ବାଲିଆପାଳ/ବୋଳଂ/କୁଳିଦା : ବିଭିନ୍ନ ସମୟରେ ବିବାଦୀୟ ବକ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ର ଆଦିବାସୀ କଲ୍ୟାଣ ତଥା ଜଳସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ୟୁପିଏସ୍‌ସି (କେନ୍ଦ୍ର ଲୋକସେବା ଆୟୋଗ) ଦ୍ବାରା ନିଯୁକ୍ତି ପାଉଥିବା ଅଧିକାରୀଙ୍କ ଉପରେ କଟୁ ମନ୍ତବ୍ୟ ଦେଇଛନ୍ତି।

Advertisment

ଗତକାଲି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଜାମକୁଣ୍ଡା ସରକାରୀ ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ‘ ମୁଁ ଦିଲ୍ଲୀରେ ଥିବା କେନ୍ଦ୍ର ଲୋକସେବା ଆୟୋଗକୁ ଦେଖୁଥିଲି। ଭାବୁଥିଲି, ଆୟୋଗ ଦ୍ବାରା ସର୍ବଭାରତୀୟ ସ୍ତରରେ ନିଯୁକ୍ତି ପାଉଥିବା ଅଧିକାରୀମାନଙ୍କଠାରୁ ଦେଶରେ ବୋଧହୁଏ ଆଉ କେହି ବଡ଼ ଓ ଜ୍ଞାନୀ ନାହାନ୍ତି। ହେଲେ ଏବେ ମୁଁ ଭାବୁଛି, ସେମାନେ ସବୁ ଡକାୟତ।’ ‘ କୁହାଯାଏ, ବଡ଼ଲୋକଙ୍କୁ ଉତ୍ତର ନାହିଁ। ସାମାନ୍ୟ କୁକୁଡ଼ା ଚୋରି କଲେ ଦଣ୍ଡ ଅଛି, କିନ୍ତୁ ପାହାଡ଼ ଲୁଟି ଖାଉଥିବା ଲୋକଙ୍କ ପାଇଁ ଦଣ୍ଡ ନାହିଁ। ତା’ର କାରଣ ସେମାନେ ବଡ଼ ବଡ଼ ଅଧିକାରୀଙ୍କ ଛତ୍ରଛାୟା ତଳେ ରହୁଛନ୍ତି,’ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଶିକ୍ଷାନୁଷ୍ଠାନ ଭଳି ଜାଗାରେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ବିଭିନ୍ନ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି।