ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଜି ଲୋକସେବା ଭବନରେ କେନ୍ଦ୍ର କୋଇଲା ବିଭାଗ ସଚିବ ଅମ୍ରିତ ଲାଲ ମୀନା ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଶ୍ରୀ ମୀନାଙ୍କ ସହ କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ପି.ଏମ୍ ପ୍ରସାଦ ଓ ଏବଂ ନେଭେଲି ଲିଗ୍ନାଇଟ କର୍ପୋରେସନ ଓ ମହାନଦୀ କୋଲଫିଲ୍ଡସର ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏମ୍ସିଏଲ୍ ଓ ଅନ୍ୟାନ୍ୟ କେନ୍ଦ୍ରୀୟ କୋଇଲା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସ୍ଥାନୀୟ ଯୁବକଯୁବତୀ ମାନଙ୍କ ନିଯୁକ୍ତି ଉପରେ ଗୁରୁତ୍ବାରୋପ କରିଥିଲେ। ତାଳଚେର ମେଡିକାଲ କଲେଜକୁ ଏମ୍ସିଏଲ୍ ସହଯୋଗରେ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହାସହିତ କର୍ପୋରେଟ୍ ସାମାଜିକ ଦାୟିତ୍ବ ପାଣ୍ଠିରେ ସ୍ଥାନୀୟ ଅଞ୍ଚଳର ବିକାଶ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶ ପାଇଁ ଏମ୍ସିଏଲ୍ ପାଣ୍ଠି ଯୋଗାଇ ଦେବ ବୋଲି ଜଣାଯାଇଛି।
କେନ୍ଦ୍ର କୋଇଲା ସଚିବ ଶ୍ରୀ ମୀନା କହିଥିଲେ, ଦେଶର ସମୁଦାୟ କୋଇଲା ଉତ୍ପାଦନରୁ ୨୦% କୋଇଲା କେବଳ ଓଡ଼ିଶାରୁ ଉତ୍ପାଦିତ ହେଉଛି। ତେଣୁ ଓଡ଼ିଶାର ବିକାଶରେ କୋଇଲା ମନ୍ତ୍ରଣାଳୟର ପ୍ରତିବଦ୍ଧତା ରହିଛି। ପ୍ରଧାନମନ୍ତ୍ରୀ ଏ ଦିଗରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ଓ ନୂତନ ପ୍ରକଳ୍ପ ସଂପର୍କରେ ସୂଚନା ଦେଇଥିଲେ। ବିଶେଷକରି ନୂତନ ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ପ୍ରଦୁଷଣ ଯଥାସମ୍ଭବ କମ୍ କରିବା ପାଇଁ ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଥିଲେ। ବ୍ୟବହୃତ ଖଣିର ବ୍ୟାକ୍ ଫିଲିଂ ଓ ପୁନରୁଦ୍ଧାର ଉପରେ ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜସ୍ବ ଓ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି.କେ ସିଂହ ଓ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ।