ଭୁବନେଶ୍ବର : ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି। ଥିରେ ପିଏମ ଇ-ବିଦ୍ୟା, ରାଷ୍ଟ୍ରୀୟ ଡିଜିଟାଲ ଶିକ୍ଷା ସୌଧ(ଏନଡିଇଏଆର), ସ୍ବୟମ୍‌ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାମିଲ ରହିଛି। ଏହି ଅବସରରେ ଶିକ୍ଷାରେ ପ୍ରଯୁକ୍ତିର ଅଧିକରୁ ଅଧିକ ଉପଯୋଗ ଉପରେ ଗୁରୁତ୍ବାରୋପ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ଏକ ମୁକ୍ତ, ସମାବେଶୀ ଓ ସହଜଲବ୍ଧ ଶିକ୍ଷା ପ୍ରଯୁକ୍ତିର ଉପଯୋଗ ଦ୍ବାରା ହିଁ ହାସଲ କରାଯାଇପାରିବ। ଦେଶରେ ଏକ ସକ୍ରିୟ ଶିକ୍ଷା ବାତାବରଣ ସୃଷ୍ଟି ହେବା ଦ୍ବାରା ଛାତ୍ରଛାତ୍ରୀଙ୍କ ନିମନ୍ତେ ଅଧିକରୁ ଅଧିକ ଶିକ୍ଷାଲାଭର ସୁଯୋଗ ସୃଷ୍ଟି ହେବ। ଏହା ଫଳରେ ଶିକ୍ଷା କ୍ଷେତ୍ରରେ ଅଭିନବତ୍ବ ଓ ଉଦ୍ୟମିତାକୁ ମଧ୍ୟ ପ୍ରୋତ୍ସାହନ ମିଳିବ। କୋଭିଡ ସମୟରେ ଶିକ୍ଷାକୁ ଡିଜିଟାଲ ମୋଡ ଆଡ଼କୁ ନେବା ପାଇଁ ଏବେ ଅତ୍ୟାବଶ୍ୟକ ହୋଇପଡ଼ିଛି। ତାହାକୁ ନଜରରେ ରଖି ଶିକ୍ଷା ମନ୍ତ୍ରଣାଳୟ ଡିଜିଟାଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଯଦ୍ବାରା ଶିକ୍ଷାର ଧାରାକୁ ଜାରି ରଖାଯାଇପାରିବ।

Advertisment

ଏହି ସମୀକ୍ଷା ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ଓ ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ପ୍ରମୁଖ ସାମିଲ ହୋଇଥିଲେ। ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ପ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ।