ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କେନ୍ଦ୍ରର ନା

ବିଜେଡିର ପ୍ରତିବାଦ, ରାଜ୍ୟବ୍ୟାପୀ ଆନ୍ଦୋଳନ ଧମକ

ଭୁବନେଶ୍ୱର : କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଯାହା ସ୍ଥିର କରିଛନ୍ତି, ତାହା ଠିକ୍‌। ଧାନର ଉତ୍ପାଦନ ମୂଲ୍ୟ ଠାରୁ ଏହା ଅଧିକ। ତେଣୁ ଏମ୍‌ଏସ୍‌ପି ବୃଦ୍ଧି ଦାବି ଯଥାର୍ଥ ନୁହେଁ। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଉପ ଅର୍ଥନୈତିକ ଉପଦେଷ୍ଟା ଲିଖିତ ଭାବେ ଏହା ରୋକ୍‌ଠୋକ୍‌ ଜଣାଇଦେଇଛନ୍ତି।

ସେ ଏହା ବି କହିଛନ୍ତି, ୨୦୧୬-୧୭ରେ ଧାନର ଏମ୍‌ଏସ୍‌ପି ଥିଲା ୧୪୭୦। ୨୦୧୭-୧୮ ପାଇଁ ଏହା ବୃଦ୍ଧି କରାଯାଇ ୧୫୫୦ ରଖାଯାଇଛି। ଧାନର ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ୍‌ ପିଛା ୧୩୨୭ ଟଙ୍କା। ତେଣୁ ନିର୍ଦ୍ଧାରିତ ହୋଇଥିବା ଏମ୍‌ଏସ୍‌ପି ଯଥେଷ୍ଟ। ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ଉଠିବା ପାଇଁ ଏମ୍‌ଏସ୍‌ପି ନିର୍ଦ୍ଧାରଣ କରାଯାଇ ଧାନ ବିକିବା ପାଇଁ ସରକାର ସୁଯୋଗ ସୃଷ୍ଟି କରିଛନ୍ତି। ତେଣୁ ଚାଷୀ ଚାହିଁଲେ ସରକାରୀ ସଂସ୍ଥାକୁ ଏମ୍‌ଏସ୍‌ପି ଦରରେ ଧାନ ଦେଇପାରିବେ କିମ୍ବା ସୁବିଧା ଅନୁଯାୟୀ ଖୋଲା ବଜାରରେ ବି ବିକିପାରିବେ। କିନ୍ତୁ ଦର ବଢ଼ାଇବା ସମ୍ଭବ ନୁହେଁ ବୋଲି
ମନ୍ତ୍ରଣାଳୟ ଜଣାଇଦେଇଛି।

କୃଷି ମନ୍ତ୍ରଣାଳୟର ଏହି ଆଭିମୁଖ୍ୟ ପରେ ଧାନର ଏମ୍‌ଏସ୍‌ପି ପ୍ରସଙ୍ଗକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଏମ୍‌ଏସ୍‌ପି ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲା ବେଳେ ସେଠାରୁ ସକରାତ୍ମକ ଉତ୍ତର ମିଳିବା ନେଇ ଆଶଙ୍କା ଦେଖାଦେଇଛି। କୃଷି ମନ୍ତ୍ରଣାଳୟ ବର୍ତ୍ତମାନର ଏମ୍‌ଏସ୍‌ପିକୁ ଯଥାର୍ଥ ଓ ଯଥେଷ୍ଟ କହିଲା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କେତେଦୂର ଏଥିରେ ହସ୍ତକ୍ଷେପ କରିବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଜେଡି କୃଷକ ସାମ୍ମୁଖ୍ୟ ପକ୍ଷରୁ ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ୍‌ ପିଛା ୨୯୩୦ ଟଙ୍କା କରିବା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ବିଚାର କରିବା ପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରଣାଳୟ ବିଚାର କରି ଏକ ଚିଠି ମାଧ୍ୟମରେ ବିଜେଡିକୁ ଏହା ଜଣାଇଦେଇଛି। ଚିଠି ପାଇଲା ପରେ ବିଜେଡି ଏହାକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଓ ରୋହିତ ପୂଜାରୀ କହିଲେ, ଧାନର ଉତ୍ପାଦନ ମୂଲ୍ୟ ବ୍ୟୟ ଅନୁପାତରେ ଯଥାର୍ଥ ହେଉ ନାହିଁ। ସରକାର ନିର୍ଦ୍ଧାରଣ କରିଥିବା ଏମ୍‌ଏସ୍‌ପି ଯଥେଷ୍ଟ ନୁହେଁ। ତେଣୁ ଏନ୍‌ଡିଏ ସରକାର ସ୍ୱାମୀନାଥନ୍‌ କମିଟି ସୁପାରିସ୍‌ ଆଧାରରେ ଧାନ ଚାଷରେ ହେଉଥିବା ଖର୍ଚ୍ଚର ଦେଢ଼ ଗୁଣା ମୂଲ୍ୟ ବୃଦ୍ଧି କରିବା ପାଇଁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ କଲେ ନାହିଁ। ସମ୍ପ୍ରତି ଓଡ଼ିଶା ଚାଷୀମାନେ ଯେଉଁ ଦୁର୍ଦ୍ଦଶା ଭୋଗୁଛନ୍ତି, ତା’ର ମୁଖ୍ୟ କାରଣ ହେଉଛି ଧାନର ଉଚିତ ମୂଲ୍ୟ ନ ପାଇବା। କିନ୍ତୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ନିର୍ଦ୍ଦୟ ଭାବେ ଚାଷୀଙ୍କ ଦାବିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ।

ବିଜେଡି ଯୁକ୍ତି ବାଢ଼ିଛି, ରାଜ୍ୟ ସରକାରଙ୍କ ପକ୍ଷରୁ ଧାନର ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୨୩୪୪ ଟଙ୍କା ଧାର୍ଯ୍ୟ କରାଯାଇଛି। କିନ୍ତୁ କୃଷି ମନ୍ତ୍ରଣାଳୟ ଧାନର ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୧୩୨୭ ଟଙ୍କା ଧାର୍ଯ୍ୟ କରିଛି। ଏହା ଆଦୌ ଗ୍ରହଣୀୟ ନୁହେଁ। ରାଜ୍ୟରେ ବର୍ତ୍ତମାନ ଅଦିନିଆ ବର୍ଷା, ମରୁଡ଼ି ଓ ପୋକ ପାଇଁ ଧାନ ଫସଲ ନଷ୍ଟ ହୋଇଥିଲା ବେଳେ କେନ୍ଦ୍ର ସରକାରଙ୍କ ଏହି ଚିଠି ଚାଷୀଙ୍କ ମୁଣ୍ଡରେ ଚଡ଼କ ସଦୃଶ ହୋଇଛି। ଚାଷୀମାନେ ହକ୍‌ ନ ପାଇବା ପର୍ଯ୍ୟନ୍ତ ବିଜେଡି ଲଢ଼େଇ ଜୋର୍‌ଦାର୍‌ କରିବ। କୃଷି ମନ୍ତ୍ରଣାଳୟ ଏହି ଚିଠିକୁ ପ୍ରତ୍ୟାହାର କରିବା ସହ ଏମ୍‌ଏସ୍‌ପି ବୃଦ୍ଧିି କରିବାକୁ ଦଳ ଦାବି କରିଛି। ନଚେତ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସସ୍ମିତ ପାତ୍ର ଓ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର