ଅଶ୍ରୁରେ ଭିଜିଲା ଜଗଦଲପୁର, କେନ୍ଦ୍ର ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ମାଲକାନଗିରି : ବିଜାପୁର ନକ୍ସଲ ହମଲାରେ ସହିଦ ହୋଇଥିବା ୨୨ଜଣ ବୀର ଯବାନଙ୍କୁ ଆଜି ଜଗଦଲପୁର ଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନ ପ୍ରଚାର ଛାଡ଼ି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏଠାରେ ପହଞ୍ଚିଥିଲେ। ଗୃହମନ୍ତ୍ରୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଉପସ୍ଥିତ ଥିଲେ। ଶ୍ରଦ୍ଧାଞ୍ଜଳି ସଭାର ଦୃଶ୍ୟ ହୃଦୟ ବିଦାରକ ଥିଲା। ଉପସ୍ଥିତ ଜନସାଧାରଣ, ସହିଦଙ୍କ ପରିବାର ଓ ସଂପର୍କୀୟଙ୍କ ଅଶ୍ରୁରେ ସାରା ଅଞ୍ଚଳ ଭିଜି ଯାଇଥିଲା। ଲୋକଙ୍କ କ୍ରନ୍ଦନ ମାଇଲ ମାଇଲ ବାଟ ପର୍ଯ୍ୟନ୍ତ ଶୁଭିଥିଲା। ଶୋକାକୁଳ ପରିବେଶ ସମସ୍ତଙ୍କୁ ଏକପ୍ରକାର ସ୍ତବ୍ଧ କରି ଦେଇଥିଲା।

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଛତିଶଗଡ଼ ଡିଜିପି, ଆଇଜି, ଏସ୍‌ପି ସମେତ ବହୁ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ଲଢ଼େଇ ବନ୍ଦ ହେବ ନାହିଁ, ବରଂ ଆଗକୁ ଘମାସାନ ହେବ। ଲଗାତାର ଦୁର୍ଗମ ଅଂଚଳରେ ସୁରକ୍ଷା କର୍ମୀଙ୍କ କ୍ୟାମ୍ପ ପ୍ରତିଷ୍ଠା କରାଯାଉଛି। ଯାହାଫଳରେ ଭୟଭୀତ ଅବସ୍ଥାରେ ରହିଛନ୍ତି ନକ୍ସଲ। ତେଣୁ ଏଭଳି ପଛପଟୁ ଆକ୍ରମଣ କରୁଛନ୍ତି। ଯବାନ ଦେଇଥିବା ବଳିଦାନକୁ କେବେ ମଧ୍ୟ ଭୁଲି ହେବନାହିଁ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ନିଜ ବକ୍ତବ୍ୟରେ କହିଥିଲେ ଯେ, ନକ୍ସଲଙ୍କ ମଧ୍ୟ ବହୁ କ୍ଷତି ହୋଇଛି। ଚାରୋଟି ଟ୍ରାକ୍ଟରରେ ଭର୍ତ୍ତି କରି ମୃତାହତ ନକ୍ସଲଙ୍କୁ ନିଆଯାଇଥିଲା। ଅନ୍ୟପକ୍ଷରେ, ୩୦ ଯବାନ ଏବେ ମଧ୍ୟ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ୧୩ ଜଣଙ୍କୁ ରାୟପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧୭ଜଣ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ବସ୍ତର ଆଇଜି ପି. ସୁନ୍ଦରରାଜଙ୍କ କହିବା ଅନୁଯାୟୀ, ଏହି ହମଲାରେ ୧୨ଜଣ ନକ୍ସଲ ନିହତ ହୋଇଛନ୍ତି। ୧୬ଜଣ ନକ୍ସଲ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ କରି ଯବାନଙ୍କ ଠାରୁ ୧୦ଟି ବନ୍ଧୁକ ଲୁଟ୍ କରିଛନ୍ତି ନକ୍ସଲ। ସେଥିରେ ୭ଟି ଏକେ-୪୭, ୨ଟି ଏସ୍‌ଏଲ୍‌ଆର, ଗୋଟିଏ ଏଲ୍‌ଏମଜି ବନ୍ଧୁକ ରହିଛି।

ସମ୍ବନ୍ଧିତ ଖବର