ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମ୍ବଲପୁର ରେଳ ଡିଭିଜନର ‘ଡିଭିଜନାଲ ବୈଠକ’ରେ ଆଜି ଓଡ଼ିଶାର ପଶ୍ଚିମାଞ୍ଚଳ ଓ ପଡ଼ୋଶୀ ଛତିଶଗଡ଼ର ଲୋକସଭା ସାଂସଦମାନଙ୍କ ଉପସ୍ଥିତିରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ଛତିଶଗଡ଼ର ସାଂସଦମାନେ ଯୋଗଦେଇ ଅଞ୍ଚଳର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।
ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର, ତାଳଚେର-ବିମଳାଗଡ଼, ଜରପଡ଼ା-ସମ୍ବଲପୁର ଏବଂ ଶାସନ-ଝାରସୁଗୁଡ଼ା ତୃତୀୟ ଓ ଚତୁର୍ଥ ଲାଇନ କାର୍ଯ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଚର୍ଚ୍ଚା ହୋଇଛି। ବରଗଡ଼-ନୂଆପଡ଼ା, ଝାରସୁଗୁଡ଼ା-ବାରକୋଟ ଏବଂ ଏମସିଏଲ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରାଥମିକତା ପ୍ରଦାନ କରାଯାଇଛି।
ଆହୁରି ପଢ଼ନ୍ତୁ: Super Food: ୫୦ ବର୍ଷ ପରେ ବି ମହିଳାମାନେ ହେବେନି ବାର୍ଦ୍ଧକ୍ୟର ଶିକାର, କିଛି ସୁପରଫୁଡ ବିଷୟରେ ଜାଣନ୍ତୁ
ଅଧିକ ବନ୍ଦେ ଭାରତ ଚଳାଚଳ ଉପରେ ଗୁରୁତ୍ବ
ଓଡ଼ିଶାର ପଶ୍ଚିମାଞ୍ଚଳରୁ ବିଶାଖାପାଟଣା, ରାୟପୁର, ରାଞ୍ଚି ସମେତ ଅନ୍ୟ ରାଜ୍ୟଗୁଡ଼ିକୁ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରାଇବା ପାଇଁ ଦାବି ଏବଂ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଛି। ଯାତ୍ରୀସେବାରେ ଉନ୍ନତି ଆଣିବା ପାଇଁ ‘ଅମୃତ ଷ୍ଟେସନ’ ଯୋଜନା ଅନ୍ତର୍ଗତ ସମ୍ବଲପୁର ସମେତ ଅନ୍ୟାନ୍ୟ ରେଳ ଷ୍ଟେସନଗୁଡ଼ିକର ନବୀକରଣ ଓ ଆଧୁନିକୀକରଣ କାର୍ଯ୍ୟକୁ ଆଗେଇ ନେବା ଦିଗରେ ମଧ୍ୟ ଚର୍ଚ୍ଚା ହୋଇଛି।
ଆହୁରି ପଢ଼ନ୍ତୁ: ABVP Conference: ଭଦ୍ରକ ମାଟି ଐତିହାସିକ ବଳିଦାନ, ଦେଶଭକ୍ତିର ପ୍ରତୀକ: ମନ୍ତ୍ରୀ
ଓଡ଼ିଶାର ରେଳ କ୍ଷେତ୍ରକୁ ବିଶେଷ ଅଗ୍ରାଧିକାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ଓଡ଼ିଶାର ରେଳ କ୍ଷେତ୍ରକୁ ବିଶେଷ ଅଗ୍ରାଧିକାର ମିଳୁଛି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ କାରଣରୁ ବହୁ ବର୍ଷରୁ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକ ଏବେ ଗତିଶୀଳ ହେବାରେ ଲାଗିଛି। ଆଜି ବୈଠକ ଓଡ଼ିଶାର ପଶ୍ଚିମାଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶରେ ରେଳବାଇର ଭୂମିକାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/23/dharmendra-pradhan-2025-12-23-20-09-34.jpeg)