କଟକ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି କଟକ ଜିଲ୍ଲା ଗସ୍ତରେ ଥିବା ବେଳେ ବିଜେଡି ନେତା ଅରିନ୍ଦମ୍ ରାୟ ତାଙ୍କୁ ଭେଟି ରୁଦ୍ଧଦ୍ବାର ବୈଠକ କରିଛନ୍ତି। ଶ୍ରୀ ରାୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ସକାଳେ ଧବଳେଶ୍ବରଙ୍କ ଡାକବଙ୍ଗଳାରେ ଥିବା ବେଳେ, ଅରିନ୍ଦମ୍ ତାଙ୍କୁ ସାକ୍ଷାତ କରିଥିଲେ ଓ ଫୁଲତୋଡ଼ା ଦେଇଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲା। ଆଲୋଚନା ପରେ ଶ୍ରୀ ବୈଷ୍ଣବ ଆଠଗଡ଼ ଅଭିମୁଖେ ବାହାରି ଯାଇଥିଲେ।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ବେଳେ ଅରିନ୍ଦମ୍ଙ୍କ ନାମ ବିଧାନସଭା ଅବା ଲୋକସଭା ଆସନରେ ପ୍ରାର୍ଥୀ ଭାବେ ଉଠିଥାଏ। ଗତ ପୌର ନିର୍ବାଚନରେ ତାଙ୍କୁ ମେୟର୍ ପ୍ରାର୍ଥୀ କରାଯିବା ନେଇ ମଧ୍ୟ ଆଲୋଚନା ହେଉଥିଲା। ଗତକାଲି କଟକ ବାଲିଯାତ୍ରା ପଡ଼ିଆରେ ୫-ଟି ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମରେ ଅରିନ୍ଦମ ଉପସ୍ଥିତ ଥିଲେ। ହଠାତ୍ ଆଜି ବିଜେପି ଶିବିରକୁ ଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବା ପଛରେ କ’ଣ କାରଣ ରହିଛି ସେ ନେଇ ଉଭୟ ନେତା ମୁହଁ ଖୋଲିନାହାନ୍ତି।