ବିଭିନ୍ନ ଶସ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)କୁ ଉତ୍ପାଦନ ଖର୍ଚର ଦେଢ଼ଗୁଣ କରିବାକୁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ସରକାର ଏହି ଦାବି ହୋଇଆସୁଛି। ବଜେଟ୍‌ରେ ଏଭଳି ଘୋଷଣା କରାଯାଇଥିବାରୁ ମନେ ହେଉଛି ଯେ ତାଙ୍କ ସରକାରଙ୍କ ଦାବି ହିଁ ଗୃହୀତ ହୋଇଛି। ଏଣୁ ସେ ଖୁସୀ। ତେବେ ଶସ୍ୟ(ଧାନ)ର ଉତ୍ପାଦନ ଖର୍ଚ ଆକଳନ କଲାବେଳେ ଚାଷୀଙ୍କ ପ୍ରକୃତ ଖର୍ଚକୁ ବାସ୍ତବତା ଭିତ୍ତିରେ ହିସାବ କରିବା ପାଇଁ ସେ ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସେ ସ୍ୱାଗତ କରୁଛନ୍ତି। ଏହା ସତ୍ତ୍ୱେ ଏମ୍‌ଏସ୍‌ପି ଆକଳନ ନେଇ କେଉଁ ନିୟମାବଳୀ ଅବଲମ୍ବନ କରାଯାଉଛି, ତା’ ଉପରେ ସେ ଦୃଷ୍ଟି ରଖିଥିବା ପ୍ରକାଶ କରିଛନ୍ତି।

ସେହିଭଳି ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ୧୦ କୋଟି ଗରିବ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ୧୦ କୋଟିର ଲକ୍ଷ୍ୟ ପରିବର୍ତେ ଏହି ଯୋଜନାକୁ ସାର୍ବଜନୀନ କରି ସମସ୍ତ ଯୋଗ୍ୟ ଗରିବ ପରିବାରଙ୍କୁ ସାମିଲ କରାଗଲେ ଆହୁରି ଭଲ ହେବ। ଏଭଳି ପଦକ୍ଷେପ ନିଆଗଲେ, ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ସମର୍ଥନ କରିବାକୁ ପ୍ରସ୍ତୁତ। ଏଥର ବି କେବିକେ ଓ ଅନ୍ୟାନ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପ୍ରତି କେନ୍ଦ୍ର ସରକାରଙ୍କ ଆଦୌ ଦୃଷ୍ଟି ପଡ଼ି ନ ଥିବା ଦର୍ଶାଇ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ବାସ୍ତବରେ ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟାନ୍ୟ ବିପଦଘେରରେ ରହିଥିବା ଅଧିବାସୀମାନଙ୍କ ପାଇଁ ବଜେଟ୍‌ରେ ଆର୍ଥିକ ଆବଣ୍ଟନ ଅତ୍ୟନ୍ତ ନଗଣ୍ୟ ବୋଲି ସେ କହିଛନ୍ତିି।

ସେହିପରି ମନ୍‌ରେଗା, ମଧ୍ୟାହ୍ନ ଭୋଜନ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିସନ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସ୍ୱଳ୍ପ ପରିମାଣର ଅର୍ଥବରାଦ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ ବରାଦ ରାଶି ହ୍ରାସ ପାଇଥିବାରୁ କିପରି ସମସ୍ତଙ୍କୁ ଗୃହ ଯୋଗାଇହେବ ସେ ନେଇ ସେ ବିସ୍ମୟ ପ୍ରକଟ କରିଛନ୍ତି। ପାନୀୟଜଳ କ୍ଷେତ୍ରରେ ଗୁରୁତ୍ୱ ହ୍ରାସ କରାଯାଇଛି। କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ଜଳସେଚନର ବୃହତ୍‌ ଭୂମିକା ରହିଛି। ଏହା ସତ୍ତ୍ୱେ ଏ କ୍ଷେତ୍ରରେ ନାମମାତ୍ର ବୃଦ୍ଧି ଉଦ୍‌ବେଗଜନକ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତିି।

ସେ କହିଛନ୍ତି, ଭାରତୀୟ ରେଳବାଇର ରାଜସ୍ୱ ଅର୍ଜନ କ୍ଷେତ୍ରରେ ଓଡ଼ିଶାର ପ୍ରମୁଖ ଅବଦାନ ରହିଛି। ଏଣୁ, ରାଜ୍ୟ ତା’ର ହକ୍‌ ଅଂଶ ପାଇବା ସ୍ୱାଭାବିକ। ପ୍ରତିଦିନ ରାଜଧାନୀ ଏକ୍ସପ୍ରେସ୍‌ ସମ୍ବଲପୁର ଦେଇ ଚଳାଚଳ, ବଲାଙ୍ଗୀରରୁ ଆଲାହାବାଦ୍‌କୁ ସ୍ୱତନ୍ତ୍ର ଟ୍ରେନ୍‌, ପାଇକ ନେତା ବକ୍ସି ଜଗବନ୍ଧୁଙ୍କ ନାମରେ ମୁମ୍ବାଇକୁ ନୂଆ ଦୈନିକ ଟ୍ରେନ୍‌ ଘୋଷଣା ଏହି ବଜେଟ୍‌ରେ କରିବାକୁ ସେ ଦାବି କରିଛନ୍ତି। ଓଡ଼ିଶା ସରକାରଙ୍କ ଦାବି ଅନୁଯାୟୀ ପ୍ରକୃତ ପକ୍ଷେ ୬୫୦୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ସେ ଦୋହରାଇଛନ୍ତି। ବଜେଟ୍‌ ବ୍ୟୟବରାଦର ୬୦ ପ୍ରତିଶତରୁ କମ୍‌ ଖର୍ଚ ହେବା ନେଇ ସେ ଆଶଙ୍କା ପ୍ରକାଶ କରି ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି କହିିଛନ୍ତି।

ଏଥର ବଜେଟ୍‌ରେ ୬୦୦ ରେଳ ଷ୍ଟେସନର ପୁନଃବିକାଶ କରାଯିବ ବୋଲି ଘୋଷଣା କରାଯାଇଛି। ଦୁଇବର୍ଷ ତଳେ ୪୦୦ ଷ୍ଟେସନର ବିକାଶ କରାଯିବ ବୋଲି କୁହାଯାଇଥିଲା। ଏ କ୍ଷେତ୍ରରେ ପ୍ରକୃତ ପକ୍ଷେ କିଛି ହୋଇନାହିଁ। ଓଡ଼ିଶାରେ ନିର୍ଦିଷ୍ଟ ଭାବେ ୧୨ଟି ରେଳ ଷ୍ଟେସନକୁ ବିକାଶ କରିବା ଉଦ୍ଦେଶ୍ୟରେ ରେଳବାଇ ମନୋନୀତ କରିଥିଲା। ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ନିଜସ୍ୱ ଅର୍ଥ ଏବଂ ମାଗଣା ଜମି ଦେଇ ଭୁବନେଶ୍ୱର ରେଳଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ସତ୍ତ୍ୱେ ରେଳବାଇ କର୍ମକର୍ତାମାନେ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଆଗେଇ ଆସିଲେ ନାହିଁ। ଏହି ବର୍ଷ ରାଜ୍ୟର ଅଧିକ ସଂଖ୍ୟକ ରେଳଷ୍ଟେସନ ଯେପରି ଆଧୁନିକୀକରଣ କାର୍ଯ୍ୟକ୍ରମରେ ସାମିଲ ହେବ ସେ ନେଇ ଆଶାପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବଜେଟ୍‌ ପୂର୍ବରୁ ରେଳବାଇ ମହାରାଷ୍ଟ୍ରର ମରାଠାଓ୍ଵାଡ଼ାରେ କୋଚ୍‌ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା କରିଛି। କିନ୍ତୁ ଶୀତଳାପାଲୀରେ ରାଜ୍ୟ ସରକାର ଯୋଗାଇ ଦେଇଥିବା ୧୦୦ ଏକର ଜମିରେ ୨୦୧୧-୧୨ରେ ମଞ୍ଜୁରି ପାଇଥିବା ଓ୍ଵାଗନ କାରଖାନା ନିର୍ମାଣ ପ୍ରସ୍ତାବ ଶୀତଳ ଭଣ୍ଡାରକୁ ଠେଲିଦେବା ଅତ୍ୟନ୍ତ ନୈରାଶ୍ୟଜନକ। ଏହାକୁ କୋଚ୍‌ ନିର୍ମାଣ କାରଖାନାରେ ପରିଣତ କରିବା ନେଇ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ ବି ଏଭଳି ଦାବିକୁ ଉପେକ୍ଷା କରାଯିବା ଚିନ୍ତାର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତିି।

ଓଡ଼ିଶା ପାଇଁ ନାହିଁ ନୂଆ ରେଳଲାଇନ୍‌!

