ତାଳଚେର : ଗୁରୁବାର ଦିନ ତାଳଚେରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଳଚେର ସାଉଥ ବଲଣ୍ଡାର ସୁଭଦ୍ରା କ୍ଷେତ୍ର ଓ ସେଣ୍ଟ୍ରାଲ କଲୋନିର ଜଗନ୍ନାଥ କ୍ଷେତ୍ର ଅଞ୍ଚଳରେ ଗୋଟିଏ ଲେଖାଏଁ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହୋଇଛି। ସେହିଭଳି, ସେଣ୍ଟ୍ରାଲ କଲୋନିରେ ୩୦ କୋଟି ବ୍ୟୟରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଗୃହ ପାଇଁ ଭୂମିପୂଜନ ହୋଇଯାଇଛି।
ସେଣ୍ଟ୍ରାଲ୍ କଲୋନିରେ ଗୁରୁବାର ଦିନ ଅନୁଷ୍ଠିତ ଭୂମିପୂଜନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ କହିଥିଲେ, ଆଗାମୀ ଦିନରେ ତାଳଚେର ଆଇଟିଆଇକୁ ଏକ ବୃହତ୍ ଶିକ୍ଷାନୁଷ୍ଠାନରେ ପରିଣତ କରାଯିବା ସହ ଏମ୍ସିଏଲ୍ର ଭୋକେସନାଲ ଟ୍ରେନିଂ ସେଣ୍ଟରକୁ ଦକ୍ଷତା ବିକାଶ କେନ୍ଦ୍ର ରୂପେ ବିକଶିତ କରାଯିବ। ଏହାଦ୍ୱାରା କେବଳ କର୍ମଚାରୀ ନୁହନ୍ତି; ବିସ୍ଥାପିତ, ଯୁବକ ଯୁବତୀ, ମହିଳାମାନେ ପ୍ରଶିକ୍ଷଣ ନେଇ ରୋଜଗାର କରିବା ସହ ସ୍ୱାବଲମ୍ବୀ ହୋଇପାରିବେ। ଏଥିସହିତ ତାଳଚେରର ପୁରୁଣା ଯୁବରାଜ ହାଇସ୍କୁଲଠାରେ କିମ୍ବା ସେହି ପରିଧି ମଧ୍ୟରେ ଯେତେଶୀଘ୍ର ରାଜ୍ୟ ସରକାର ଜମିଦେବେ, ସେତେଶୀଘ୍ର ଆଉ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ। ସେହିଭଳି, ତାଳଚେରରେ ଡେରା କୋଲିଏରୀ ହାଇସ୍କୁଲର ଉନ୍ନତି ପାଇଁ ଏମ୍ସିଏଲ୍ ଦାୟିତ୍ୱ ନେଇଛି ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ; ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଏମ୍ସିଏଲ୍ର ସିଏମ୍ଡି ଓ.ପି. ସିଂହ, ତାଳଚେର ଉପଜିଲ୍ଲାପାଳ ବିଶ୍ବରଂଜନ ରଥ, ଏମ୍ସିଏଲ୍ର ନିର୍ଦ୍ଦେଶକ କେ. ଆର୍. ବାସୁଦେବନ ଓ କେଶବ ରାଓ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଡେପୁଟି କମିସନର ଡ. ଶ୍ରୀହରଣ ବୋଷ, ଜିଲ୍ଲା ପରିଷଦ ସଭ୍ୟା ସତ୍ୟଭାମା ସାହୁ, ଘଣ୍ଟପଡା ସରପଞ୍ଚ ସସ୍ମିତା ବିଶ୍ୱାଳ ଓ ସମିତି ସଭ୍ୟ କରୁଣାକର ସାହୁ ପ୍ରମୁ୍ଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଦିନ ଲୋକାର୍ପଣ ହୋଇଥିବା ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଏମ୍ସିଏଲ୍ ଦ୍ବାରା ସ୍ଥାପନ କରାଯାଇଥିଲାବେଳେ ଏହା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ବାରା ପରିଚାଳିତ ହେବ।