ସିବିନେଟ୍‌ ଓ ଟ୍ରୁନେଟ୍‌କୁ ଆଇସିଏମ୍‌ଆର୍‌ ଅନୁମତି ପାଇଁ ଦାବି କଲେ ନବ ଦାସ

ଦେଶର ସବୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନ୍‌ଫରେନ୍‌ସ ଆଲୋଚନା

ଝାରସୁଗୁଡ଼ା : କୋରନା ମୁକାବିଲା ନେଇ ଶୁକ୍ରବ‌ାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଦେଶର ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଭିଡିଓ କନ୍‌ଫରେନ୍‌ସ ମାଧ୍ୟମରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଏନ୍ଆଇସି କେନ୍ଦ୍ରରେ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏଥିରେ ଭାଗ ନେଇଥିଲେ। ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟରେ ବ୍ୟାପକ କୋଭିଡ୍ ରକ୍ତ ପରୀକ୍ଷା ପାଇଁ ସିବିନେଟ୍‌ ଓ ଟ୍ରୁନେଟ୍‌କୁ ଆଇସିଏମ୍‌ର ତୁରନ୍ତ ଅନୁମତି ଦେବା ସହିତ ତାର ଗାଇଡଲାଇନ୍‌ରେ କୋହଳ କରୁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ।

ଏହା ବ୍ୟତୀତ କେନ୍ଦ୍ର ସରକାର ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସମସ୍ୟାକୁ ଗୁରୁତ୍ବର ସହିତ ସମାଧାନ କରିବାକୁ ଅନୁରୋଧ କରିଥିଲେ। ଏହି ଶ୍ରମିକମାନଙ୍କ ମଧ୍ୟରୁ ଯେଉଁମାନେ ନିଜ ରାଜ୍ୟକୁ ଫେରିବାକୁ ଚାହଁଛନ୍ତି ସେମାନଙ୍କ କୋଭିଡ୍ ପରୀକ୍ଷା କରିବାର ବ୍ୟବସ୍ଥା କରି ତାଙ୍କୁ ପ୍ରମାଣପତ୍ର ଫେରିବା ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଏଥିପାଇଁ ବିଭିନ୍ନ ରାଜ୍ୟକୁ  ଆବଶ୍ୟକ ପରୀକ୍ଷଣ କିଟ୍ ମଧ୍ୟ କେନ୍ଦ୍ର ସରକାର ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଏହି ସମସ୍ୟା ସମାଧାନ ପାଇଁ ଏକ ଅନ୍ତଃରାଜ୍ୟ ଓ ଅନ୍ତଃସୀମା ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବାକୁ ଶ୍ରୀ ଦାସ ପ୍ରସ୍ତାବ ଦେଇଥିଲେ।  ଓଡ଼ିଶାରେ ଔଷଧ ଓ ସ୍ବାସ୍ଥ୍ୟ ଉପକରଣ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଫାର୍ମାସିଟିକାଲ ଜୋନ୍ ପ୍ରତିଷ୍ଠା, ଜାତୀୟ ଔଷଧ ବିତରଣ ନିୟମ ପ୍ରଣୟନ, ଓଡ଼ିଶାରେ ଜାତୀୟ ସ୍ବାସ୍ଥ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଇ ସ୍ବାସ୍ଥ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ସ୍ବତସ୍ତ୍ର ତାଲିମ ଦେଇ ଏକ ଟିମ୍ ପ୍ରସ୍ତୁତ କରାଯିବା ଉପରେ ଶ୍ରୀ ଦାସ ଗୁରୁତ୍ବ ଦେଇଥିଲେ।

ସେହିପରି ରାଜ୍ୟରେ ସମନ୍ବିତ ସ୍ବାସ୍ଥ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇ ସ୍ବାସ୍ଥ୍ୟସେବା ସମ୍ପର୍କିତ ବହୁବିଧ ବିଭାଗର ଗବେଷଣା କରାଯାଇ ପାରିବ ବୋଲି ପ୍ରସ୍ତାବ ଦେଇଥିଲେ। ସେହିପରି କେନ୍ଦ୍ରୀୟ ମେଡିକାଲ ଉପକରଣ କ୍ରୟ ନିମନ୍ତେ ଏକ ସ୍ବତନ୍ତ୍ର ସଂସ୍ଥା ରାଜ୍ୟରେ ପ୍ରତିଷ୍ଠା କରାଗଲେ ଔଷଧ, ସ୍ବାସ୍ଥ୍ୟ ଉପକରଣର ଓ ଅନ୍ୟାନ୍ୟ ଆବଶ୍ୟକ ମେଡିକାଲ ଯନ୍ତ୍ରପାତି ସାଧାରଣ ମାନକ ମୁତାବକ ସଂଗ୍ରହ କରାଯିବା ସହଜ ହୋଇପାରନ୍ତା ବୋଲି ମନ୍ତ୍ରୀ କହିଥିଲେ। ରାଜ୍ୟରେ ଜାତୀୟ ଫାର୍ମାସିଟିକାଲ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଓ ନୂତନ ଜାତୀୟ ମାନବ ସମ୍ବଳ ପରିଚାଳନା ନିୟମ ଅଣାଯିବା ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ଦାସ ଦାବି ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର