କୁଚିଣ୍ଡା: ୨୫ ବର୍ଷର ବିଜେଡି ଶାସନରେ ରୂପାନ୍ତରିକରଣ ନାମରେ ଭାରତର ଏକ ନମ୍ବର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡେଙ୍ଗୁରା ପିଟୁଛନ୍ତି। କୁଚିଣ୍ଡା ଆଦିବାସୀ ବହୁଳ ଅଞ୍ଚଳର ଡାକ୍ତରଖାନାରେ ୧୮ ଜଣ ସ୍ଥାୟୀ ପଦବିରୁ ୧୧ ଜଣ ରହିଛନ୍ତି। ଉପଖଣ୍ଡରେ ୧୪୯ ଡାକ୍ତରଖାନାରେ ୧୦୧ ଜଣ ଡାକ୍ତର ପଦବି ଖାଲିପଡ଼ିଛି। ବୟସ ଅନୁଯାଇ ଏଠାରେ ଲୋକଙ୍କ ଉଚ୍ଚତା ୪୦ ପ୍ରତିଶତ କମ ରହିବା, ୨୫ ପ୍ରତିଶତ ଓଜନ କମିବା, ୩୬ ପ୍ରତିଶତ ଶିଶୁଙ୍କ ଜନ୍ମ ସମୟରେ ଓଜନ କମ ରହିବା, ୬୫ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର, ୬୬.୭ ପ୍ରତିଶତ ମହିଳା ରକ୍ତହୀନ ଶିକାର ହୋଇଥିବା ୨୫ ବର୍ଷ ଶାସନର ବିପର୍ଯ୍ୟୟ କି? ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗଣମାଧ୍ୟମ ଆଗରେ ଏହା କହିଛନ୍ତି। ଏଥି ସହିତ ଶ୍ରୀ ପ୍ରଧାନ ବିଜେଡିକୁ ଖୋଲା ମଞ୍ଚଳରେ ବିତର୍କ ପାଇଁ ଆହ୍ବାନ କରିଛନ୍ତି।

Advertisment

publive-image

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୁଚିଣ୍ଡା ଗସ୍ତରେ ଆସି ମହାପ୍ରଭୁ ଜଗନ୍ନାଥ, ବସଷ୍ଟାଣ୍ଡସ୍ଥିତ ହନୁମାନ ମନ୍ଦିର, ସଂଧ୍ୟାରେ ଦୁର୍ଗା ମନ୍ଦିରରେ ଆଳତିରେ ଯୋଗଦାନ କରି ଏକ ବିରାଟ ବାଇକ୍‌ ରାଲିରେ ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରା ମଝୀରେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିଥିଲେ। ସେଠାରେ ଡା ମନୋଜ ପଟେଲଙ୍କ ସହିତ ଡାକ୍ତରଖାନାରେ ଥିବା ସମସ୍ୟା ବିଷୟରେ ପଚାରି ବୁଝିବା ଥିଲେ। 

publive-image

କୁଚିଣ୍ଡାରେ ନିର୍ବାଚନୀ ପ୍ରଚାର ସମୟରେ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଥିଲେ, ଘରେଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ନ ବଢିବା ପାଇଁ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଓ ଆୟୁଷ୍ମାନ ସ୍ବାସ୍ଥ୍ୟ ଯୋଜନା ଲାଗୁ କରୁନାହାନ୍ତି। ଏହା କଣ ଗରିବ କଲ୍ୟାଣ ଯୋଜନା ବୋଲି କହି ଡାକ୍ତରଖାନାରେ ଅଧେଡାକ୍ତର ରହିଥିବା ପ୍ରସୂତି ବିଭାଗ ପରି ପଦବିରେ କେହି ଡାକ୍ତର ନଥିବାକୁ ଉଦାହରଣ ନେଇ ରାଜ୍ୟ ସରକାରଙ୍କ ରୂପାନ୍ତର କାର୍ଯ୍ୟକ୍ରମକୁ ତୀବ୍ର ସମାଲୋଚନା କରିଥିଲେ। ଏପରିକି ସମ୍ବଲପୁର ଠାରେ ମାଁ ସମଲେଇ ପୀଠରେ ଏକ ଖୋଲାମଞ୍ଚ, ସାର୍ବଜନୀନ ବିତର୍କ ଆୟୋଜନ କରନ୍ତୁ ଏବଂ ଆମ ପ୍ରଶ୍ନର ଉତ୍ତର ରଖନ୍ତୁ ବୋଲି ଆହ୍ବାନ ଦେଇଥିଲେ। ପରେ କୁଚିଣ୍ଡା ଶ୍ରମିକ ଭବନ ଠାରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ୭ଗୋଟି ମଣ୍ଡଳର ପ୍ରମୁଖ କର୍ମୀମାନଙ୍କୁ ନିର୍ବାଚନ ବିଜୟୀ ହେବା ମନ୍ତ୍ର ଫୁଙ୍କି ଥିଲେ।

ଏହି କାର୍ଯ୍ୟକ୍ରମରେ କୁଚିଣ୍ଡାରୁ ବିଜେପି ବିଧାୟକ ପ୍ରାର୍ଥୀ ରବିନାରାୟଣ ନାୟକ, ସୁରେନ୍ଦ୍ର ଲାଠ, ପ୍ରମୋଦ ରଥ, କାହ୍ନୁ ଚରଣ ନାୟକ, ଅରୁଣ ଅଗ୍ରୱାଲ, ମହେଶ ରାୟ, ପ୍ରାଣବନ୍ଧୁ ନାଥ, ଉପସଭାପତି ସଚ୍ଚିତା ଶର୍ମା, ଜୀବନ ଚୈତନ୍ୟ ବାବା, ପୂର୍ଣ୍ଣଚନ୍ଦ୍ର ପଟେଲ, ଅରୁଣ ଅଗ୍ରୱାଲ, ସୁଶୀଳ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ବାଇକ ରାଲିରେ ୨୦୦୦ ବାଇକ୍‌ ଆରୋହୀଙ୍କ ସହିତ କୀର୍ତ୍ତନ ଦଳ ସାମିଲ ହୋଇଥିଲେ।