ଗୋପାଳପ୍ରସାଦ : କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରାଳୟର ସଚିବ ଡ. ଅନିଲ କୁମାର ଜୈନ ଆଜି ଏମ୍ସିଏଲ୍ର ତାଳଚେରଠାରେ ବାର୍ଷିକ ୨୦ ମିଲିୟନ ଟନ୍(ଏମ୍ଟିପିୱାଇ) କ୍ଷମତାବିଶିଷ୍ଟ ଫାଷ୍ଟ ମାଇଲ କନେକ୍ଟିଭିଟି ପ୍ରୋଜେକ୍ଟ/ରାପିଡ୍ ଲୋଡ଼ିଂ ସିଷ୍ଟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମନ୍ତ୍ରାଳୟର ଅତିରିକ୍ତ ସଚିବ ଏମ୍. ନାଗାରାଜୁ, ଏମ୍ସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି.କେ. ସିହ୍ନା, କୋଲ୍ ଇଣ୍ଡିଆର ନିର୍ଦ୍ଦେଶକ (ବୈଷୟିକ)ବିନୟ ଦୟାଲ ପ୍ରମୁଖ ସଚିବ ଶ୍ରୀ ଜୈନଙ୍କ ଏହି ଦୁଇଦିନିଆ ଓଡ଼ିଶା ଗସ୍ତରେ ସାମିଲ୍ ହୋଇଛନ୍ତି।
ସୋମବାର ସଚିବ ଶ୍ରୀ ଜୈନ ତାଳଚେର ଗସ୍ତରେ ଆସି ଏମ୍ସିଏଲ ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ଖଣି ପରିସରରେ କୋଇଲା ଡେସ୍ପ୍ୟାଚ୍ ପାଇଁ ୨୦ ନିୟୁତ ଟନ୍ (ଏମ୍ଟିପିୱାଇ) କ୍ଷମତାବିଶିଷ୍ଟ ୨୮୦ କୋଟି ଟଙ୍କାର ଏଫ୍ଏମ୍ସି ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି । ଏହି ଅବସରରେ ଏମ୍ସିଏଲ୍ର ନିର୍ଦ୍ଦେଶକ (ବୈଷୟିକ) ଓ.ପି. ସିଂହ, ନିର୍ଦ୍ଦେଶକ(ବିତ୍ତ) କେ.ଆର. ବାସୁଦେବନ୍, ନିର୍ଦ୍ଦେଶକ (କାର୍ମିକ) କେଶବ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଉପଭୋକ୍ତାମାନଙ୍କୁ ଅତିଶୀଘ୍ର କୋଇଲା ପ୍ରେରଣ ନିମନ୍ତେ କମ୍ପାନି ୨୦୨୪ ମସିହା ସୁଦ୍ଧା ୩,୬୦୦ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ଏଫଏମସି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରୁଛି । କୋଇଲା ଖଣିରେ ପରିବେଶ ଅନୁକୂଳ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରିବାରେ ଅଗ୍ରଗାମୀ ଏମ୍ସିଏଲ୍ ବ୍ଲାଷ୍ଟ ଲେସ୍ ମାଇନିଂ କାର୍ଯ୍ୟ ନିମନ୍ତେ ୬୬ଟି ସରଫେସ୍ ମାଇନର୍ସ ପରିଚାଳନା କରୁଛି। ଏହି କମ୍ପାନି ହିଙ୍ଗୁଳା ଏବଂ କଣିହାଁ ଓପନକାଷ୍ଟ ପ୍ରକଳ୍ପରେ ଓଭରବର୍ଡନ (ଓବି)ର ବ୍ଲାଷ୍ଟ ଲେସ୍ ଅପସାରଣ ନିମନ୍ତେ ଭର୍ଟିକାଲ୍ ରିପର୍ସକୁ ସଫଳତାର ସହ ନିୟୋଜିତ କରାଯାଇଥିବା ଏମ୍ସିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି।