ଭୁବନେଶ୍ବର: ପଞ୍ଚାୟତରେ ସରପଞ୍ଚଙ୍କ ଭଳି କ୍ଷମତା ଏବଂ ଅନ୍ୟାନ୍ୟ ସୁବିଧା ଦାବିରେ ଆଜି ହଜାର ହଜାର ପଞ୍ଚାୟତ ସମିତି ସଦସ୍ୟ ଲୋୟର ପିଏମ୍‌ଜିରେ ଗର୍ଜିଛନ୍ତି। ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିଲେ ବି ଦାବି ପୂରଣ ନେଇ କେବଳ ପ୍ରତିଶ୍ରୁତି ମିଳିଛି। ଯଦି ଖୁବ୍ ଶୀଘ୍ର ଦାବି ପୂରଣ ନ‌ହେବ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରୂପ ନେବ। ଆବଶ୍ୟକ ପଡ଼ିଲେ ସମସ୍ତ ସମିତି ସଭ୍ୟମାନେ ସାମୂହିକ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି।

Advertisment

ଆଜି ଲୋୟର୍ ପିଏମଜି‌‌ରେ ଓଡ଼ିଶା ରାଜ୍ୟ ସମିତି ସଭ୍ୟ/ସଭ୍ୟା ପରିବାର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ୧୨ଦଫା ଦାବି କିପରି ପୂରଣ ହେବ ସେନେଇ ବୈଠକ ହୋଇଛି। ବିକ୍ଷୋଭକୁ ଆସିଥିବା ସମିତି ସଭ୍ୟମାନେ କହିଛନ୍ତି ଯେ ଆମେ ରାଜ୍ୟ ସରକାରଙ୍କୁ କିଛି ବଡ଼ ଜିନିଷ ମାଗୁନୁ। ଆମେ ନିର୍ବାଚିତ ଜନ ପ୍ରତିନିଧି ହୋଇଥିବାରୁ ଆମକୁ ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କ ଭଳି କିଛି କ୍ଷମତା ଦେବାକୁ କହୁଛୁ। ସରକାରଙ୍କ ସବୁ ଯୋଜନାରେ ଆମକୁ ପ୍ରତ୍ୟେକ୍ଷ ଭାବେ ସାମିଲ୍ କରିବା, ସରପଞ୍ଚଙ୍କ ଭଳି ସମସ୍ତ ପ୍ରମାଣପତ୍ର ଓ ରେକର୍ଡରେ ସମିତି ସଭ୍ୟଙ୍କ ସ୍ବାକ୍ଷର ରହିବାର ବ୍ୟବସ୍ଥା‌ କରିବା, ପ୍ରତି ପଞ୍ଚାୟତରେ ସମିତି ସଭ୍ୟ/ସଭ୍ୟାଙ୍କ ପାଇଁ ଏକ ଅଫିସ ଗୃହ ଓ ନାମ ଫଳକ ବ୍ୟବସ୍ଥ‌ା‌, ଗ୍ରାମ ପଞ୍ଚାୟତର ସମସ୍ତ ବୈଠକରେ ସମିତି ସଭ୍ୟଙ୍କର ଯୁଗ୍ମ ସ୍ବାକ୍ଷର ରହିବାର ବ୍ୟବସ୍ଥା, ଏନ୍‌ଆରଇଜିଏସ୍‌ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ସମସ୍ତ ରେକର୍ଡରେ ସମିତି ସଭ୍ୟଙ୍କର ଦସ୍ତଖତ, ଅନାସ୍ଥା ଭୋଟ୍‌ରେ କେବଳ ସମିତି ସଭ୍ୟଙ୍କୁ ଭୋଟ୍‌ ଦେବାର ନିୟମ, ସମିତି ସଭ୍ୟଙ୍କ ପାଣ୍ଠିକୁ ବାର୍ଷିକ ୨୦ ଲକ୍ଷକୁ ବୃଦ୍ଧି, ମାସିକ ୨୦ ହଜାର ଟଙ୍କା ଭତ୍ତା ଓ ୫ ବର୍ଷ କାର୍ଯ୍ୟକାଳ ଶେଷ ପରେ ୧୦ ହଜାର ଟଙ୍କା ଅବସରକାଳୀନ ଭତ୍ତା ପ୍ରଦାନ ଆଦି ଦାବି କରିଛୁ। ଏହାକୁ ପୂରଣ କରିବାରେ ସରକାରଙ୍କର କିଛି ଅସୁବିଧା ନାହିଁ। ହେଲେ କାହିଁକି ପଛଘୁଞ୍ଚା ଦେଉଛନ୍ତି ଆମେ ଜାଣିନୁ। ଯଦି ଆମକୁ କ୍ଷମତା ମିଳିବନି ତେବେ ଆମେ ସରକାରଙ୍କୁ କ୍ଷମତାକୁ ଆସିବାକୁ ଦେବୁନି।

ଆଜି ପଞ୍ଚାୟତ ସମିତି ସଦସ୍ୟଙ୍କ ରଣହୁଙ୍କାର ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଆଲୋଚନା କରିବାକୁ ପଦକ୍ଷେପ ନିଆଯାଇଥିଲା। ସମିତି ସଭ୍ୟଙ୍କର ଏକ ୬ଜଣିଆ ପ୍ରତିନିଧି ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଦେବାକୁ କୁହାଯାଇଥିଲା। ହେଲେ ରାଜ୍ୟ ସରକାରଙ୍କ କୌଣସି ପ୍ରତିନିଧିଙ୍କ ସହ ବିନା ଆଲୋଚନାରେ ଅଭିଯୋଗ ଦେବେନି କି ଆନ୍ଦୋଳନ ପ୍ରତ୍ୟାହାର କରିବେନି ବୋଲି ସମିତି ସଭ୍ୟମାନେ ଜିଦ୍‌ ଧରିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଜଣ ମନ୍ତ୍ରୀଙ୍କୁ ଡକାଯାଇଥିଲା। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ, ପୂର୍ତ୍ତ ମନ୍ତ୍ରୀ ପ୍ରଫଲ୍ଲ କୁମାର ମଲ୍ଲିକଙ୍କ ସମେତ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀମାନେ ସମିତି ସଭ୍ୟଙ୍କ ୬ଜଣିଆ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ। ଏଥିରେ ସମିତି ସଭ୍ୟମାନେ ଦାବି କରିଥିଲେ ଯେ ସେମାନଙ୍କ ୧୨ଦଫା ଦାବି ବାବଦରେ ବିଧାନସଭାରେ ବିସ୍ତୃତ ଆଲୋଚନା କରି ପଞ୍ଚାୟତିରାଜ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଉ। ବିଧିବଦ୍ଧ ଗେଜେଟ୍ ନୋଟିଫିକେସନ୍ ହେଉ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ‌ଚେତାବନୀ ଦିଆଯାଇଛି। ଆଜିର ବିକ୍ଷୋଭରେ ଓଡ଼ିଶା ରାଜ୍ୟ ସମିତି ସଭ୍ୟ/ସଭ୍ୟା ପରିବାରର ଆବାହକ ସମରେନ୍ଦ୍ର ଦୀକ୍ଷିତ, ପ୍ରକାଶ ଚନ୍ଦ୍ର ସାମନ୍ତରାୟ, ବୈଦ୍ୟନାଥ ବେହେରା, ବସନ୍ତ କୁମାର ସାହୁ, ବୀରେନ୍ଦ୍ର ସାହୁ, ସୁନୀଲ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।