ଖୋର୍ଦ୍ଧା : ପୁଣି ଥରେ ଉଠିଛି ଖୋର୍ଦ୍ଧାର ପାଇକ ସ୍ମାରକୀ ନିର୍ମାଣ ପ୍ରସଙ୍ଗ। ଆଜି ବରୁଣେଇ ପୀଠରେ ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥଳକୁ ଯାଇ ଏହି କାର୍ଯ୍ୟର ସମୀକ୍ଷା କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇକ ସ୍ମାରକୀ ନିର୍ମାଣ ବିଳମ୍ବ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। କହିଛନ୍ତି, ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହୋଇଛି। ତେବେ ମନ୍ତ୍ରୀ ଶ୍ରୀ ପ୍ରଧାନ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ଆଜି ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରି ଆସନ୍ତା ଏକମାସ ମଧ୍ୟରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ବାଟ ଫିଟାଇଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୧୭ରେ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ପାଳନ ପାଇଁ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ୍ରେ ଏଥିପାଇଁ ଅନୁଦାନ ଘୋଷଣା କରିଥିଲେ। ସେହିବର୍ଷ ଅଗଷ୍ଟ ମାସରେ ବରୁଣେଇଠାରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ସହାୟତା ଯୋଗାଇଦେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ୨୦୧୮ ମାର୍ଚ୍ଚ ୭ ତାରିଖରେ ବରୁଣେଇଠାରେ ୫୦ ଏକର ଜମି ଯୋଗାଇଦେବାକୁ ସେ ରାଜ୍ୟ ସରକାରଙ୍କୁ ଲିଖିତ ଅନୁରୋଧ କରିଥିଲେ। ୨୦୧୮ରେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ୍ ୯୦ କୋଟି ଟଙ୍କା ଅନୁଦାନ ଦେବା ପାଇଁ ଘୋଷଣା କରିଥିଲା। ଏହା ମଧ୍ୟରେ ୬ ବର୍ଷ ବିତିଗଲାଣି। ୨୦୧୯ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସି ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ସରକାର ମଧ୍ୟ ବିନା ମୂଲ୍ୟରେ ୯.୫ ଏକର ଜମି ଯୋଗାଇ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ପାଇକ ସ୍ମାରକୀ ପ୍ରତି ଆନ୍ତରିକତାର ଅଭାବ ରହିଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।
ଅପରପକ୍ଷରେ, ନୟାଗଡ଼ରେ ଦିଶା ବୈଠକ ସାରି ସାଂସଦ ଭର୍ତ୍ତୃହରି ମହତାବ ସେଠାରେ ପହଞ୍ଚିଥିଲେ। ଉଭୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ସାଂସଦ ଶ୍ରୀ ମହତାବ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାଂସଦ ଶ୍ରୀ ମହତାବ କହିଥିଲେ ଯେ ତାଙ୍କର ଏହି ଗସ୍ତ ଅପ୍ରତ୍ୟାଶିତ। ପାଇକ ସ୍ମାରକୀ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ, ପ୍ରାଣର ସ୍ପନ୍ଦନ। ଏନେଇ ସେ ଶୁଣିଥିଲେ, ଦେଖିବାର ଇଚ୍ଛା ଥିଲା। ଜଣେ ସାଂସଦ ଭାବେ ସେ ଏଠାକୁ ଦେଖିବାକୁ କେବଳ ଆସିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସହ ସଂଯୋଗ ବଶତଃ ଭେଟ ହୋଇଛି। ୨୦୨୨ ମସିହାରେ ସରକାର ପାଇକ ସ୍ମାରକୀ ପାଇଁ ଜମି ଯୋଗାଇ ଦେଇଥିଲେ। ମାତ୍ର ଜଙ୍ଗଲ ବିଭାଗ ଅନୁମତି ଦେଇନଥିଲା। ସ୍ମାରକୀ ସ୍ଥଳରେ ଥିବା ୭୯୯ଟି ଶାଗୁଆନ ଗଛର ସ୍ଥାନାନ୍ତର ପାଇଁ ଟଙ୍କା ଜମା ହୋଇନଥିଲା। ଜଙ୍ଗଲ ଜମିରୁ ଶାଗୁଆନ ଗଛର ସ୍ଥାନାନ୍ତର ପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍(ଅଣଓସିଏଲ୍) ୫୫ ଲକ୍ଷ ଟଙ୍କା ଜମା କରିବ। ସେହିପରି ବରୁଣେଇ ପୀଠକୁ ସଂଯୋଗ କରୁଥିବା ଆର୍ଡି ରାସ୍ତା ବଦଳିବ। ଏଠାରେ ଥିବା ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଖୁଣ୍ଟକୁ ହଟାଇବା ପାଇଁ ଆସନ୍ତା ସପ୍ତାହରେ ଆଇଓସିଏଲ୍ ୩ କୋଟି ଟଙ୍କା ଜମା କରିବ। ୧ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସାଂସଦ ଶ୍ରୀ ମହତାବ କହିଛନ୍ତି।
ଆଜି ଅପରାହ୍ଣ ପ୍ରାୟ ୪ଟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥଳରେ ପହଞ୍ଚିଥିଲେ। ଏହା ପୂର୍ବରୁ ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ତହସିଲଦାର ବିଭାସ ପାଣିଗ୍ରାହୀ, ଏସିଏଫ୍ଙ୍କ ସହ ବନ ବିଭାଗ କର୍ମଚାରୀ ଓ ଇଣ୍ଡିଆନ ଅଏଲ୍ର ଆଞ୍ଚଳିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପାଇକ ସଂଗଠନ ଓ ଖୋର୍ଦ୍ଧାର ବରିଷ୍ଠ ନାଗରିକ ସଂଘର କେତକ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/khordha.jpg)