ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଯଦୁପୁରର ନାବାଳିକା ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଗଣମାଧ୍ୟମକୁ ସେ କହିଛନ୍ତି, ରାଜ୍ୟ ସରକାର ପରୀ ହତ୍ୟାକାଣ୍ଡ ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ । ଯେହେତୁ ପରୀର ବାପା-ମା’ ସିବିଆଇ ତଦନ୍ତ ଦାବି କରୁଛନ୍ତି, ତେଣୁ ସେମାନଙ୍କ କଥାକୁ ସମ୍ମାନ ଦିଆଯାଇ ଘଟଣାର ନିରପେକ୍ଷ ତଦନ୍ତ ଲାଗି ସିବିଆଇକୁ ଦାୟିତ୍ବ ଦିଆଯାଉ। ଏପରି ହେଲେ ପରୀ ମାମଲାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ।

Advertisment

ଏହାସହ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ସେ କହିଛନ୍ତି, ରାଜ୍ୟ ସରକାର ନିଜ ଦୋଷ ଦୁର୍ବଳତାକୁ ନ ଲୁଚାଇବା ଉଚିତ । ଯେପରି ଉତ୍ତର ପ୍ରଦେଶରେ ଯୋଗୀ ସରକାର ହାଥରସ ମାମଲାରେ ନିରପେକ୍ଷ ତଦନ୍ତ ଲାଗି ସିବିଆଇକୁ ଦାୟିତ୍ବ ଦେଲେ, ଏଠାରେ ସେଭଳି କରାଯିବା ଦରକାର ।

ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ଗିରଫ କରିଥିଲେ ମଧ୍ୟ ଏସଆଇଟି ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି ପରୀର ପରିବାର । ଏହି ଘଟଣାରେ ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଛି । ଏହାସହ ବିରୋଧୀ ବିଜେପି ମଧ୍ୟ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଭୁବନେଶ୍ବରରୁ ପରୀର ଗାଁ ଯଦୁପୁରକୁ ପଦଯାତ୍ରା କରିଥିଲା ।

ପରୀ ହତ୍ୟା ଘଟଣାରେ ଝିଅର ବାପା-ମା’ ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରି ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିବା ପରେ ରାଜ୍ୟ ସରକାର ଚାପରେ ଆସି କ୍ରାଇମବ୍ରାଞ୍ଚ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଏସଆଇଟି ତଦନ୍ତ କରି ପରୀର ପଡ଼ିଶା ଘରେ ରହୁଥିବା ସରୋଜ ସେଠୀ ପରୀକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଦର୍ଶାଇ ତାକୁ ଗିରଫ କରିଛି।