ରାଜ୍ୟକୁ ମିଳିପାରେ ୧୭% ଅଧିକ ଅର୍ଥ

ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଆଗତ କରିଥିବା ବଜେଟ୍‌ରେ କୌଣସି ନୂଆ ରେଳଲାଇନ୍‌ କିମ୍ବା ଗଜ୍‌ ଲାଇନ୍‌ ଓଡ଼ିଶାକୁ ମିଳିନାହିଁ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କିଛି ପ୍ରକଳ୍ପକୁ ଦୋହରାକରଣ ଓ ବିଦ୍ୟୁତ୍‌କରଣ ଲାଗି କେନ୍ଦ୍ର ସରକାର ଅର୍ଥ ବରାଦ କରିଥିବାର ସୂଚନା ମିଳିଛି। ଆସନ୍ତା ୫ ତାରିଖ ଦିନ ଏ ସଂକ୍ରାନ୍ତ ବିଷଦ ତଥ୍ୟ ରେଳବିଭାଗ ପ୍ରଦାନ କରିବ। ଏହା ବ୍ୟତୀତ କାର୍ଯ୍ୟ ଜାରିରହିଥିବା ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ବରାଦ ହୋଇଛି। ଅନ୍ୟପକ୍ଷରେ ୨୦୧୭-୧୮ବର୍ଷ ତୁଳନାରେ ଏ ବଜେଟ୍‌ରେ ଟିକସ ଆଦି ବାବଦରେ ଓଡ଼ିଶାକୁ ୧୭ ପ୍ରତିଶତ ଅଧିକ ଅର୍ଥ ମିଳିବ ବୋଲି ଆକଳନ କରାଯାଉଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶାକୁ ୩୧ ହଜାର ୨୭୨ କୋଟି ଟଙ୍କା ମିଳିଥିବା ବେଳେ ୨୦୧୮-୧୯ରେ ୩୬ ହଜାର ୫୮୫ କୋଟି ୯୩ ଲକ୍ଷ ଟଙ୍କା ମିଳିବ ବୋଲି ହିସାବ କରାଯାଉଛି।

ଏଠାରେ ଉଲ୍ଲେଖଥାଉକି ରେଳବାଇ କ୍ଷେତ୍ରରେ ବଲାଙ୍ଗୀର-ଦେଓଗାଁ ୧୭.୩୫ କିଲୋମିଟର, ସମ୍ବଲପୁର-ହୀରାକୁଦ ୭.୨୫ କିଲୋମିଟର, ସାଲେଗାଓଁ-ଚାରିବାଟିଆ ୯.୮୬ କିଲୋମିଟର ଦୋହରାକରଣ ପାଇଁ ପ୍ରକଳ୍ପ ମଞ୍ଜୁର ହୋଇଛି। ସେହିଭଳି ଦାମନଯୋଡ଼ି-କାକି୍ରଗୁଡ଼ା ୩୬ କିଲୋମିଟର, ବଲାଙ୍ଗୀର-ଟିଟିଲାଗଡ଼ ୬୫ କିଲୋମିଟର, ବଇଣ୍ଡା-ରେଢ଼ାଖୋଲ-ସମ୍ବଲପୁର ଯାଏ ବିଦ୍ୟୁତକରଣ କରିବା ଲାଗି ଅର୍ଥ ବରାଦ ହୋଇଛି। ଚାରମାଳ-ରେଢ଼ାଖୋଲ ୧୫ କିଲୋମିଟର, ଦେଓଗାଁରୋଡ଼-ସଇଁତଳା ୮.୫୭ କିଲୋମିଟର, ଡୁଙ୍ଗୁରିପାଲ୍ଲୀ-ଖଲିଆପଲ୍ଲୀ ୧୨.୭୭, ହାତିଆ-ଗୋବିନ୍ଦପୁର ୪୧.୨ କିଲୋମିଟର, ଜାମଗାଁ-ବେଲ୍‌ପାହାଡ଼ ୩୩ କିଲୋମିଟର, ଯୁଯୁମରା-ଚାରମାଳ ୧୬.୯୨ କିଲୋମିଟର, କାଲୁଗାଁ-ରାଜଗାଙ୍ଗପୁର ୧୬.୪ କିଲୋମିଟର ରେଳପଥର ଦୋହରାକରଣ ପାଇଁ ମଧ୍ୟ ଅର୍ଥ ବରାଦ ହୋଇଥିବା ସୂଚନା ମିଳିଛି।