ଅନୁଗୁଳ : କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଭଗୱନ୍ଥ ଖୁବା ତାଳଚେର ଫର୍ଟିଲାଇଜର ଲିମିଟେଡ୍(ଟିଏଫ୍ଏଲ୍) ନିର୍ମାଣ ନେଇ ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟର ସମୀକ୍ଷା କରି ଫେରି ଯାଇଛନ୍ତି। ନିର୍ଦ୍ଧାରିତ ସମୟ ଭିତରେ ପାଣି ପାଇପ୍ ଲାଇନ୍ ବିଛାଇବା ଓ କୋଇଲା ଖଣି ସହିତ ରେଳ ସଂଯୋଗୀକରଣ ଉପରେ ସେ ଗୁରୁତ୍ବ ଦେଇଛନ୍ତି।
ଦୁଇଦିନିଆ ତାଳଚେର ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଖୁବା ଆଜି ଫେରିଯିବା ପୂର୍ବରୁ ଟିଏଫ୍ଏଲ୍ ସମ୍ମିଳନୀ କକ୍ଷରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ପରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବ୍ରାହ୍ମଣୀ ନଦୀରୁ ସାର କାରଖାନା ପର୍ଯ୍ୟନ୍ତ ପଡ଼ିବାକୁ ଥିବା ପାଣି ପାଇପ୍ ଲାଇନ୍ କାର୍ଯ୍ୟର ଅଗ୍ରଗତି ଦେଖିବାକୁ ନଦୀକୂଳରେ ଥିବା ପମ୍ପ୍ ହାଉସ୍କୁ ଯାଇଥିଲେ। ନଦୀର ଜଳସ୍ତର ଦେଖିବା ସହିତ ନଦୀରେ ଜଳର ପରିମାଣ ନେଇ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ସେହିପରି ପମ୍ପ୍ହାଉସ୍ଗୁଡ଼ିର କ୍ଷମତା ନେଇ ମଧ୍ୟ ସମୀକ୍ଷା କରିଥିଲେ। ଏହି ପାଇପ୍ ଲାଇନ୍ ୧୩ କିଲୋମିଟର ପଡ଼ୁଥିବାରୁ ଜଳର ବେଗ ନେଇ ମଧ୍ୟ କଥା ହୋଇଥିଲେ। ପରେ ଏମ୍ସିଏଲ୍ର କୋଇଲା ଖଣି ସହିତ ସାର କାରଖାନାକୁ ରେଳ ଲାଇନ୍ ସଂଯୋଗ କରି ରେଳ ଯୋଗେ କୋଇଲା ପରିବହନ ବ୍ୟବସ୍ଥାର ତଦାରଖ କରିଥିଲେ। ପ୍ରସ୍ତାବିତ ରେଳ କରିଡର ନେଇ ଆଲୋଚନା କରିବା ସହ ମନ୍ତ୍ରୀ ଏହି ପ୍ରକଳ୍ପ ବୁଲି ଦେଖିଥିଲେ। ଗତକାଲି ମନ୍ତ୍ରୀ ପ୍ରକଳ୍ପର ଅଗ୍ରଗତି ନେଇ ଅଧିକାରୀସ୍ତରରେ ସମୀକ୍ଷା କରିବା ସହ ନିର୍ଦ୍ଧରିତ ସମୟ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଆନୁଷଙ୍ଗିକ କାର୍ଯ୍ୟର ତଦାରଖ କରିଥିଲେ। ଆସନ୍ତା ୨୦୨୪ ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।