ଅନୁଗୁଳ: ସହର ଉପକଣ୍ଠ ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମର ତ୍ୟାଗୀ ବିଦ୍ୟାଧର ଦାସ (ମଲ୍ଲିକ ବାବା)ଙ୍କ ମହାପ୍ରୟାଣର ଏକୋଇଶିଆ ଦିବସରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଦ୍ୟାଧର ବାବାଙ୍କ ସମାଧି ସ୍ଥଳରେ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ, ସାଧୁ ମାନଙ୍କର ଆତ୍ମାର ବିଲୀନ ହୁଏ ନାହିଁ । ବିଦ୍ୟାଧର ବାବାଙ୍କ ଭଳି ପୂଜ୍ୟ ସାଧୁ ସନ୍ଥମାନେ ସମାଜକୁ ମାର୍ଗଦର୍ଶନ ଦେବା ପାଇଁ ଧରାପୃଷ୍ଠରେ ପୁଣି ଜନ୍ମ ନିଅନ୍ତି ବୋଲି ବିଶ୍ୱାସ ରହିଛି। କେନ୍ଦ୍ରମନ୍ତ୍ରୀ କହିଥିଲେ, ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମ ଆମ ସମସ୍ତଙ୍କର ଶ୍ରଦ୍ଧାର କେନ୍ଦ୍ର। ବାବା ବିଦ୍ୟାଧର ଦାସ ଲମ୍ବା ସମୟ ଧରି ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମର ଜଣେ ଅଭିଭାବକ ଭାବେ ଦାୟିତ୍ୱ ନେବା ସହ ସମସ୍ତଙ୍କୁ ଉତ୍ତମ ପରାମର୍ଶ ଦେଇ ଆସୁଥିଲେ।
ଅଙ୍ଗାରବନ୍ଧ ମହିମାଧାମରେ ଶୂନ୍ୟ ବ୍ରହ୍ମଙ୍କର ସେବା କରିବା ସମୟରେ ବାବାଙ୍କ ବ୍ରହ୍ମଲୀନ ହୋଇଛି । ସମାଜ ସଂସ୍କାର ଦିଗରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ। ଆମ ରାଜ୍ୟ ଓଡ଼ିଆ ଜନଜୀବନରୁ ବାହାରି ଥିବା ମତ, ଧର୍ମ ଓ ବିଚାର ସମସ୍ତଙ୍କୁ ବିଶେଷତଃ ସମାଜର ବଞ୍ଚିତ ବର୍ଗଙ୍କୁ ମୂଳ ସମାଜ ସହ ଯୋଡ଼ି ରଖିବାରେ ବହୁତ ବଡ ଦାୟିତ୍ୱ ନେଇଛି। ଆଜିର ସମୟରେ ମହିମା ଗୋସାଇଁଙ୍କ ବିଚାର ପ୍ରତି ଲୋକଙ୍କର ଯେତେ ଶ୍ରଦ୍ଧା ଅଛି ସେତେ ମାତ୍ରାରେ ତାହାର ବ୍ୟାପକ ହୋଇପାରିନାହିଁ। ଆଧୁନିକ ସମୟରେ ଏହି ଦୁଃର୍ମୂଲ୍ୟ ବିଚାରକୁ ଆଧୁନିକ ପିଢ଼ି ପାଖରେ ପହଞ୍ଚାଇବା ପାଇଁ ଆହୁରି ଗବେଷେଣା ଓ ସାହିତ୍ୟର ଆବଶ୍ୟକତା ରହିଛି। ଏହି ଆସ୍ଥା, ଧର୍ମ, ପରମ୍ପରା ବିଚାର ଆହୁରି ବ୍ୟାପକ କଲେ ହିଁ ସମାଜରେ ସୌହାର୍ଦ୍ଦ୍ୟ ଭାବନା ବଢ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ସମୟରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନ, ବରିଷ୍ଠ ନେତା ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।