ସମ୍ବଲପୁର: ଏଥର ଓଡ଼ିଶାରେ ପରିବର୍ତ୍ତନ ଥୟ, ବିଜେପି ସରକାର ହେବ। ଏଥର ୭୫ରୁ ଅଧିକ ସିଟରେ ବିଜେପିର ବିଧାନସଭା ପ୍ରାର୍ଥୀ ବିଜୟୀ ହେବେ। ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡ଼ି ପଡ଼ିଆରେ ଆୟୋଜିତ ବିଶାଳ ଜନ ସମାବେଶରେ ଉଦବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

Advertisment

ଅମିତ ଶାହ ଆହୁରି କହିଛନ୍ତି, ଦେଶରେ ପଞ୍ଚମ ପର୍ଯ୍ୟାୟରେ ମୋଦୀଙ୍କୁ ୩୧୦ ଆସନରେ ବିଜୟୀ ହୋଇସାରିଛି। ବାକି ପର୍ଯ୍ୟାୟରେ ୪୦୦ ପାର୍ ହେବା ନିଶ୍ଚିତ। ନବୀନ ବାବୁ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି।ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟି ଚିପିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି। ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ। ୨୫ ବର୍ଷ ପରେ ଓଡ଼ିଶାର ସଂସ୍କୃତି ଉପରେ ବିଜେପି ସରକାର ହେବ। ଓଡ଼ିଶାରେ ସବୁ ଅଛି, କେବଳ ଜଣେ ପରିଶ୍ରମ କରିପାରୁଥିବା ମୁଖ୍ୟମନ୍ତ୍ରୀ ନାହାନ୍ତି। ବିଜେପି ସରକାର କଲେ ପରିଶ୍ରମ କରିପାରୁଥିବା ଜଣେ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ହେଲେ ଓଡ଼ିଆ ଭାଷ‌ାରେ ମେଡିକାଲ୍ ଶିକ୍ଷା ଦିଆଯିବ। ମୋଦୀ ପ୍ରତି ବ୍ୟକ୍ତିଙ୍କୁ ୫ କିଲୋ ଚାଉଳ ଦେଉଛନ୍ତି। ନବୀନ ସରକାର ଖାଲି ବ୍ୟାଗ ଦେଉଛନ୍ତି। ନବୀନ ବାବୁ ମନେ ରଖିବା ଦରକାର, ବ୍ୟାଗରେ ଗରିବର ପେଟ ପୁରେ ନାହିଁ। ସାରା ଦେଶରେ ଓଡ଼ିଶା ସମୃଦ୍ଧ, ଓଡ଼ିଶା ଲୋକ କିନ୍ତୁ ଗରିବ। ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି। ମୁଁ କଥା ଦେଉଛି, ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ।

ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ। ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ। ବିଜେପିକୁ ଉଭୟ ବିଧାନସଭା ଓ ଲୋକସଭାରେ ବିଜୟୀ କରନ୍ତୁ ଓ ସ୍ବାଭିମାନ ଓଡ଼ିଶା ବନାନ୍ତୁ।

ଏହି ବିଶାଳ ଜନ ସମାବେଶରେ ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେପିର ବାଲେଶ୍ବର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି।