ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର ଯୋଜନା ଲେଖିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧ, ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ

ଭୁବନେଶ୍ବର :  କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)କୁ ଓଡ଼ିଶା ସରକାର ବିଜୁ ପକ୍କା ଘର ଯୋଜନା ନାମରେ ନାମିତ କରିବାକୁ ବିରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ସେ ଜଣାଇଛନ୍ତି ଯେ ଏହି ପ୍ରମୁଖ ସରକାରୀ ଗ୍ରାମାଞ୍ଚଳ ଗୃହନିର୍ମାଣ ସ୍କିମ ଲାଗି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୬୦: ୪୦ ଅନୁପାତରେ ପାଣ୍ଠି ଯୋଗାଉଥିଲେ ମଧ୍ୟ ତାହାକୁ ବିଜୁ ପକ୍କା ଘର ଯୋଜନା ବୋଲି ଲେଖିବା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଂକ୍ଷିପ୍ତରେ ଓ ଛୋଟ ଅକ୍ଷରରେ ‘ପ୍ର.ଆ.ଯୋ’ ବୋଲି ଲେଖିବା ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚାୟକ । ଏଣୁ ଏଥିରେ ଆବଶ୍ୟକ ସଂଶୋଧନର ଆବଶ୍ୟକତା ରହିଛି ।


ଏକ ଟ୍ବିଟ କରି ସେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧନ କରି ଲେଖିଛନ୍ତି, “ ପତ୍ର ଦ୍ବାରା ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ କେନ୍ଦ୍ର ସରକାରଙ୍କ ଆନୁପାତିକ ଅଂଶ ସହିତ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା”ର ବିଜ୍ଞାପନ ବିଷୟବସ୍ତୁରେ ଆବଶ୍ୟକୀୟ ସଂଶୋଧନର ନିହାତି ଆବଶ୍ୟକତା ରହିଛି । ଏକ ବିରାଟ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ସଂପୃକ୍ତ ଅଧିକାରୀଙ୍କୁ ଆପଣ ନିଶ୍ଚିତ ଭାବେ ଏହି ଭୁଲର ସଂଶୋଧନ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିବେ ବୋଲି ମୋର ଦୃଢ ଆଶା ଓ ବିଶ୍ବାସ ଅଛି । ମାନ୍ୟବର ପ୍ରଧାନମନ୍ତ୍ରୀ ୨୦୨୨ ସୁଦ୍ଧା ‘ସମସ୍ତଙ୍କ ପାଇଁ ଗୃହ”ର ଯେଉଁ ପରିକଳ୍ପନା ରଖିଛନ୍ତି ଏହା ସାକାର କରିବାରେ ଆପଣଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଏବଂ ବିଭାଗୀୟ ସମନ୍ବୟ ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ।“

ସମ୍ବନ୍ଧିତ ଖବର