କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ‘ଧାମନଗର ଉପନିର୍ବାଚନରେ ବିଜେପି ଜିତିବ’

ଭଦ୍ରକ : ଶାସକ ଦଳ ଲମ୍ବା ସମୟ କ୍ଷମତାରେ ରହିଛି ସତ, କିନ୍ତୁ ବନ୍ୟାପ୍ରବଣ ଧାମନଗର ଅଞ୍ଚଳର କିଛି ମଧ୍ୟ ବିକାଶ କରିନାହିଁ। ଆଉ ଏହି ଦେଢ଼ବର୍ଷରେ ଧାମନଗରରେ କି ବିକାଶ କରିବ କ୍ଷମତାସୀନ ଦଳ? ତେଣୁ ଧାମନଗରବାସୀ ଶାସକଦଳ ଓ ଶାସନକଳ ଚାପରେ ନ ରହି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆଶୀର୍ବାଦ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଧାମନଗର ପ୍ରଚାରକୁ ଆସି କହିଛନ୍ତି।

ଧାମନଗର ଭୋଟ୍‌ ପାଖେଇ ଆସୁଥିବା ବେଳେ ଆଜି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଗସ୍ତରେ ଆସି ଚରମ୍ପାସ୍ଥିତ ଅଗ୍ରସେନ ଭବନ ସମ୍ମିଳନୀ କକ୍ଷରେ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ। ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଜିତାଇବା ପାଇଁ ଗୁରୁମନ୍ତ୍ର ଦେବା ସହ ନିର୍ବାଚନ ରଣକୌଶଳ ସଂକ୍ରାନ୍ତରେ ମାର୍ଗଦର୍ଶନ କରିଥିଲେ। ଏହିଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି ଶ୍ରୀ ପ୍ରଧାନ କହିଥିଲେ, ୨୦୧୯ ସାଧାରଣ ନିର୍ବାଚନରେ ଧାମନଗର ଅଞ୍ଚଳବାସୀ ବିଷ୍ଣୁ ସେଠୀଙ୍କ ଭଳି ଜଣେ ଲୋକପ୍ରିୟ ନେତାଙ୍କୁ ଭୋଟ୍‌ ଦେଇ ବିଜୟୀ କରିଥିଲେ। ବିଷ୍ଣୁବାବୁଙ୍କ ଅକାଳ ବିୟୋଗ ପରେ ତାଙ୍କ ପୁଅ ସୂରଜ ଏଠାରୁ ପ୍ରାର୍ଥୀ ହୋଇଛନ୍ତି। ବିଷ୍ଣୁଙ୍କ ଅବର୍ତ୍ତମାନରେ ଧାମନଗର ଅଞ୍ଚଳବାସୀ ସୂରଜଙ୍କୁ ନିଶ୍ଚିତ ବିଜୟୀ କରିବେ ବୋଲି ତାଙ୍କର ଦୃଢ଼ ବିଶ୍ବାସ ରହିଥିବା ଶ୍ରୀ ପ୍ରଧାନ କହିଥିଲେ।

ବୈଠକରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଠାକୁର ରଣଜିତ ଦାସ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ସାଧାରଣ ସମ୍ପାଦକ ଅଭିମନ୍ୟୁ ସେଠୀ, ବଦ୍ରିନାରାୟଣ ଧଳ, ଦୀନବନ୍ଧୁ ପତି, ମହିଳା ନେତ୍ରୀ ମନସ୍ମିତା ଖୁଣ୍ଟିଆଙ୍କ ସମେତ ଜିଲ୍ଲାର ସମସ୍ତ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର