ଭୁବନେଶ୍ବର: ଘଟଗାଁ ମା ତାରିଣୀଙ୍କ ପୀଠ ଖୁଚୁରା ଟଙ୍କାକୁ ନେଇ ଚର୍ଚ୍ଚା । ଦାନ ଆକାରରେ ମିଳୁଥିବା ମୁଦ୍ରାକୁ ଯେତେବେଳେ ବ୍ୟାଙ୍କରେ ଜମା କରିବାକୁ ଦିଆଯାଉଛି, ତାକୁ ନେବାକୁ କର୍ତ୍ତୃପକ୍ଷ ଅରାଜି ହେଉଛନ୍ତି । ପୂର୍ବରୁ ଯେହେତୁ ୮୦ ଲକ୍ଷ ଟଙ୍କାର ମୁଦ୍ରା ପଡ଼ି ରହିଛି, ତେଣୁ ସମସ୍ୟା ଉପୁଜିଥିବା ଯୁକ୍ତି ଦର୍ଶାଯାଉଛି । ଆଉ ଏଭଳି ସ୍ଥଳରେ ମନ୍ଦିର କର୍ତ୍ତୃପକ୍ଷ ସମସ୍ୟା ଦୂର କରିବା ପାଇଁ ଆରବିଆଇ ମୁଖ୍ୟ ଶକ୍ତିକାନ୍ତ ଦାସ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅପିଲ କରିଛନ୍ତି ।
ଘଟଗାଁ ମା ତାରିଣୀଙ୍କ ପୀଠ ଖୁଚୁରା ଟଙ୍କାକୁ ଷ୍ଟେଟବ୍ୟାଙ୍କ ଗ୍ରହଣ ନ କରିବା ଖବର ପ୍ରସାରଣ ପରେ ତନାଘନା କରିଛି ମନ୍ଦିର ଟ୍ରଷ୍ଟ ବୋର୍ଡ । ବୋର୍ଡ ପକ୍ଷରୁ ଏ ନେଇ ବୈଠକ କରାଯାଇଛି । ମାଙ୍କ ଖୁଚୁରା ଟଙ୍କା ବ୍ୟାଙ୍କ ଗ୍ରହଣ ନ କଲେ ଆଗକୁ ଗୁରୁତର ସମସ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି । ତେଣୁ ସମସ୍ୟାର ସମାଧାନ ଲାଗି କଏନ ଗୁଡିକ ଗ୍ରହଣ ପାଇଁ ବୋର୍ଡ, ଆରବିଆଇ ମୁଖ୍ୟ ଶକ୍ତିକାନ୍ତ ଦାସ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବ ।
ବ୍ୟାଙ୍କରେ ଏବେ ତାରିଣୀ ମନ୍ଦିରର ପ୍ରାୟ ୮୦ ଲକ୍ଷ ଟଙ୍କାର କଏନ ଜମା ହୋଇ ରହିଛି । ଜାଗା ନଥିବା ଦର୍ଶାଇ ଆଉ କଏନ ଗ୍ରହଣ କରୁନାହିଁ ବ୍ୟାଙ୍କ । ମୁଖ୍ୟତଃ ଏହି କଏନ
- ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଦାନ ଓ ହୁଣ୍ଡିରୁ ସଂଗୃହୀତ ହୋଇଥାଏ
-ପ୍ରତିଟି ନଡିଆରେ ମାନସିକ ଟଙ୍କା ରଖି ଭକ୍ତ ପଠାଇଥାନ୍ତି
-କଏନ ଟ୍ରଷ୍ଟ ବୋର୍ଡରୁ ସଂଗୃହୀତ ହେଲା ପରେ ବ୍ୟାଙ୍କକୁ ଯାଇଥାଏ
-ଟଙ୍କା ଷ୍ଟେଟ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ଜମା ହୋଇଥାଏ
-୫୭ ଲକ୍ଷ ଷ୍ଟେଟ ବ୍ୟାଙ୍କରେ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ୨୭-୨୮ ଲକ୍ଷ ଟଙ୍କା ରହିଛି
ବର୍ତ୍ତମାନ ଉଭୟ ବ୍ୟାଙ୍କ କର୍ତୃପକ୍ଷ କଏନକୁ ଗ୍ରହଣ କରିବାକୁ ଅକ୍ଷମ ଦେଖାଇବା ପରେ ଭକ୍ତ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ପ୍ରତିଦିନ ତାରିଣୀ ମନ୍ଦିରକୁ ଭକ୍ତମାନେ ପଠାଉଥିବା ମାନସିକ ନଡିଆରେ କଏନଟିଏ ବାନ୍ଧି ପଠାଉଥିବାରୁ ଦିନକୁ ଦିନ କଏନର ପରିମାଣ ବଢିବାରେ ଲାଗିଛି । ପ୍ରଶ୍ନ ଉଠୁଛି, ଏ ନେଇ ବୋର୍ଡକୁ ସହାୟତା କରିବାକୁ ଆଗେଇ ଆସିବେ କି ସ୍ଥାନୀୟ ଲୋକପ୍ରତିନିଧି ?