ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ଅମିତ ଶାହା, କାଲି ସକାଳୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ

ପୁରୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାତି ସାଢ଼େ ୯ଟାରେ ଶ୍ରୀକ୍ଷେତ୍ର ପୁରୀ ପହଞ୍ଚିଛନ୍ତି। ପୁରୀରେ ପହଞ୍ଚିବା ପରେ ସେ ସିଧାସଳଖ ହୋଟେଲକୁ ଯାଇଥିଲେ। ସେ ଆଜି ରାତି ଏଠାରେ ଥିବା ମେ ଫେୟାର ହୋଟେଲରେ ରାତ୍ରିଯାପନ କରିବେ। ଶନିବାର ସକାଳ ୭ଟା ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। କେନ୍ଦ୍ରମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଆଶୀର୍ବାଦ ମାଗିବେ। ଶାହାଙ୍କ ପୁରୀ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥିତ ସଭାରେ ଯୋଗ ଦେଇ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ, ସିଏଏ ନାଗରିକତା ନେବା ପାଇଁ ନୁହେଁ, ବରଂ ନାଗରିକତା ଦେବାର ଆଇନ୍‌। ଏହା ଦ୍ୱାରା ଜଣେ ହେଲେ ବି ସେମାନଙ୍କର ନାଗରିକତା ହରାଇବେ ନାହିଁ। ଦେଶର ଜଣେ ହେଲେ ବି ମୁସଲମାନ ବା ସଂଖ୍ୟାଲଘୁ ବ୍ୟକ୍ତି ଏହି ଆଇନ ଦ୍ୱାରା ନାଗରିକତା ହରାଇବେ ନାହିଁ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପୂର୍ବାହ୍‌ଣରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେ ରାଜ୍ୟ ଲୋକସେବା ଭବନକୁ ଯାଇ ସେଠାରେ ଥିବା ସମ୍ମେଳନ କକ୍ଷରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହା ପରେ ସନ୍ଧ୍ୟାରେ ସ୍ଥାନୀୟ ଜନତା ମଇଦାନରେ ନାଗରିକତା ସଂଶୋଧନ ଆଇନ (ସିଏଏ) ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ‘ବିଶାଳ ଜନସମାବେଶ’କୁ ସମ୍ବୋଧନ କରିଥିଲେ। ପରେ ସେ ବିଜେପିର ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମୀଙ୍କ ସହିତ ରୁଦ୍ଧ ଦ୍ୱାରା କଠୋରୀରେ ବୈଠକ କରିଥିଲେ। ଏହା ପରେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ।

ସମ୍ବନ୍ଧିତ ଖବର