କଟକ: ରେଭେନ୍‌ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ରଖିଛନ୍ତି। କଟକ ପୌର ନିଗମର ସ୍ବାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହା ହେଉଛି ତାଙ୍କର ବ୍ୟକ୍ତିଗତ ମତ। କିନ୍ତୁ ଏହା ଉପରେ ବିତର୍କ ହେବା ଆବଶ୍ୟକ। ବୁଦ୍ଧିଜୀବୀମାନେ ଏ ସଂପର୍କରେ ଚିନ୍ତା କରିବା ଉଚିତ। ଯେଉଁ ରେଭେନ୍‌ସା ସାହେବଙ୍କ ସମୟରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା, ସେହିଭଳି ଜଣେ ବ୍ୟକ୍ତିଙ୍କ ନାମରେ ରେଭେନ୍‌ସା ବିଶ୍ବବିଦ୍ୟାଳୟର ନାମ ରହିବା ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ।

Advertisment

ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟ ପରେ ଏବେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ସାମନାକୁ ଆସିଛି। ରେଭେନ୍‌ସାର ପୁରାତନ ଛାତ୍ରୀ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡକ୍ଟର ସଂଗୀତା ରଥ କହିଛନ୍ତି ଯେ ରେଭେନ୍‌ସାଙ୍କ ସମୟରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା। ସେଥିପାଇଁ ସେ ପରବର୍ତ୍ତୀ ସମୟରେ ଅନୁତାପ କରି ବହୁ ଶିକ୍ଷାନୁଷ୍ଠାନ ନିର୍ମାଣର ପଦକ୍ଷେପ ନେଇଥିଲେ। କିନ୍ତୁ ରେଭେନ୍‌ସା ନାମ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ। ଯଦି ଅସ୍ମିତାର କଥା କହି ନାମ ପରିବର୍ତ୍ତନ କରାଯିବା ପ୍ରସଙ୍ଗ ଉଠୁଛି ତେବେ ରେଭେନ୍‌ସା ଦ୍ବିତୀୟ କ୍ୟାମ୍ପସର ନାମ କୌଣସି ବରପୁତ୍ରଙ୍କ ନାମରେ ନାମିତ କରାଯାଉ।  

‘ଯେଉଁ ସାହେବଙ୍କ ସମୟରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା, ତାଙ୍କ ନାମରେ ବିଶ୍ବବିଦ୍ୟାଳୟ ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ’ 
ହେମେନ୍ଦ୍ର ଦାସ, ସଂଗୀତା ରଥ, ସତ୍ୟକାମ ମିଶ୍ରଙ୍କ ଭଳି ଶିକ୍ଷାବିତ୍‌ଙ୍କ ବିରୋଧ
ନାମ ପରିବର୍ତ୍ତନ ସପକ୍ଷରେ ମତ ରଖିଲେ କିଛି ଯୁବ, ଛାତ୍ର ନେତା

ସେହିଭଳି ବିଶିଷ୍ଟ ଶିକ୍ଷାବିତ ଡକ୍ଟର ହେମେନ୍ଦ୍ର ନାରାୟଣ ଦାସ ମଧ୍ୟ ରେଭେନ୍‌ସା ନାମ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ରେଭେନ୍‌ସା ଏକ ନାଁ ନୁହେଁ, ଏହା ଏକ ଶିହରଣ। ଏକ ଆବେଗର ଚାପରେ କେନ୍ଦ୍ରମନ୍ତ୍ରୀ ହୁଏତ ଏଭଳି କହିଥାଇ ପାରନ୍ତି। କିନ୍ତୁ ଏହା ଓଡ଼ିଶାର ବୁଦ୍ଧିଜୀବୀଙ୍କ ଚେତନାକୁ ଦୋହଲାଇ ଦେଇଛି। ‌ରେଭେନ୍‌ସା ନାଁ ସାରା ରାଜ୍ୟରେ ଯେଉଁ ଆଭାମଣ୍ଡଳ ସୃଷ୍ଟି କରିଛି, ନାଁ ପରିବର୍ତ୍ତନ ହେଲେ ସେହି ଆଭାମଣ୍ଡଳରୁ ପିଲାମାନେ ବିଚ୍ୟୁତ ‌ହୋଇଯିବେ ବୋଲି ଡକ୍ଟର ଦାସ କହିଛନ୍ତି।

ସେହିଭଳି ଓପିଏସ୍‌ସିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସତ୍ୟକାମ ମିଶ୍ର କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଉ ନଥିଲା ବୋଲି କହିଛନ୍ତି। ଓଡ଼ିଶାରେ ଶିକ୍ଷାର ପ୍ରସାର କ୍ଷେତ୍ରରେ ଟି. ଇ. ରେଭେନ୍‌ସାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା। ନାମ ପରିବର୍ତ୍ତନ ହେଲେ ଏହା ରାଜ୍ୟର ଅନେକ ତୁଙ୍ଗ ନେତାଙ୍କ ପ୍ରତି ଅପମାନ ହେବ ବୋଲି ଡକ୍ଟର ମିଶ୍ର କହିଛନ୍ତି। ସେହିପରି ବିଶିଷ୍ଟ ଶିକ୍ଷାବିତ ଡକ୍ଟର ନଟବର ଶତପଥୀ ମଧ୍ୟ କହିଛନ୍ତି ଯେ ନାଁ ପରିବର୍ତ୍ତନ ଅସୁନ୍ଦର ହେବ। ଏ ସଂପର୍କରେ ପ୍ରଥମେ ଇତିହାସକୁ ଅନୁଧ୍ୟାନ କରାଯାଉ।

ଅନ୍ୟପଟେ ରେଭେନ୍‌ସା ବିକାଶ ଅଭିଯାନର ସଭାପତି ଆଇନଜୀବୀ ଚିତ୍ତରଂଜନ ମହାନ୍ତି ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ଦୃଷ୍ଟିରେ ରଖି ରେଭେନ୍‌ସାର ନାମ ବଦଳାଇ ଦିଆଯାଉ ବୋଲି କହିଛନ୍ତି। ସେହିଭଳି ରେଭେନ୍‌ସା ଛାତ୍ର ସଂସଦର ପୂର୍ବତନ ସଭାପତି ଶୁଭେନ୍ଦୁ ମହାନ୍ତି କହିଛନ୍ତି ଯେ ମନ୍ତ୍ରୀ କିଛି ଭୁଲ କହି ନାହାନ୍ତି। ଓଡ଼ିଶାର ବରପୁତ୍ରଙ୍କ ନାମରେ ରେଭେନ୍‌ସା ବିଶ୍ବବିଦ୍ୟାଳୟର ପୁନଃନାମକରଣରେ ଅସୁବିଧା କେଉଁଠି? ସେହିଭଳି ରେଭେନ୍‌ସାର ବର୍ତ୍ତମାନ ଛାତ୍ର ସାଗର ପ୍ରଧାନ ମଧ୍ୟ ନାମ ପରିବର୍ତ୍ତନର ପ୍ରସ୍ତାବକୁ ସମର୍ଥନ କରି କହିଛନ୍ତି ଯେ ଆମକୁ ଯିଏ ଶାସନ କରିଥିଲେ, ତାଙ୍କ ନାମକୁ ବଦଳାଇ ନେତାଜୀ ସୁଭାଷ ଅଥବା ଜୟୀ ରାଜଗୁରୁଙ୍କ ଭଳି ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କଲେ ବରଂ ଗୌରବ ବଢ଼ିବ।