ଜି-୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ: ‘ସର୍ବବ୍ୟାପୀ ଗୁଣାତ୍ମକ ଶିକ୍ଷା ଜାତୀୟ ଶିକ୍ଷାନୀତିର ମୂଳ ଆଧାର’

ଭୁବନେଶ୍ବର : ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ ଶିକ୍ଷା ଓ ଉତ୍ତରଦାୟିତ୍ୱ ଜାତୀୟ ଶିକ୍ଷା ନୀତିର ମୂଳ ଆଧାର ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ‘ଜି-୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକ’ରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତିର ରୂପରେଖ ସଂପର୍କରେ ଅବଗତ କରାଇବା ସହ ଶିକ୍ଷା ମାଧ୍ୟମରେ ଜି-୨୦ ରାଷ୍ଟ୍ର ସମୂହର ଥିବା ସମସ୍ୟାକୁ ମିଳିତ ଭାବେ ସମାଧାନ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ସ୍ଥାୟୀ ବିକାଶ ଲକ୍ଷ୍ୟ ୪(ଏସ୍‌ଡିଜି -୪) ୨୦୩୦ ଲକ୍ଷ୍ୟକୁ ପୂରଣ କରିବାରେ ଭାରତ ପ୍ରାଥମିକତା ଦେଇ ଆସୁଛି । ଭାରତ ଆଜୀବନ ଶିକ୍ଷା ସୁଯୋଗ ପ୍ରଦାନ କରିବା ସହ ଜି-୨୦ର ଦୂରଦୃଷ୍ଟିକୁ ପୂରଣ କରିବା ପାଇଁ କାର୍ଯ୍ୟ କରୁଛି। ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ମାଧ୍ୟମରେ ସ୍ଥାୟୀ, ସମାବେଶୀ ଶିକ୍ଷା ଓ ଦକ୍ଷତା ବିକାଶ ଗଠନ କରିବା ସହ ଶିକ୍ଷଣର ସୃଜନଶୀଳ ଦକ୍ଷତାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛି। ଭାରତରେ ଭର୍ଚୁଆଲ ସ୍କୁଲ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଡିଜିଟାଲ ବିଶ୍ୱବିଦ୍ୟାଳୟ ସ୍ଥାପନାର କାର୍ଯ୍ୟ ଜାରି ରହିଛି। ଆଗାମୀ ଦିନରେ ଭାରତୀୟ ଭାଷାରେ ଶିକ୍ଷା ଆଧାରିତ ୨୬୦ରୁ ଉର୍ଦ୍ଧ୍ୱ ଟିଭି ଚ୍ୟାନେଲ୍ ସ୍ଥାପନ କରାଯିବ।

ଏହି ଅବସରରେ ଶ୍ରୀ ପ୍ରଧାନ ୟୁଏଇର ଶିକ୍ଷା ମନ୍ତ୍ରୀ ଡା. ଅହମ୍ମଦ ବେଲହୋଲ ଅଲ୍ ଫଲାସୀ ଏବଂ ସିଙ୍ଗାପୁରର ଶିକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ମହମ୍ମଦ ଓ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ହମ୍ମଦ ବିନ୍ ମହମ୍ମଦ ଅଲ ସେକ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଛନ୍ତି। ଏହି ତିନି ଦେଶର ଶିକ୍ଷା ମନ୍ତ୍ରୀଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ବଢ଼ାଇବା ଦିଗରେ ଆଲୋଚନା ହୋଇଛି। ଭାରତ ଏବଂ ୟୁଏଇ ଦକ୍ଷତା ଆଧାରିତ ସହଯୋଗକୁ ଅଧିକ ସୁଦୃଢ଼ କରିବା ସହ ଉଭୟ ଦେଶକୁ ସମୃଦ୍ଧ କରିବା ଦିଗରେ ସମ୍ପର୍କକୁ ଆହୁରି ବ୍ୟାପକ କରିବା ପାଇଁ ୟୁଏଇ ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଉଭୟ ସମ୍ମତି ପ୍ରକାଶ କରିଛନ୍ତି । ଏହି ବୈଠକରେ ଶ୍ରୀ ପ୍ରଧାନ ୟୁଏଇରେ ଥିବା ଭାରତୀୟ ଛାତ୍ରଛାତ୍ରୀ ଏବଂ ସେଠାରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କ ସମସ୍ୟା ମଧ୍ୟ ଉପସ୍ଥାପନ କରିଥିଲେ। ଏହାର ଶୀଘ୍ର ଶୀଘ୍ର ସମାଧାନ କରିବା ପାଇଁ ୟୁଏଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ସିଙ୍ଗାପୁର ଶିକ୍ଷାମନ୍ତ୍ରୀଙ୍କ ସହ ଶ୍ରୀ ପ୍ରଧାନ ଭାରତର ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ସିଙ୍ଗାପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଆନୁଷ୍ଠାନିକ ସହଯୋଗ, ଡୁଆଲ ଡିଗ୍ରି, ଯୁଗ୍ମ ଦକ୍ଷତା ପ୍ରମାଣପତ୍ର, ସିଙ୍ଗାପୁରର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଅର୍ଦ୍ଧ କୌଶଳ ପ୍ରବାସୀ ଭାରତୀୟଙ୍କୁ କାର୍ଯ୍ୟ ଅନୁମତି ପ୍ରଦାନ କରାଯିବା ଭଳି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଏହା ବାଦ୍‌ ଶିକ୍ଷା ଏକତ୍ରୀକରଣର ଉତ୍କୃଷ୍ଟ କେନ୍ଦ୍ର ସ୍ଥାପନା, ଦକ୍ଷତା ବିକାଶ, ଶିଳ୍ପ ଅନୁଷ୍ଠାନକୁ ମ୍ୟାପିଂ କରି ଯୁବବର୍ଗଙ୍କୁ ରୋଜଗାର ଆଧାରିତ ଦକ୍ଷତା ବୃଦ୍ଧି କରି ଉଭୟ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ମାନବ ସମ୍ବଳ ପ୍ରସ୍ତୁତ କରିବା ଦିଗରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର