ୟୁଏଇ ଜଳବାୟୁ ରାଷ୍ଟ୍ରଦୂତଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ

ଉଭୟ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ବର : ୟୁଏଇର ଜଳବାୟୁ ରାଷ୍ଟ୍ରଦୂତ ତଥା ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତି ମନ୍ତ୍ରୀ ସୁଲତାନ ଅଲ ଜବେରଙ୍କ ସହିତ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଉଭୟ ମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ, ସିଓପି ୨୮ ଆୟୋଜନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ। ଦ୍ବିପାକ୍ଷିକ ବୈଠକରେ ଦୁଇ ମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟାନୁଷ୍ଠାନ ଉପରେ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ । ଏହି ବୁଝାମଣାପତ୍ରର ମୂଳ ଉଦ୍ଦେଶ୍ୟ ହେଉଛି ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଦ୍ବିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଓ ବଢ଼ାଇବା ଲାଗି ଏକ ଫ୍ରେମୱର୍କ ପ୍ରତିଷ୍ଠା କରିବା । ଏହା ମଧ୍ୟ ପ୍ୟାରିସ ରାଜିନାମାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଯୋଗଦାନ ଦେଇପାରିବ।

ଦ୍ବିପାକ୍ଷିକ ବୈଠକ ଅବସରରେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯେ ୟୁଏଇ ୨୦୨୩ରେ ସିଓପି ୨୮ ଆୟୋଜନ କରିବ। ବିଶେଷ କରି ଆର୍ଥିକ ଓ ପ୍ରଯୁକ୍ତି କ୍ଷେତ୍ର ସମେତ କାର୍ଯ୍ୟକାରୀ ସହାୟତା କ୍ଷେତ୍ରରେ ଆମକୁ ବିକାଶଶୀଳ ରାଷ୍ଟ୍ରମାନଙ୍କ ଚିନ୍ତା ପ୍ରତି ପ୍ରାଥମିକତା ଦେବାକୁ ହେବ। ସିଓପି ୨୬ ପରବର୍ତ୍ତୀ ସମୟରେ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ପାଣ୍ଠି ଯୋଗାଣ, ଅନୁକୂଳ ପଦକ୍ଷେପ ଗ୍ରହଣ, କ୍ଷତି ଓ ହାନି ଭଳି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୟୁଏଇ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଶ୍ରୀ ଯାଦବ ପ୍ରଶଂସା କରିଥିଲେ। ଉଭୟ ପକ୍ଷ ସ୍ବୀକାର କରିଥିଲେ ଯେ ବୁଝାମଣାପତ୍ର ସ୍ବାକ୍ଷରିତ ହେବା ପରେ ଦୁଇ ଦେଶ ଆପୋସ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ଉପଯୁକ୍ତ ମାର୍ଗର ସନ୍ଧାନ କରିପାରିବେ । ବିଶେଷ କରି ବୁଝାମଣପତ୍ରରେ ନିର୍ଦ୍ଧାରିତ କ୍ଷେତ୍ର ଓ କାର୍ଯ୍ୟକ୍ରମ ଜରିଆରେ ଏ ଦିଗରେ ଉଭୟ ପକ୍ଷ ପଦକ୍ଷେପ ଗ୍ରହଣ କରିବେ ।

ସମ୍ବନ୍ଧିତ ଖବର